ଶତାୟୁ ପୁରୁଷ ପଦ୍ମଚରଣ ପାଇଲେ ‘ନିର୍ଭୟ ଓଡ଼ିଶା ଗୌରବ’ ସମ୍ମାନ

‘ରାଜନେତା ବାଟବଣା ହେଲେ ହାତ ଧରନ୍ତି ସାହିତି୍ୟକ’

ଭୁବନେଶ୍ୱର,୦୯/୧୦/୨୦୨୬ (ଓଡ଼ିଶା ସମାଚାର)- ନିଜ ଗୀତ, ନାଚ, ଭାଷା ଏବଂ ପ୍ରାକୃତିକ ସମ୍ପଦରାଜିକୁ ନେଇ ନିଜସ୍ୱ ପରିଭାଷା ବା ଆଂଚଳିକ ପରିଚୟ ସୃଷ୍ଟି ହୋଇଥାଏ । ଓଡ଼ିଶା ସେ କ୍ଷେତ୍ରରେ ଏକ ଅଗ୍ରଣୀ ଅବସ୍ଥାରେ ଅଛି । ଯେତେବେଳେ ବି ଭାରତୀୟ ବ୍ୟବସ୍ଥାଗତ ଧାରା କିଛି ଏକ ପ୍ରତିବନ୍ଧକର ସାମ୍ନା କରିଛି ସେତେବେଳେ ବଡ଼ ବଡ଼ ସାହିତି୍ୟକମାନଙ୍କ ଲେଖା ହିଁ ଦେଖାଇଆସିଛି ବାଟ । ଭାରତର ସଂହତି ସ୍ଥାପନ କ୍ଷେତ୍ରରେ ଭାଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଓଡ଼ିଆ, ତାମିଲ, ଅହମିଆ, କାଶ୍ମୀର ଆଦି ପ୍ରାଦେଶିକ ସ୍ତରର ଭାଷା କେବେବି ବିରୁଦ୍ଧାତ୍ମକ ଚିନ୍ତାଧାରାକୁ ପ୍ରଶ୍ରୟ ଦେଇନଥାନ୍ତି ।

ସଂହତି ସ୍ଥାପନ କ୍ଷେତ୍ରରେ ଭାଷାମାନଙ୍କର ରହିଛି ପ୍ରମୁଖ ଭୂମିକା । ତେଣୁ ଭାରତ ଭାଷା ସଂଗମର ଦେଶ । ଦୈନିକ ‘ନିର୍ଭୟ’ର ୧୩ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନିଜ ଭାଷଣ ପ୍ରଦାନ କଲାବେଳେ ହିନ୍ଦୀ ସାହିତ୍ୟର ପ୍ରମୁଖ କବି ଓ ସମାଲୋଚକ ଡ. ଓମ୍ ନିଶ୍ଚଳ ଭାଷା ରାଷ୍ଟ୍ରକୁ ଗୋଟିଏ ସୂତ୍ରରେ ବାନ୍ଧିବାର କାମ କରିଆସିଛି ବୋଲି ଦୃଢ଼ତାର ସହ କହିଥିଲେ । ଭାଷା ସାହିତ୍ୟ ସହିତ ସାମ୍ବାଦିକତାର ଏକ ପ୍ରଚ୍ଛନ୍ନ ସମ୍ପର୍କ ଥିବା ବିଷୟ ଏକାଧିକ ଉଦାହରଣ ଦେଇ ରଖିବା ବେଳେ ସେ ଜୋର ଦେଇ କହିଥିଲେ ଯେ, ଯେତେବେଳେ ରାଜନେତାମାନେ ବାଟ ହୁଡ଼ନ୍ତି ବା ବାଟବଣା ହୋଇଯାଆନ୍ତି ସେମାନଙ୍କ ହାତ ସେତିକିବେଳେ ସାହିତି୍ୟକମାନେ ହିଁ ଧରିନେଇଥାନ୍ତି । ନିଜ କିଶୋର ଅବସ୍ଥାରୁ ସକାଳର ଦୈନିକ ଖବରକାଗଜର ମହମହ ବାସ୍ନା ତାଙ୍କୁ କିପରି ଆକୃଷ୍ଟ କରି ତା’ ମଧ୍ୟରେ ଥିବା ଖବର ଓ ଫିଚର ପୃଷ୍ଠା ପ୍ରତି ସମ୍ମୋହିତ କରି ଆସିଥିଲା ସେ ବିଷୟ କହିଥିଲେ । ନିଜ ଦ୍ୱାରା ଲିଖିତ କବିତା ଓ ଦୋହାର ବ୍ୟବହାର ଭାଷଣରେ କରି ଏହାକୁ ଖୁବ୍ ଦର୍ଶକ ଆଦୃତି ସେ କରିପାରିଥିଲେ ।

ଦୈନିକ ‘ନିର୍ଭୟ’ର ସମ୍ପାଦକ ନବୀନ ଦାସଙ୍କ ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ, ସତ ଲେଖିବାର ସାହସ ତାଙ୍କୁ ଏକ ଭିନ୍ନ ପରିଚୟ ପ୍ରଦାନ କରିପାରିଛି । ବ୍ୟବସ୍ଥିତ ମିଡିଆକୁ ଶିଳ୍ପ ଓ ରାଜନୈତିକ ବ୍ୟକ୍ତି କଣ୍ଠରୋଧ କରିବାର ପ୍ରୟୋସ କରୁଥିଲେ ମଧ୍ୟ ଏବେ ସୋସିଆଲ ମିଡିଆ ସାମ୍ବାଦିକତା ଖବର ପ୍ରକାଶନର ଧାରାକୁ ଭିନ୍ନ ରୂପ ପ୍ରଦାନ କରିଛି । ତେବେ ପ୍ରତ୍ୟେକ ମଣିଷ ଜଣେ ଜଣେ ସାମ୍ବାଦିକ ହୋଇସାରିଛନ୍ତି ବୋଲି କହିଥିଲେ । ସରକାରଙ୍କ ମୁଖପତ୍ର କିଛି ସମ୍ବାଦପତ୍ର ପାଲଟି ଯାଇଛନ୍ତି ସତ, ହେଲେ ଏବେବି କଷ୍ଟପୂର୍ଣ୍ଣ ନିରପେକ୍ଷତା ରିପୋର୍ଟିଂ କାଏମ ରହିଛି । ସାମ୍ବାଦିକର କଲମ ସବୁବେଳେ ସ୍ୱତନ୍ତ୍ର ଉପସ୍ଥାପନା ଓ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସ୍ତୁତି ପାଇଁ ଲଗାଯିବାର ଆବଶ୍ୟକତା ରହିଛି ବୋଲି କହିବା ସହ ନିର୍ଭୟ ସାମ୍ବାଦିକତାର ଏକ ସୁଖଦ ଭବିଷ୍ୟତ ଅଛି ସେ ବୋଲି କହିଥିଲେ ।

ଦୈନିକ ନିର୍ଭୟ’ର ସମ୍ପାଦକ ନବୀନ ଦାସଙ୍କ ସଭାପତିତ୍ୱରେ ଶୁକ୍ରବାର ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ଡ. ଚଣ୍ଡିପ୍ରସାଦ ନନ୍ଦ ଆଂଚଳିକତାବାଦର ଭବିଷ୍ୟତ ବାବଦରେ ବିଶେଷ ଆଲୋଚନା କରିଥିଲେ । ମୁଁ କେଉଁଠି ଅଛି, ମୋ’ ଅଂଚଳ କଥା କିଏ କହୁଛି? ଏକଥା ପଚାରିଲା ବେଳେ ମୋ’ ସମ୍ବଳ ଉପରେ କିଏ ନିଷ୍ପତି ନେଉଛି?ର ପ୍ରଶ୍ନ ଏବେ ସ୍ୱାଭାବିକ ଭାବରେ ମୁଣ୍ଡ ଟେକୁଛି । ଅତୀତରେ ଆଂଚଳିକତାବାଦ ମୁଖ୍ୟତଃ ଭାଷା, ସଂସ୍କୃତି, ଐତିହାସିକ ସ୍ମୃତି ଉପରେ ଆଧାରିତ ଥିଲା । ହେଲେ ଏବେ ଏହା ପରିବର୍ତିତ ହୋଇ ସମ୍ବଳ, ପରିବେଶ, ଆର୍ଥିକ ଶକ୍ତି ଓ ପ୍ରଯୁକ୍ତିବିଦ୍ୟା ଆଡ଼କୁ ଚାଲିଆସିସାରିଛି । କିପରି ଆମ ଆଂଚଳିକ ଭାଷା ଓ ସାଂସ୍କୃତିକ ଭାବବିନ୍ଦୁ ରାଜନୈତିକ ଦାବିରେ ପରିଣତ ହୋଇ ଆମକୁ ୧୯୩୬ ମସିହାରେ ଭାଷାଭିତିକ ସ୍ୱତନ୍ତ୍ର ରାଜ୍ୟର ପରିଚୟ ଦେଇଥିଲା ସେ କଥା କହିଥିଲେ ।

ଖଣିଜ ସମ୍ପଦର ମୂଲ୍ୟକୁ କିପରି ବଂଟନ କରାଯିବ ତାହାକୁ କିଏ ସ୍ଥିର କରିବ ତାହା ମଧ୍ୟ ଏକ ସମ୍ପଦ ସଂଘୀୟତାର ଧାରା ସୃଷ୍ଟି କରିଛି ଏହି ଆଂଚଳିକତାବାଦ ଭିତରେ । ସେ ତାଙ୍କ ଭାଷଣରେ କହିଥିଲେ ଆଂଚଳିକତା ଏକ ଅବଦ୍ଧ ଦୁର୍ଗରେ ପରିଣତ ହେବାର ଆବଶ୍ୟକତା ନାହିଁ, ବରଂ ଏହା ପାରସ୍ପରିକ ଆଲୋଚନା ଓ ବୁଝାମଣାର ମାଧ୍ୟମ ହେଉ ।

ରାଜ୍ୟର ଅନ୍ୟତମ ପ୍ରମୁଖ ସାମ୍ବାଦିକ ତଥା ‘ନ୍ୟାସନାଲ ବିକନ’ର ସମ୍ପାଦକ ଦିଲ୍ଲୀପ କୁମାର ବିଶୋୟୀ ଅତିଥି ଭାବରେ ସାମିଲ ହୋଇ ନିଜ ଭାଷଣ ରଖିଲା ବେଳେ କହିଥିଲେ ସ୍ଥାନୀୟ ମଣିଷର ଆଶା, ଆକାଂକ୍ଷା ପାଇଁ ଠିଆ ହେବା ସ୍ୱାଭାବିକ ଭାବରେ ଆଂଚଳିକତାବାଦର ସୂତ୍ରକୁ ମଜଭୁତ କରନ୍ତି । କିପରି ଓଡ଼ିଶାର ଭାଷାକୁ ନେଇ ଦୁର୍ବାର ଆନ୍ଦୋଳନ ବ୍ରିଟିଶ ସରକାରଙ୍କୁ ଭାଷାଭିତିକ ରାଜ୍ୟ ସ୍ୱୀକୃତି ପାଇଁ ବାଧ୍ୟ କରିଥିଲା ସେ ବିଷୟରେ କହିବା ସାଙ୍ଗକୁ ଅଞ୍ଚଳ ପ୍ରତି ଅନ୍ୟାୟ କରାଯିବା ମଧ୍ୟ ଦେଶରେ ଆଂଚଳିକତାବାଦର ଧାରାକୁ ପରିପୁଷ୍ଟ କରିଆସିଛି । ସେଥିପାଇଁ ଏନଟି ରାମାରାଓଙ୍କ ଦ୍ୱାରା ତେଲୁଗୁଦେଶମ ଦଳର ସ୍ଥାପନା କଥା କହିଥିଲେ । ଅଂଚଳକୁ ସମ୍ମାନ ନଦେଲେ ଆଂଚଳିକତାବାଦ କେଉଁ ରୂପ ନେବ ତାହା କେହି କହିପାରିବ ନାହିଁ ବୋଲି ସେ କହିଥିଲେ । ସେଇଥିପାଇଁ ସମ୍ବିଧାନ ପ୍ରଣେତାମାନେ ରାଜ୍ୟମାନଙ୍କୁ ସ୍ୱାଧୀନତାର ଧାରା ପ୍ରଦାନ କରିଥିଲେ । ଏବେ ଏହାକୁ ସଂକୁଚିତ କରାଯାଉଛି । ଯାହା ଯେ ବିସ୍ଫୋରକ ରୂପ ନେଇପାରେ ବୋଲି ସେ ଏକ ପ୍ରକାର ସତର୍କ ମଧ୍ୟ କରାଇଥିଲେ ।

‘ନିର୍ଭୟ’ ବାର୍ଷିକ ଉତ୍ସବ ଅବସରରେ ରାଜ୍ୟ ଓ ଦେଶରେ ନିଶା ନିବାରଣ ପାଇଁ ଅଭିଯାନ ଚଳାଇଥିବା ଶତାୟୁ ପୁରୁଷ ପଦ୍ମଚରଣ ନାୟକଙ୍କୁ ‘ନିର୍ଭୟ ଓଡ଼ିଶା ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା । ସେହିପରି ଛତିଶଗଡ଼ ବସ୍ତର ଅଂଚଳର ଅତ୍ୟନ୍ତ ଲୋକପ୍ରିୟ ସାମ୍ବାଦିକ ବିକାଶ ତିୱାରୀ ଓ ଓଡ଼ିଶାର ଅନୁଭବି ସାମ୍ବାଦିକ ତଥା ଶିଶୁ ସାହିତି୍ୟକ ବଙ୍କିମ ଚନ୍ଦ୍ର ନାୟକଙ୍କୁ ‘ନିର୍ଭୟ ସତୀର୍ଥ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ‘ନିର୍ଭୟ’ର ଝାରସୁଗୁଡ଼ା ଖବରଦାତା ନୀଳେନ୍ଦ୍ର କୁମାର ଗଜେନ୍ଦ୍ର ଏବଂ ପାଣିକୋଇଲି ଖବରଦାତା ତାରିଣୀ କୁମାର ପଟ୍ଟନାୟକ ବାର୍ଷିକ ଉତ୍ସବରେ ଶ୍ରେଷ୍ଠ ଖବରଦାତା ଭାବେ ସମ୍ମାନିତ ହୋଇଥିଲେ । ‘ନିର୍ଭୟ’ର ସହଯୋଗୀ ସମ୍ପାଦକ ସଂବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ପୂର୍ବତନ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଦେବାଶିଷ ନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସହିତ ରାଜ୍ୟର ବହୁ ପ୍ରମୁଖ ରାଜନେତା, ଶିକ୍ଷାବିତ, ସାମ୍ବାଦିକ ଓ ‘ନିର୍ଭୟ’ର ଶୁଭେଚ୍ଛୁ ସାମିଲ ହୋଇଥିଲେ ।

ଗାନ୍ଧିଙ୍କ କଥା ମାନନ୍ତୁ : ପଦ୍ମଚରଣ

ବୟସ ଶତକ ପାର ହୋଇସାରିଥିଲେ ମଧ୍ୟ ଏବେବି ଚଳଚଂଚଳ ଅଛନ୍ତି ପଦ୍ମଚରଣ ନାୟକ । ଶିକ୍ଷା ପ୍ରଦାନ ଧାରାରୁ ଅବ୍ୟାହତି ନେଇ ରାଜନୈତିକ ଜୀବନରେ ସେ ପ୍ରବେଶ କରିଥିଲେ । ବିଧାୟକ ମଧ୍ୟ ହୋଇଥିଲେ । ତେବେ ବର୍ତମାନ ସମସ୍ତ ଧାରା ଛାଡ଼ି ଓଡ଼ିଶା ଓ ଭାରତ କିଭଳି ନିଶାମୁକ୍ତ ହୋଇପାରିବ ସେ ଦିଗରେ କରୁଛନ୍ତି ପ୍ରଚେଷ୍ଟା । ତାଙ୍କ ନିଶାନିବାରଣ ଅଭିଯାନ ବ୍ୟାପକ ରୂପ ପାଇସାରିଲାଣି । ଶୁକ୍ରବାର ‘ନିର୍ଭୟ ଓଡ଼ିଶା ଗୌରବ ସମ୍ମାନ’ ହାସଲ କରି ସେ କୃତଜ୍ଞତା ଜଣାଇଲା ବେଳେ କହିଥିଲେ ଆମେ ମହାତ୍ମା ଗାନ୍ଧିଙ୍କୁ ଜାତିର ପିତା ବୋଲି କହୁଛେ ହେଲେ ତାଙ୍କ କଥା ଆମେ ଶୁଣୁନାହୁଁ । ନିଶା ନିବାରଣ ଗାନ୍ଧିଜୀଙ୍କ ଏକ ବଡ଼ ଅଭିଯାନ ଥିଲା । ପଦ୍ମଚରଣ ଅନୁରୋଧ କରିଥିଲେ ସମସ୍ତେ ଗାନ୍ଧିଙ୍କ କଥା ମାନନ୍ତୁ ବୋଲି ।

ଭାବ ଓ ଭାବନା କାର୍ଯ୍ୟକ୍ରମରେ ଚମକାଇଲେ ବିଭିନ୍ନ ପେସାର ମଣିଷ

ନିର୍ଭୟ ବାର୍ଷିକ ଉତ୍ସବର ମୁଖ୍ୟ ଅଧିବେଶନ ପରେ ତୁରନ୍ତ ଆରମ୍ଭ ହୋଇଥିଲା ଦ୍ୱିତୀୟ ଅଧିବେଶନ ‘ଭାବ ଓ ଭାବନା’ ଶୀର୍ଷକରେ । ଭାରତୀୟ ନୌସେନାରେ କାର୍ଯ୍ୟ କରିଥିବା ମଣିଷଙ୍କଠୁ ନେଇ ଶିଳ୍ପ ବିଭାଗ, ଅମ୍ପାୟାରିଂ ଓ ଆଇନଗତ ସେବା ତଥା ସାମ୍ବାଦିକତା ସାଙ୍ଗକୁ ସମାଜ ସେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ନିଜ ପରିବେଷଣ ଦ୍ୱାରା ସମସ୍ତଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲେ । ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ ତଥା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ପ୍ରମୁଖ ବ୍ୟକ୍ତି ସତ୍ୟଜିତ ପ୍ରତିହାରୀଙ୍କ ଜଗନ୍ନାଥ ଜଣାଣ ସୁନ୍ଦର ଆବାହନ ଘଟାଇଥିଲା କାର୍ଯ୍ୟକ୍ରମରେ । ଶିଳ୍ପ ବିଭାଗରେ କାର୍ଯ୍ୟ କରି ଅବସର ନେଇଥିବା ଅମର ମହାପାତ୍ର ଅକ୍ଷୟ ମହାନ୍ତିଙ୍କ ଗୀତ, ଅମ୍ପାୟାର ଅନନ୍ତ ବାସୁଦେବ ମିଶ୍ର ମୁକେଶଙ୍କ ଗୀତ ଏବଂ ବଦ୍ରି ମିଶ୍ର ତାଙ୍କ ଗୀତ ଓ କବିତା ଶୁଣାଇଥିଲା ବେଳେ ସାମ୍ବାଦିକ ସ୍ୱପ୍ନ କୁମାର ସାହୁ ନିଜ କାହାଣୀ ଦ୍ୱାରା ସମସ୍ତଙ୍କ ମନକୁ ଭିଜାଇଥିଲେ ।

Leave a Reply

Your email address will not be published. Required fields are marked *