ବନ୍ଧୁକ ମୁନରେ ଅଳଙ୍କାର ଲୁଟ୍ ଘଟଣାର ପର୍ଦା ଫାଶ , ଅଭିଯୁକ୍ତ ଯୁବକ ଗିରଫ, ଲୁଟ ହୋଇଥିବା ସମସ୍ତ ଗହଣା ଜବତ

ଡକାୟତି ରେ ବ୍ୟବହୃତ ବନ୍ଧୁକ , ଏକ ମୋଟର ସାଇକେଲ ଓ ଅନ୍ୟ ସାମଗ୍ରୀ ବି ଜବତ

ପାରାଦ୍ବୀପ,୨୭/୦୯/୨୦୨୬ (ଓଡ଼ିଶା ସମାଚାର)-ଗତକାଲି ତାରେଣୀଗଡ଼ା ନିକଟରେ ଥିବା ସାଧନା ଜୁଏଲାରୀରୁ ବନ୍ଧୁକ ଦେଖାଇ ୨୩ଟି ସୁନା ମୁଦି ଲୁଟ ହୋଇଥିଲା। ବନ୍ଧୁକ ମୁନରେ ଏହି ଅଳଙ୍କାର ଲୁଟ୍ ଘଟଣାରେ ପାରାଦ୍ଵୀପ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତ ଧରାପଡିବା ସହ ତା’ ନିକଟରୁ ପୋଲିସ ଲୁଟ ହୋଇଥିବା ସମସ୍ତ ଅଳଙ୍କାର ଜବତ କରିଛି। ଡକାୟତି ରେ ବ୍ୟବହୃତ ବନ୍ଧୁକ , ଏକ ମୋଟର ସାଇକେଲ ଓ ଅନ୍ୟ ସାମଗ୍ରୀ ବି ଜବତ କରିଛି ପୋଲିସ। ଗିରଫ ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ସିଙ୍ଗଲା ଥାନା ସେନ୍ଦୀରି ଗ୍ରାମର ତୁଷାର କୁମାର ସାହୁ।
ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମାଙ୍କ ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିଙ୍ଗଲା ଥାନା ସେନ୍ଦୀରି ଗ୍ରାମର ତୁଷାର କୁମାର ସାହୁ ପାରାଦୀପ ତାରେଣୀଗଡ଼ା ନିକଟରେ ରହି ଏକ କମ୍ପାନୀରେ ସୁପରଭାଇଜର ଭାବେ କାର୍ୟ୍ୟ କରୁଥିଲେ। ଅନଲାଇନରେ ଏକ ବନ୍ଧୁକ ମଗାଇ ଦିନକ ପୂର୍ବରୁ ସାଧନା ଜୁଏଲାରୀକୁ ଯାଇ ମୁଦି କିଣିବା ବାହାନାରେ ରେକି କରିଥିଲେ। ଠିକ୍ ଦିନକ ପରେ ଉକ୍ତ ଦୋକାନକୁ ଯାଇ ଦୋକାନରେ ଥିବା ଦୁଇ ମହିଳା କର୍ମଚାରୀଙ୍କୁ ଧମକାଇ ବନ୍ଧୁକ ମୁନରେ ୨୩ଟି ସୁନା ମୁଦି ଲୁଟ କରି ଚାଲିଯାଇଥିଲେ। ଏସପି ଅଙ୍କିତ କୁମାର ବର୍ମାଙ୍କ ନେତୃତ୍ବରେ ଚାରିଟି ପୋଲିସ ଟିମ୍ ଗଠନ ହେବା ସହ ସିସିଟିଭି ଫୁଟେଜ ଓ ସ୍ଥାନୀୟ ଲୋକଙ୍କୁ ପଚାରି ଉକ୍ତ ଲୁଟେରାକୁ ଧରିବାରେ ସଫଳ ହୋଇଛି ପୋଲିସ।

Leave a Reply

Your email address will not be published. Required fields are marked *