ନିଗମ କଳ୍ପତରୁ ଆଶ୍ରମରେ ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ
ଭୁବନେଶ୍ୱର,୧୦/୦୭/୨୦୨୫ (ଓଡ଼ିଶା ସମାଚାର)-ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପ୍ରତିଷ୍ଠିତ ନିଗମ କଳ୍ପତରୁ ଆଶ୍ରମ ରୁଦ୍ରବିହାର ଠାରେ ଗୁରୁବାର ଦିନ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପୂଜ୍ୟ ସ୍ୱାମିଜୀଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରଫେସର ବୈଷ୍ଣବ ଚରଣ ସାମଲ କହିଲେ ଯେ, ଆମ ସଂସ୍କୃତିରେ ଗୁରୁ ପୂଜନ ଏଭଳି ଏକ ବ୍ୟବସ୍ଥା ସମଗ୍ର ପୃଥିବୀରେ କେବଳ ଭାରତବର୍ଷରେ ହିଁ ଦେଖା ଦେଇଥାଏ । ଆମେ ଗୁରୁଙ୍କୁ କେବଳ ଶିକ୍ଷାଦାତା ଭାବେ ସମ୍ମାନ କରୁନାହୁଁ, ଗୁରୁଙ୍କୁ ସାକ୍ଷାତ ଈଶ୍ୱର ଭାବରେ ଆମେ ସମ୍ମାନିତ କରିଥାଉ । ଆଶୀର୍ବଚନରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ଭାରତବର୍ଷର ଗୁରୁ ପରମ୍ପରା ଅନନ୍ୟ । ଭଗବାନ ବେଦବ୍ୟାସଙ୍କ ଠାରୁ ଗୁରୁ ପରମ୍ପରା ଆରମ୍ଭ ହୋଇଛି । ସେହିକ୍ରମରେ ଆଚାର୍ଯ୍ୟ ଆଦିଶଙ୍କର ଦଶନାମୀ ସମ୍ପ୍ରଦାୟ ସୃଷ୍ଟି କରି ଭାରତବର୍ଷର ଧାର୍ମିକ ବ୍ୟବସ୍ଥାକୁ ସୁସଂହତ କରିଛନ୍ତି ।
ସମ୍ମାନିତ ଅତିଥି, ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ, ପ୍ରଫେସର ବ୍ରଜବନ୍ଧୁ ପଣ୍ଡା ଓ ପାର୍ଥସାରଥୀ ଅଜୟ ବାରିକ ଗୁରୁଙ୍କ ପ୍ରତି ସମ୍ମାନ ଜଣାଇ କହିଲେ ଯେ, ମାତା ହେଉଛନ୍ତି ଆମର ପ୍ରଥମ ଗୁରୁ । ଆମେ ଆମ ସମାଜରେ ମାତାପିତାଙ୍କ ପରେ, ଆଚାର୍ଯ୍ୟଙ୍କୁ ଗୁରୁ ଭାବରେ ଗ୍ରହଣ କରିଥାଉ, କିନ୍ତୁ ଅତିଥି ମଧ୍ୟ ଗୁରୁଙ୍କ ପଦବାଚ୍ୟ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ପ୍ରଶାସକ ବିନୋଦ ବିହାରୀ ନାୟକ, ସହଦେବ ଜୟସିଂ, ସ୍ୱାମୀ ବ୍ରହ୍ମାନନ୍ଦଙ୍କ ବିଚାରଧାରା ଆଜିର ଯୁବ ସମାଜକୁ ନିଶ୍ଚିତ ପ୍ରଭାବିତ କରିବ ବୋଲି କହିଥିଲେ । ପ୍ରଫେସର ଡ. ଅଶୋକ ମିଶ୍ର, ଶ୍ରୀ ସନ୍ନ୍ୟାସୀ, ଅଧ୍ୟାପକ ବିଶ୍ୱରଞ୍ଜନ ଓ ଡ. ଅସିତ ମହାନ୍ତି କହିଲେ ଯେ, ଆମ ସମାଜରେ ଗୁରୁଙ୍କୁ ଭଗବାନଙ୍କ ଭଳି ସମ୍ମାନ ଦିଆଯାଇଥାଏ । ତାର କାରଣ ସେ କେବଳ ଶିକ୍ଷାଦାତା ନୁହଁନ୍ତି, ସେ ଶିଷ୍ୟର ବା ଛାତ୍ରର କଲ୍ୟାଣ ସବୁବେଳେ ଚିନ୍ତା କରିଥାନ୍ତି ।
ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଅଭିନେତା ବିନାୟକ ମିଶ୍ର, ସଙ୍ଗୀତଜ୍ଞ ଚିତରଞ୍ଜନ ପାଣି, ଡ. ବିଜୟାନନ୍ଦ ସିଂ, ଇଂ ବିନୟ ଭୂଷଣ ଭୂୟାଁ ତାଙ୍କ ବକ୍ତବ୍ୟରେ ଆଜିର ସମାଜରେ ଗୁରୁମାନେ ଠିକଣା ଭାବେ ତାଙ୍କର କର୍ତବ୍ୟ ସମ୍ପାଦନ କରୁନଥିବାରୁ ସମାଜରେ ନିନ୍ଦିତ ହେଉଛନ୍ତି ବୋଲି ସେମାନେ କହିଥିଲେ । ସୁଶ୍ରୀ ଅରୁନ୍ଧତୀ ଦେବୀ, ପୂର୍ବ ପ୍ରଶାସକ ମିହିର ପଟ୍ଟନାୟକ, ଇଂ ସନ୍ତୋଷ ସ୍ୱାଇଁ, ଡ. ଦୀନବନ୍ଧୁ ମହାରଣା, ଅମରେନ୍ଦ୍ର ମହାପାତ୍ର ଓ ଡ. ମନୋଜ ଲେଙ୍କା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ସର୍ବଧର୍ମ ସମନ୍ୱୟ ବିଚାରଧାରାର ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆଶ୍ରମର ବାବା ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ପରିଚାଳନା କରିବା ସହ ଶ୍ରୀଜଗନ୍ନାଥ ଭଜନ ଓ ଗୁରୁ ବନ୍ଦନା ଗାନ କରିଥିଲେ ।
