ମୋଟ ୮୯ଟି ଅଭିଯୋଗ ପଞ୍ଜୀକୃତ, ଘଟଣାସ୍ଥଳରେ ୩୪ଟିର ତ୍ୱରିତ ସମାଧାନ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (CMRF) ସହାୟତା ପାଇଁ ଆସିଲା ୨୬ଟି ଆବେଦନ
ଯାଜପୁର,୨୩/୧୧/୨୦୨୬(ଓଡ଼ିଶା ସମାଚାର) – ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରସୁଲପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ସେମାନଙ୍କର ବ୍ୟକ୍ତିଗତ ତଥା ସାମୂହିକ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଶିବିରରେ ମୋଟ ୮୯ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିବା ବେଳେ, ସେଥିମଧ୍ୟରୁ ୬୦ଟି ବ୍ୟକ୍ତିଗତ ସମସ୍ୟା ଓ ୩ଟି ସାମୂହିକ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ରହିଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (CMRF) ରୁ ଆର୍ଥିକ ସହାୟତା ପାଇବା ପାଇଁ ୨୬ଟି ଆବେଦନ ପତ୍ର ପ୍ରାପ୍ତ ହୋଇଥିଲା।
ଅଭିଯୋଗଗୁଡ଼ିକର ଗୁରୁତ୍ୱକୁ ବିଚାର କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ହିଁ ୩୪ଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା। ବାକି ରହିଥିବା ଅଭିଯୋଗଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜିର ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଯୁଧିଷ୍ଠିର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO) ଡା. ନଗେନ୍ଦ୍ରନାଥ ମହାପାତ୍ର, ଡେପୁଟି କଲେକ୍ଟର ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ସାରସ୍ୱତ ସାହୁ, ରସୁଲପୁର ବିଡିଓ ଜ୍ୟୋତିର୍ମୟ କର ଏବଂ ରସୁଲପୁର ତହସିଲଦାର ସିଦ୍ଧାର୍ଥ କୁମାର ବେହେରାଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ।
-0-
ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଯାଜପୁର ଙ୍କ ସୌଜନ୍ୟ ରୁ
