କେନ୍ଦ୍ରାପଡ଼ା,୨୬/୦୭/୨୦୨୫ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାରେ ଚାରିଦିନ ତଳେ ଯୋଗଦେଇଥିବା ନୂତନ ଜିଲାପାଳ ରଘୁରାମ ଆର ଆୟାର ଶନିବାର ବନ୍ୟା ପ୍ରଭାବିତ ଆଳି ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରୀକ୍ଷା କରିଛନ୍ତି । ନଦୀ ପାଶ୍ୱର୍ବର୍ତୀ ଅଞ୍ଚଳର ଲୋକମାନେ କିପରି ସମସ୍ୟାରେ ଅଛନ୍ତି ତାହା ଜିଲାପାଳ ଦେଖିଥିଲେ । ତେଣୁ ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।
ସେହିପରି ବନ୍ୟା ଯୋଗୁ କେତେକ ଗ୍ରାମରେ କୁମ୍ଭୀର ରାସ୍ତା ଓ ବାଡିରେ ବୁଲୁଥିବା ଜିଲାପାଳଙ୍କୁ ଗ୍ରାମବାସୀମାନେ କହିଥିଲେ । ତେଣୁ ଜିଲାପାଳ ଏ ନେଇ ବନ ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ ତୁରନ୍ତ ଲୋକମାନଙ୍କ ଜୀବନ ଯେପରି ବିପଦରେ ନ ପଡେ ସେଥିପ୍ରତି ପଦକ୍ଷେପ ନେବାକୁ । ବନ ବିଭାଗ ପକ୍ଷରୁ ଦୁଇଟି କୁମ୍ଭୀର ଉଦ୍ଧାର କରାଯାଇଛି । ସେହିପରି ଜଳ ପ୍ଲାବିତ ଅଞ୍ଚଳରେ କିପରି ଗୋଖାଦ୍ୟ ପହଞ୍ଚି ପାରିବ ସେ ନେଇ ମଧ୍ୟ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ ।
ବନ୍ୟାଞ୍ଚଳ ଗସ୍ତ ସାରି ଆସିବା ପରେ ଜଳ ପ୍ଲାବିତ ଗ୍ରାମଗୁଡିକରେ ଲୋକମାନେ କିପରି ବିପଦରେ ନ ପଡିବେ ସେ ନେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ଜିଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ବନ୍ୟାଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ଏଭଳି ଘଟଣା ଯେପରି ଆଉ ନ ଘରେ ସେଥିପ୍ରତି ସଜାଗ ରହିବା ପାଇଁ ଜିଲାପାଳ ସ୍ଥାନୀୟ ବିଡିଓ ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା (ସାଧାରଣ) ଓ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ(ରାଜସ୍ୱ), ଆଳି ଓ ପଟ୍ଟାମୁଣ୍ଡାଇ ବିଡ଼ିଓ, ତହସିଲଦାର ଏବଂ ସମସ୍ତ ଲାଇନ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
