ଓଡ଼ିଶା ବନ୍ଦ ର ପ୍ରଭାବ, ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ନେତା ଓ କର୍ମୀ

ମାହାଙ୍ଗା,୦୮/୧୦/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା)-ଇଣ୍ଡି ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ମାହାଙ୍ଗା ଅଞ୍ଚଳରେ ଅନୁଭୂତ ହୋଇଛି। ବନ୍ଦ ସମର୍ଥନରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ବିଭିନ୍ନ ଦଳର ନେତା ଓ କର୍ମୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏହାର ପ୍ରଭାବରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବଜାରରେ ଦୋକାନବଜାର ବନ୍ଦ ରହିଥିବା ବେଳେ,ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା।

ଗୁରୁବାର ସକାଳୁ ବନ୍ଦ ସମର୍ଥକମାନେ ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ବଜାର ପରିକ୍ରମା କରିବା ସହ ବ୍ୟବସାୟୀମାନଙ୍କୁ ଦୋକାନ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ। ପରେ ବିଭିନ୍ନ ଛକ ଓ ପ୍ରମୁଖ ରାସ୍ତାରେ ଧାରଣା ଦେଇ ରାସ୍ତାରୋକ କରିଥିଲେ। ଆନ୍ଦୋଳନକାରୀମାନେ ସରକାର ବିରୋଧୀ ନାରାବାଜି କରିବା ସହ,ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ। ବିଜେପି ଭୋଟ ଚୋରୀ  କରି କ୍ଷମତାକୁ ଆସିବା ପଛରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଦାୟୀ ହୋଇଥିବାରୁ ତାଙ୍କ ଇସ୍ତଫା ଓ ଗିରଫଦାରୀ ପାଇଁ ଦାବି ହୋଇଥିଲା ।

  ଦରଦାମ ବୃଦ୍ଧି, ଇ-ଟୋଣ୍ଟି ପେଟ୍ରୋଲ ଓ ଡିଜେଲ ଯୋଗୁଁ ଗାଡି ଗୁଡିକ ନଷ୍ଟ ହେବାକୁ ବସିଥିବାରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଥିଲା । ଓଡ଼ିଶାରେ ନାରୀ ନିର୍ଯ୍ୟାତନା ବଢ଼ି ବଢ଼ି ଚାଲିଛି, ଆଜି ମହିଳା ସୁରକ୍ଷିତ ନୁହନ୍ତି । ରାଜ୍ୟରେ ଆଇନୀ ଶୃଙ୍ଖଳା ଭୁଷୁଡ଼ି ପଡ଼ିଲାଣି । ଦରଦାମ କଥା ନକହିବା ଭଲ । ବେକାରୀ ସମସ୍ୟା ଅସମ୍ଭାଳ । ନୂଆ ଏମ ଏମ ଡି ଆର ନିତି ଯୋଗୁଁ ରାଜ୍ୟର ଆର୍ଥିକ ସ୍ୱାଧୀନତା ଛଡାଇ ନିଆଯିବା ଏବଂ କେନ୍ଦ୍ରର ମନମାନୀକୁ ଆଉ ବରଦାସ୍ତ କରାଯିବନି ବୋଲି ଆନ୍ଦୋଳନ କାରୀ ନେତାମାନେ ପଥ ପ୍ରାନ୍ତ ସଭାରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ଏହି ଆନ୍ଦୋଳନରେ ଇଣ୍ଡିଆ ମେଣ୍ଟର ବିଭିନ୍ନ ଦଳର ସ୍ଥାନୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ବ୍ଲକ କଂଗ୍ରେସ ସଭାପତି ଆଇନୀଜୀବୀ ଦୀପକ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନ ସଫଳ ହେବା କୁହା ଯାଉଛି ।

 ମାହାଙ୍ଗା କଂଗ୍ରେସ ନେତା ମସୁଦ ଅଲି ମଧ୍ୟ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ସାମିଲ ହୋଇଥିଲେ।

ବନ୍ଦକୁ ନେଇ ମାହାଙ୍ଗାର ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ଧାରଣା ଯୋଗୁଁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଦୈନନ୍ଦିନ ଜୀବନଯାପନ ପାଇଁ ବାହାରକୁ ବାହାରିଥିବା ଲୋକମାନେ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଥିଲେ। ତେବେ ବନ୍ଦ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିଥିବା ନେଇ ସୂଚନା ମିଳିନାହିଁ। ପୋଲିସ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ସକ୍ଷମ ହୋଇଥିଲା ।

Leave a Reply

Your email address will not be published. Required fields are marked *