ମଦମୁକ୍ତି ଯୁବବାହିନୀ ପକ୍ଷରୁ ମଧୁସୂଦନ ପାର୍କରେ  ପ୍ରଭାତଫେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୨୨/୧୧/୨୦୨୬(ଓଡ଼ିଶା ସମାଚାର) –  ଭୁବନେଶ୍ୱର ଗଣ୍ଡମୁଣ୍ଡା ସ୍ଥିତ ମଧୁସୂଦନ ପାର୍କ ଠାରେ ମଦମୁକ୍ତି ଯୁବବାହିନୀ ପକ୍ଷରୁ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ସରକାରଙ୍କ ମଦ ନୀତି ଯୋଗୁଁ ପ୍ରତ୍ୟେକ ଦିନ ଘଟୁଥିବା ଘଟଣା ଓ ସରକାର ଏବଂ ରାଜନେତାମାନେ କିପରି ଏହି ଗମ୍ଭୀର ସମସ୍ୟାକୁ ଅଣଦେଖା କରିଚାଲିଛନ୍ତି ତାହାକୁ ସଙ୍ଗଠନର ସଦସ୍ୟମାନେ ପ୍ଲା-କାର୍ଡ଼ ଓ ଗୀତ ମାଧ୍ୟମରେ5ପାର୍କ ସାମ୍ନା ରେ ତଥା ପାର୍କ ମଧ୍ୟରେ ପରିକ୍ରମା କରି  ଉପସ୍ଥିତ ଜନସାଧାରଣଙ୍କୁ ପ୍ରଚାରପତ୍ର ପ୍ରଦାନ କରିଥିଲେ । ମଦ ଭଳି ଏକ ଅଭଦ୍ର, ଅସଭ୍ୟ ଜିନିଷ କୁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରି ଓଡ଼ିଶା ର କୋଣ ଅନୁକୋଣରେ ୪ ହଜାର ରୁ ଅଧିକ ଦୋକାନ ଖୋଲିଛନ୍ତି । ମଦ ରୁ ବହୁତ ରାଜସ୍ୱ ମିଳୁଥିବା କଥା ସମ୍ପୂର୍ଣ୍ଣ ମିଛ ।

ରାଜ୍ୟ ସରକାରଙ୍କ ମୋଟ୍ ବଜେଟ ର ମାତ୍ର ୨.୫ ରୁ ୩ ପ୍ରତିଶତ ଅବକାରୀ ବିଭାଗରୁ ମିଳିଥାଏ । ଗୁଜୁରାଟ, ବିହାର ଭଳି ଓଡ଼ିଶା ସରକାରଙ୍କୁ ଏହି ଅର୍ଥ ନମିଳିଲେ ମଧ୍ୟ ରାଜ୍ୟ ସହଜରେ ଚଳିପାରିବ । କିନ୍ତୁ ମଦ ମିଳୁଥିବା କାରଣରୁ ରାଜ୍ୟରେ ଗାଡ଼ି ଦୁର୍ଘଟଣା,ଘରୋଇ ହିଂସା, ନାରୀ ନିର୍ଯ୍ୟାତନା, ହତ୍ୟା, ବଳତ୍କାର, ଗୋଷ୍ଠୀ ସଂଘର୍ଷ ପରି ଘଟଣା ଦିନକୁ ଦିନ ବଢି ଚାଲିଛି । ଯାହାଫଳରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ରଜସ୍ୱ ହରାଉଛନ୍ତି । ତେଣୁ ରାଜସ୍ୱ ପାଇଁ ନୁହଁ ବରଂ ରାଜ୍ୟରେ କୃଷି, ରୋଜଗାର, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ମୌଳିକ ସମସ୍ୟା ଉପରୁ ଜନସାଧାରଣଙ୍କ ନଜର ହଟାଇବା ଏବଂ ଯୁବଗୋଷ୍ଠୀଙ୍କୁ ନିଶା ଦ୍ୱାରା ମାନସିକ ପଙ୍ଗୁ କରିବା ସହ ସରକାରଙ୍କୁ ଏ ସଂକ୍ରାନ୍ତ ରେ ପ୍ରଶ୍ନ ପଚାରିବାର କ୍ଷମତା ହରାଇବା ଭଳି ଷଡ଼ଯନ୍ତ୍ର କରି ରାଜ୍ୟ ସରକାର  ମଦ ବିକ୍ରି କରୁଥିବା କଥା ଯୁବାବାହିନୀ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମାସ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ରାଜ୍ୟ ର ସ୍ୱାର୍ଥ ଦୃଷ୍ଟିରୁ ମଦ ବିକ୍ରି କରିବା ଏକ ଜନମଙ୍ଗଳକାରୀ ସରକାରଙ୍କ ଲକ୍ଷଣ ନୁହେଁ, କିନ୍ତୁ ଓଡ଼ିଶା ର ଜନସାଧାରଣଙ୍କ ଅନିଚ୍ଛା ସତ୍ତ୍ୱେ ଏ ଅହଙ୍କାରୀ ସରକାର ଅଧିକରୁ ଅଧିକ ମଦ ଦୋକାନକୁ ସ୍ୱକୃତି ପ୍ରଦାନ କରୁଛନ୍ତି ।

ତେଣୁ ଏହି ବ୍ୟବସ୍ଥାଗତ ବିଶ୍ୱାସଘାତକତା ବିରୁଦ୍ଧରେ ଆଜିର ଯୁବଗୋଷ୍ଠୀ ସ୍ୱର ଉତ୍ତୋଳନ କରିବାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ଯଦୁନାଥ ସାହୁ ଉପସ୍ଥିତ ଜନସାଧାରଣଙ୍କୁ ମାନଙ୍କୁ ଅହ୍ୱାନ ଦେଇଛନ୍ତି । ଯେଉଁ ସରକାର ର ପ୍ରତ୍ୟେକ୍ଷ ସହଯୋଗ ରେ ଓଡ଼ିଶାର ଗାଁ ଗହଳି, ସହର ବଜାରରେ ୪ ହଜାର ରୁ ଅଧିକ ମଦ ଦୋକାନ ଖୋଲିଛି , ସେହି ସରକାର ହିଁ ପ୍ରବଳ ଜନମତ ର ଚାପରେ ସେଗୁଡ଼ିକୁ ବନ୍ଦ କରିପାରିବ । ଏଥିପାଇଁ ଆବଶ୍ୟକ ଜନଜାଗରଣ ର ସୂତ୍ରଧର ଓଡ଼ିଶାର ସ୍ୱାଭିମାନୀ ଯୁବକଟିଏ ହିଁ ହୋଇପାରେ । ଏଥିପାଇଁ ସେହି ଯୁବକ ମାନଙ୍କୁ ସମାଜ କଲ୍ୟାଣ ର ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଯୋଡ଼ିବା ନିମିତ୍ତ ମଦମୁକ୍ତି ଯୁବବାହିନୀ ଓଡ଼ିଶା ବିଭିନ୍ନ ବ୍ଲକ୍ ରେ “ପ୍ରଭାତଫେରି” କାର୍ଯ୍ୟକ୍ରମ ଆୟୋଜିତ କରିଥାଏ ବୋଲି ଯୁବବାହିନୀର କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଶେଖର ନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ମହାନ୍ତି, ଅରୁଣ କୁମାର ସାମନ୍ତରାୟ, ବନ୍ଦେ ମାତରମ୍, ସୁଶାନ୍ତ ମିଶ୍ର, ସତ୍ୟବାନ ସାହୁ, ପ୍ରଶାନ୍ତ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ପାଢୀଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *