ବଡ଼ଚଣା ବ୍ଲକରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ନୂଆ ଅଧ୍ୟାୟ: ଛତିଆ ଓ ଉଦୟଗିରି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଉଦ୍‌ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

୧୬ ନମ୍ବର ଜାତୀୟ ରାଜପଥରେ ଜରୁରୀକାଳୀନ ସେବା ପାଇଁ ଚଣ୍ଡିଖୋଲ ଟ୍ରମା କେୟାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ: ଡଃ ମୁକେଶ ମହାଲିଙ୍ଗ

ଯାଜପୁର,୨୨/୧୧/୨୦୨୬(ଓଡ଼ିଶା ସମାଚାର) –ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସି ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଓ ଉଦୟଗିରିଠାରେ ଦୁଇଟି ନବନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନୀ ଉତ୍ସବରେ ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀ ଅମର କୁମାର ନାୟକ, ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବରାଳ ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) ଡା. ନାଗେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଡଃ ମହାଲିଙ୍ଗ କହିଥିଲେ ଯେ, ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଉନ୍ନତ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସର୍ବଦା ପ୍ରତିବଦ୍ଧ। ବିଶେଷ କରି ଗ୍ରାମାଞ୍ଚଳର ଲୋକମାନେ ଯେପରି ନିଜ ଅଞ୍ଚଳରେ ସହଜରେ ଚିକିତ୍ସା ସୁବିଧା ପାଇପାରିବେ, ସେଥିପାଇଁ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଓ ସେବାର ସମ୍ପ୍ରସାରଣ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଛତିଆ ଓ ଉଦୟଗିରିଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତିଷ୍ଠା ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ପ୍ରକାଶ କରିଥିଲେ।

୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଅବସ୍ଥିତ ଥିବାରୁ ଏହାର ଗୁରୁତ୍ୱ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ। ଜାତୀୟ ରାଜପଥରେ ହେଉଥିବା ଦୁର୍ଘଟଣା ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଚଣ୍ଡିଖୋଲ ନିକଟରେ ଟ୍ରମା କେୟାର ସେଣ୍ଟରର କାର୍ଯ୍ୟକୁ ଖୁବ୍ ଶୀଘ୍ର ତ୍ୱରାନ୍ୱିତ କରାଯାଉଥିବା ସେ ସୂଚନା ଦେଇଥିଲେ। ଏହି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦ୍ୱାରା କେବଳ ଛତିଆ କିମ୍ବା ବଡ଼ଚଣା ନୁହେଁ, ବରଂ ପଡ଼ୋଶୀ କଟକ ଜିଲ୍ଲାର ମାହାଙ୍ଗା, ସାଲେପୁର ଓ ଟାଙ୍ଗୀ ଅଞ୍ଚଳର ଜନସାଧାରଣ ମଧ୍ୟ ବିଶେଷ ଭାବେ ଉପକୃତ ହୋଇପାରିବେ।

ଉତ୍ସବରେ ଯୋଗ ଦେଇ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ କହିଥିଲେ ଯେ, “ବିକଶିତ ବଡ଼ଚଣାକୁ ଦୃଷ୍ଟିରେ ରଖି ଏହି ୨୪ ଘଣ୍ଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦ୍‌ଘାଟନ ହେଉଛି ଏକ ବଡ଼ ପଦକ୍ଷେପ, ଯାହା ସାରା ବ୍ଲକ ଲୋକଙ୍କ ସେବାରେ ଆସିବ। ସେହିପରି ବଡ଼ଚଣାର ଆହୁରି ଉନ୍ନତି ଦିଗରେ କିଭଳି ଆମେ ଅଧିକରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପ ଆଣିପାରିବା, ତାହାକୁ ନେଇ ଆମ ଆଡ଼ୁ ପୂର୍ଣ୍ଣ ଚେଷ୍ଟା ରହିଛି।”

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗ ଦେଇଥିଲେ। ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ବିକାଶମୂଳକ ପଦକ୍ଷେପ ପାଇଁ ସ୍ଥାନୀୟ ବାସିନ୍ଦା ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏବଂ ବିଧାୟକ ଶ୍ରୀ ଅମର କୁମାର ନାୟକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ।

-0-

ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଯାଜପୁର ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *