ଚମ୍ପାନାଥ ମହୋତ୍ସବ ଉଦ୍‌ଘାଟିତ

 ନରସିଂହପୁର,୨୨/୧୧/୨୦୨୬(ଓଡ଼ିଶା ସମାଚାର) –ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଅବସରରେ କଟକ ଜିଲ୍ଲାର ପ୍ରାଚୀନ ଶୈବପୀଠ ଚମ୍ପେଶ୍ୱରସ୍ଥିତ ଚମ୍ପାନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ  ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଚମ୍ପାନାଥ ମହୋତ୍ସବ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ବିଜୟ କୁମାର ଦଳବେହେରା ମହୋତ୍ସବର ମୁଖ୍ୟ ପୁରୋଧା ରୂପେ ଯୋଗଦେଇଥିଲେ। ଏହି ଅବସରରେ ପୀଠରେ ପାରମ୍ପରିକ ଅଷ୍ଟଶମ୍ଭୁ ମେଲଣ ଅନୁଷ୍ଠିତ ହୋଇଥିଲା।

ପ୍ରତିକୂଳ ପାଗ ସତ୍ତ୍ବେ  ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ମେଲଣର ଆଧ୍ୟାତ୍ମିକ ମହତ୍ତ୍ୱକୁ ବୃଦ୍ଧି କରିଥିଲା। କାର୍ଯ୍ୟକ୍ରମରେ ନରସିଂହପୁର ଗଡ଼ଜାତର ରାଜା ଅଙ୍କିତ୍‌ ରାଜ୍ ସିଂହଦେଓ, ଧରାକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଖଣ୍ଡପଡ଼ାର ରାଜା ସିଦ୍ଧାର୍ଥ ଶେଖର ସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଓ ନିକଟସ୍ଥ ଗ୍ରାମବାସୀ ଯୋଗଦେଇଥିଲେ।  ଅଞ୍ଚଳର ଗୌରବମୟ ଐତିହ୍ୟ, ସଂସ୍କୃତି, ଅସ୍ମିତା ଓ ଭାଇଚାରାର ପ୍ରତୀକ ମହୋତ୍ସବ ଅବସରରେ ମହାପ୍ରଭୁ ଚମ୍ପାନାଥ ଦେବଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରାଯାଇଥିଲା। ଚଳିତବର୍ଷ ଚମ୍ପାନାଥ ମହୋତ୍ସବର କଳେବର ବୃଦ୍ଧି ପାଇ ପାଞ୍ଚ ଦିନ ବ୍ୟାପୀ ଚାଲିବ।‌ ଆୟୋଜକଙ୍କ ତରଫରୁ ପ୍ରତିଦିନ  ସନ୍ଧ୍ୟାରେ  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *