ସରକାରୀ ସମ୍ମାନ ସହ ଗାର୍ଡ ଅଫ ଅନର ପ୍ରଦାନ
କେନ୍ଦ୍ରାପଡ଼ା,୨୪/୦୭/୨୦୨୬ (ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କେନ୍ଦ୍ରାପଡ଼ା ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ପୂର୍ବତନ ସଭାପତି ବିମ୍ବାଧର ମୁଦୁଲିଙ୍କ ଆଜି ଭୋର ସମୟରେ କଟକସ୍ଥିତ ଏସ୍.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ସେ ୨୩ ଡିସେମ୍ବର, ୧୯୨୩ ମସିହାରେ ଜନ୍ମଗ୍ରହଣ କରିଥିଲେ ।
ସ୍ୱର୍ଗତ ଶ୍ରୀ ମୁଦୁଲି ଦେଶର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଭାଗ ନେଇଥିବା ସହ ସ୍ୱାଧୀନତା ପରବର୍ତୀ ସମୟରେ ମଧ୍ୟ ସମାଜସେବା ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଥିଲେ । ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ ସଫଳତାର ସହିତ ଦାୟିତ୍ୱ ତୁଲାଇ ସାରିଥିବା ବେଳେ ବର୍ତମାନ କେନ୍ଦ୍ରାପଡ଼ା ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ କାର୍ଯ୍ୟରତ ଥିଲେ । ସେ କେନ୍ଦ୍ରାପଡ଼ା ଜିଲାର ଏକମାତ୍ର ଜୀବିତ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିଲେ ।
ତାଙ୍କ ଦୀର୍ଘ ସାର୍ବଜନୀନ ଜୀବନରେ ସେ ଦେଶପ୍ରେମ, ସରଳତା ଏବଂ ସମାଜ ପ୍ରତି ନିଷ୍ଠାର ଏକ ଉଜ୍ଜ୍ୱଳ ଉଦାହରଣ ହୋଇ ରହିଥିଲେ ।ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ଗତ ଦୁଇ ଦିନ ଧରି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକସ୍ଥିତ ଏସ୍.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଜି ଭୋର ସମୟରେ ତାଙ୍କର ପରଲୋକ ଘଟିଥିଲା ।ତାଙ୍କର ମୃତ୍ୟୁ ପରେ ମରଶରୀରକୁ କଟକରୁ ନିଜ ଗ୍ରାମ ଡେରାବିଶ ବ୍ଲକ ଅନ୍ତର୍ଗତ କାଉପଡ଼ା ଗ୍ରାମ ପଂଚାୟତର ନିଳକଣା ଗ୍ରାମକୁ ଅଣାଯାଇଥିଲା ।
ସରକାରଙ୍କ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁଯାୟୀ ଜିଲା ପୋଲିସ ପକ୍ଷରୁ ସ୍ୱର୍ଗତ ମୁଦୁଲିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଥିବା ଅଧିକାରୀ ଓ ସ୍ଥାନୀୟ ଜନସାଧାରଣ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଉପସ୍ଥିତ ରହି ସ୍ୱର୍ଗତ ମୁଦୁଲିଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହା ସହିତ ଡେରାବିଶ ତହସିଲଦାର ସରୋଜକାନ୍ତ ନାୟକ, ବ୍ଲକ ଉନ୍ନୟନ ଅଧିକାରୀ ନମିତା ବାରିକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଭାବବିହ୍ୱଳ ବିଦାୟ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ର, ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେହୁରା, ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସଂଘର କର୍ମକର୍ତା, ରାଜେଶ ପଣ୍ଡା, ନନ୍ଦକିଶୋର ପରିଡ଼ା, ବାସୁଦେବ ଦାସ, ବରିଷ୍ଠ ସାମ୍ବାଦିକ ଚତିରଞ୍ଜନ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ଜନପ୍ରତିନିଧି ଓ ଅଂଚଳବାସୀ ଉପସ୍ଥିତ ରହି ସ୍ୱର୍ଗତ ମୁଦୁଲିଙ୍କୁ ଶେଷ ବିଦାୟ ଜଣାଇଥିଲେ ।
ସ୍ୱର୍ଗତ ମୁଦୁଲିଙ୍କ ବିୟୋଗ କେବଳ କେନ୍ଦ୍ରାପଡ଼ା ଜିଲା ପାଇଁ ନୁହେଁ, ସମଗ୍ର ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ଏବଂ ସାରା ଜୀବନ ଧରି ସମାଜ ପ୍ରତି ତାଙ୍କର ନିଃସ୍ୱାର୍ଥ ସେବା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।
