ଘଟଗାଁରେ ଜବରଦଖଲ ଉଚ୍ଛେଦ ସମୟରେ ଉତ୍ତେଜନା

ଲିଖିତ ପ୍ରତିଶ୍ରୁତି ପରେ ସ୍ୱାଭାବିକ ହେଲା ଜମି ଉଚ୍ଛେଦ କାର୍ଯ୍ୟ

ଘଟଗାଁ,୧୧/୦୨/୨୦୨୬(ଓଡିଶା ସମାଚାର )-ଘଟଗାଁ ତାରିଣୀ ମନ୍ଦିର ସମନ୍ୱୟ ବିକାଶ ପ୍ରକଳ୍ପ ପାଇଁ ଜମି ଉଚ୍ଛେଦ କାର୍ଯ୍ୟ ସମୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ କିଛି ସମୟ ପାଇଁ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଥିଲା। ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯାଇବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଓ ଉଚ୍ଛେଦ କାର୍ଯ୍ୟ ସ୍ୱାଭାବିକ  ହୋଇଥିଲା।

ସୂଚନା ଅନୁଯାୟୀ, ତାରିଣୀ ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରାୟ ୪୦ ବର୍ଷ ଧରି ୩୦ରୁ ଅଧିକ ପରିବାର ସରକାରୀ ଜମିରେ ବସବାସ କରୁଥିଲେ। ଏହି ପରିବାର ମାନେ ଛୋଟ ଛୋଟ ଘର ତିଆରି କରି ବସବାସ କରୁଥିଲେ। ଅନେକ ପରିବାର ଦିନ ମଜୁରୀ କାମ କରି ଜୀବିକା ଚାଲାଉଥିବା ବେଳେ କିଛି ଛୋଟ ଦୋକାନ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। ଦୀର୍ଘ ବର୍ଷ ଧରି ଏଠାରେ ବସବାସ କରି ଆସିଥିବାରୁ ଏହି ଅଞ୍ଚଳକୁ ସେମାନେ ନିଜର ଘରବାଡ଼ି ଭାବେ ମନେ କରୁଥିଲେ। ପ୍ରଶାସନ ପକ୍ଷରୁ ଗତ ୨୯ ଜାନୁଆରୀରେ ଉକ୍ତ ଅଞ୍ଚଳରେ ସରକାରୀ ଜମିରେ ବସବାସ କରୁଥିବା ପରିବାର ମାନଙ୍କୁ ଉଚ୍ଛେଦ ନୋଟିସ ଜାରି କରାଯାଇଥିଲା। ନୋଟିସରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଜମି ଖାଲି କରିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ଦୀର୍ଘ ବର୍ଷର ବସବାସ  ଓ ଜୀବିକା ସମସ୍ୟାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ମାନେ ଜମି ଛାଡ଼ିବାକୁ ରାଜି ହୋଇନଥିଲେ।              

  ଆଜି ସକାଳୁ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ପାଇଁ ୨ ପ୍ଲାଟୁନ ପୋଲିସ୍ ଫୋର୍ସ ଉଛେଦ ସ୍ଥଳରେ ପହଞ୍ଚିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲେ। ମହିଳା ଓ ବୃଦ୍ଧମାନେ ଆଗରେ ବସି ଧାରଣା ଦେଇଥିଲେ। କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ସହାୟତା ଦାବିରେ ଉଛେଦ ହେଉଥିବା ପରିବାର ମାନେ  ସରକାରଙ୍କ ପକ୍ଷରୁ ବିକଳ୍ପ ଜମି ଓ ଘର ସୁବିଧା ଯୋଗାଇ ଦେବାକୁ ସେମାନେ  ଦାବି କରିଥିଲେ। ଲିଖିତ ପ୍ରତିଶ୍ରୁତି ପାଇବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। କ୍ଷତିଗ୍ରସ୍ତ ପ୍ରତ୍ୟେକ ପରିବାରକୁ ରେଡକ୍ରସ୍ ଫଣ୍ଡରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବା ସହିତ ସରକାରଙ୍କ ବସୁନ୍ଧରା ଯୋଜନାରେ ଘରଡିହ ଜମି ପ୍ରଦାନ କରାଯିବ। ଅନ୍ତ୍ୟୋଦୟ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ। ଏହି  ପ୍ରତିଶ୍ରୁତି ପାଇବା ପରେ ଲୋକମାନେ ଧାରଣାରୁ ଉଠି ଯାଇଥିଲେ।

Leave a Reply

Your email address will not be published. Required fields are marked *