ଗରଦପୁର,୨୩/୧୦/୨୦୨୬(ଓଡ଼ିଶା ସମାଚାର)- ଆଜିଠାରୁ ସମଗ୍ର ରାଜ୍ୟରେ ୫ ଦଫା ଦାବି ନେଇ ରାଜ୍ୟ ସମବାୟ ସଂପାଦକ ଓ ଲ୍ୟାମ୍ପ୍ସ କର୍ମଚାରୀ ସଂଘ ପକ୍ଷରୁ କଳାବ୍ୟାଚ୍ ପିନ୍ଧି ଭୁବନେଶ୍ୱର ଠାରେ ଧାରଣା ଦିଆଯାଇଥିବା ବେଳେ ଆଜି ଏହାକୁ ସମର୍ଥନ କରି ଗରଦପୁର ବ୍ଲକ୍ ସମବାୟ ସଂପାଦକ ଓ ଲ୍ୟାମ୍ପ୍ସ କର୍ମଚାରୀ ସଂଘ ପକ୍ଷରୁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍, ପାଟକୁରା ଶାଖା ସାମ୍ନାରେ କଳାବ୍ୟାଚ୍ ପିନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି ।
ସେମାନଙ୍କର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ କାର୍ଯ୍ୟରତ ସମସ୍ତ ସମବାୟ ସମିତି ଓ ଲ୍ୟାମ୍ପ୍ସ କର୍ମଚାରୀ ମାନଙ୍କୁ ସମବାୟ କ୍ୟାଡର ଭୁକ୍ତ କରାଯିବା, ପ୍ରତ୍ୟକ କର୍ମଚାରୀ ମାନଙ୍କ ସର୍ଭିସ୍ ବୁକ୍ ଖୋଲାଯିବା,ଭାରାପ୍ରାପ୍ତ ସଂପାଦକ ମାନଙ୍କୁ ପଦୋନ୍ନତି ଦିଆଯିବା, ସରକାରଙ୍କ ତରଫରୁ କ୍ୟାଡର ଫଣ୍ଡ୍ ଗଠନ କରାଯାଇ ସେଥିରୁ ଦରମା ପ୍ରଦାନ କରାଯିବା ଓ
ସପ୍ତମ ବେତନ କମିଶନ ରିପୋର୍ଟ ଅନୁସାରେ ଦରମା ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଯଦି ସରକାର ସେମାନଙ୍କ ଦାବି ପୁରଣ କରିବାରେ ବିଫଳ ହୁଅନ୍ତି ତେବେ ଆଗାମି ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବା ସହିତ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ଗରଦପୁର ବ୍ଳକ୍ ସଂଘ ସଭାପତି ତଥା ପାଖଡ଼ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ପ୍ରକାଶ ଚନ୍ଦ୍ର ବାରିକ,ସଂଘ ସଂପାଦକ ଦିପେସ୍ ରାଉତ ଓ ସଂଘ ର ପୂର୍ବତନ ସଭାପତି ତଥା ତଳକୁସୁମା, ନଡ଼ିଆ ବରାଇ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ଦିଲ୍ଲିପ କୁମାର ପଣ୍ଡା ପ୍ରମୁଖ ଚେତାବନି ଦେଇଥିଲେ ।
ଆଜିର ଏହି ଧାରଣାରେ ବଙ୍ଗାଳପୁର ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ସତ୍ୟରଞ୍ଜନ ପାତ୍ର, ବଡ଼ବେତରା ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ସିପୁନ୍ ଶେଖର ଜେନା, ଗରଦପୁର ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ଜ୍ୟୋତି ରଞ୍ଜନ ପଣ୍ଡା,ବେଡାରୀ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ଉମାକାନ୍ତ ସାହୁ ଓ ତେଣ୍ଡାକୁଡା ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ସୁବାସ ଚନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଥିଲେ ।
