୮ ଜଣ ଶିଳ୍ପୀଙ୍କ ଚିତ୍ରକଳା,ଭାସ୍କର୍ଯ୍ୟ, ସେରାମିକ ଓ ମୁଦ୍ରଣ କଳା ଦର୍ଶକଙ୍କ ମନକୁ ମୋହିଲା
ଭୁବନେଶ୍ୱର,୨୪/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର ଆର୍ଟ ଗ୍ୟାଲେରୀରେ ଉଦ୍ଘାଟିତ ହୋଇଯାଇଛି “ମେଟା ମର୍ଫୋଷିଶ”ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ।ପ୍ରଦର୍ଶନୀକୁ ସୁନାମ ଧନ୍ୟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ଅଦ୍ଵୈତ ଗଡ଼ନାୟକ ଉଦ୍ଘାଟନ କରି ସାଂପ୍ରତିକ ସମୟରେ ଓଡ଼ିଶାର ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀମାନେ କିପରି ନିଜର ଉତ୍କର୍ଷତା ପ୍ରଦର୍ଶିତ କରୁଛନ୍ତି ଓ ସଫଳତା ପ୍ରାପ୍ତ ହେଉଛନ୍ତି ତାହା ଉପସ୍ଥାପନା କରିଥିଲେ।

ପ୍ରାରମ୍ଭରେ ଏକାଡେମୀ କ୍ଷେତ୍ରୀୟ ସଚିବ ରାମକୃଷ୍ଣ ବେଦାଲା ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଞ୍ଚାନନ ସାମଲ,ବରିଷ୍ଠ ଶିଳ୍ପୀ ରାମହରି ଜେନା,ଡ.ଚକ୍ରଧର ବେହେରା,ପ୍ରତାପ ଜେନା,ପ୍ରବୋଧ ସାହୁ ଓ ଅଞ୍ଜନ ସାହୁ ପ୍ରମୁଖ ବହୁ ଶିଳ୍ପୀ ଉପସ୍ଥିତ ରହି ଶିଳ୍ପୀଙ୍କ କଳାକୃତି ଉପରେ ଆଲୋକପାତ କରିଥିଲେ।
ଲଳିତକଳା ଏକାଡେମୀ ରିସର୍ଚ୍ଚ ସ୍କଲାରସି ପାଇ ଏକବର୍ଷ କାମ କରୁଥିବା ଅଭିପ୍ସା ସ୍ୱାଇଁ,ଅମିୟ ରଞ୍ଜନ ଓଝା,ହିମାଂଶୁ ମହାନ୍ତ,ଜ୍ୟୋତିରଂଜନ ଜେନା,କିନୁ ବେହେରା,ପ୍ରତାପ ବଡଟିଆ,ସରସ୍ଵତୀ ଅଙ୍ଗରିଆ ଓ ସୁଦର୍ଶନ ରାଉତରାୟ ପ୍ରମୁଖ ୮ ଜଣ ଶିଳ୍ପୀଙ୍କ ଚିତ୍ର,ଭାସ୍କର୍ଯ୍ୟ,ସେରାମିକ ଓ ମୁଦ୍ରଣ କଳା ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା ଓ ଉପସ୍ଥିତ ବରିଷ୍ଠ ଶିଳ୍ପୀ ଓ ଦର୍ଶକଙ୍କ ମନକୁ ବେଶ୍ ଛୁଇଥିଲା। ଏହି ପ୍ରଦର୍ଶନୀ ଆସନ୍ତା ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।
