ଜଗତସିଂହପୁର ଜିଲ୍ଲାପାଳଙ୍କ ଦ୍ୱାରା ‘ବୀମା ରଥର ଶୁଭାରମ୍ଭ
ଜଗତସିଂହପୁର, ୨୪/୦୭/୨୦୨୬ (ଓଡ଼ିଶା ସମାଚାର)- ଏଲ୍-ନିନୋ ପ୍ରଭାବରେ ବୃଷ୍ଟିପାତରେ ଅନିଶ୍ଚିତତା ଦେଖାଯାଉଥିବାରୁ ଚାଷବାସ ପର୍ଯ୍ୟାପ୍ତ ପରିମାଣରେ ଆଗେଇ ପାରିନାହିଁ, ତେଣୁ ଏଭଳି ସ୍ଥିତିରେ ଚାଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲ୍ ଖରିଫ-୨୦୨୬ ‘ବୀମା ରଥ’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଯାହା ଜିଲ୍ଲାର ସମସ୍ତ ୮ଟି ଯାକ ବ୍ଲକ ପରିକ୍ରମା କରି ଧାନ ଫସଲର ବୀମା ସମ୍ପର୍କରେ ସଚେତନତା ସୃଷ୍ଟି କରିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଭୁଦତ୍ତ ସାହୁ ଏବଂ ଜିଲ୍ଲା ମୁଖ୍ୟ ସମବାୟ ପ୍ରବନ୍ଧକ ଶ୍ରୀ ପ୍ରଭାତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ବିସି ଶ୍ରୀ ପ୍ରସନ୍ନ ବାରିକ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରବନ୍ଧକ ଶ୍ରୀ ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି ଯେ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ରେ ଚାଷୀମାନେ ପ୍ଲଟ୍ ପିଛା ମାତ୍ର ୧ ଟଙ୍କା ଦେଇ ନିକଟସ୍ଥ ଜନସେବା କେନ୍ଦ୍ର, ବ୍ୟାଙ୍କ, ପ୍ରାଥମିକ କୃଷି ସମିତି, ଡାକଘର କିମ୍ବା କୃଷି ବୀମା ପ୍ରତିନିଧିଙ୍କ ସହ ଯୋଗାଯୋଗ କରି ନିଜ ଜମିର ବୀମା କରିପାରିବେ; ଯାହାଫଳରେ ହେକ୍ଟର ପିଛା ଜଳସେଚିତ ଜମି ପାଇଁ ୧,୦୬,୨୫୦ ଟଙ୍କା ଏବଂ ଅଣ-ଜଳସେଚିତ ଜମି ପାଇଁ ୯୨,୫୦୦ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ମିଳିପାରିବ, ତେବେ ଏହି ବୀମା ପଞ୍ଜୀକରଣର ଶେଷ ତାରିଖ ଆସନ୍ତା ଜୁଲାଇ ୩୧ ଧାର୍ଯ୍ୟ କରାଯାଇଛି।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
