ଭୁବନେଶ୍ୱର,୨୨/୧୦/୨୦୨୬(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା କାହ୍ନୁଚରଣ ନାଏକଙ୍କର ଆଜି ଗୁରୁବାର ରାତି ପ୍ରାୟ ୮ଟା ସମୟରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଗତ ଜୁନ୍ ୨୭ ତାରିଖରୁ ଅସୁସ୍ଥ ହୋଇ ପାଟଣାର କାହ୍ନୁଚରଣ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟ ଏବଂ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ।
ସେ ଜଣେ ସରଳ, ନିଷ୍ଠାବାନ, ନିର୍ଭୀକ ଓ ଲୋକପ୍ରିୟ ଆଦିବାସୀ ନେତା ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ସେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ପିତା ଅଟନ୍ତି।
ଶୁକ୍ରବାର ସକାଳେ ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତସ୍ଥ ତାଙ୍କର ପୈତୃକ ଗ୍ରାମ ଭୋଗପଶିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପୁଅ ସତ୍ୟବ୍ରତ ନାଏକ ସୂଚନା ଦେଇଛନ୍ତି। କାହ୍ନୁଚରଣଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି।

କାହ୍ନୁଚରଣ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସାମାଜିକ ଗଣ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି :-
ପାଟଣା(କେନ୍ଦୁଝର)ର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି
