ବାରିପଦା,୧୦/୦୭/୨୦୨୬ (ଓଡ଼ିଶା ସମାଚାର)- ଲାଂଚ ନେଉଥିବାବେଳେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ (ଜେଇ) ସୁଶୀଲ କୁମାର ସିଂ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ଠିକାଦାରଙ୍କଠାରୁ ୩୨ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ବାରିପଦା ଭିଜିଲାନ୍ସ ୟୁନିଟ୍ ତାଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ବଡ଼ସାହି ବ୍ଲକ ଅଧୀନରେ ଥିବା ଟଙ୍ଗାଶୋଳ, ଶାଳଗାଁ, ମନଗୋବିନ୍ଦପୁର ଓ ମାଣତ୍ରୀ ପଂଚାୟତ ଦାୟିତ୍ୱରେ ଥିଲେ ଜେଇ ସୁଶୀଲ କୁମାର ସିଂ । ଟଙ୍ଗାଶୋଳ ପଂଚାୟତର ଲେମ୍ବୁସାହିଠାରୁ କେନ୍ଦୁଆ ପର୍ଯ୍ୟନ୍ତ ମେଟାଲ ମୋରମ୍ ରାସ୍ତା ନିର୍ମାଣ କାମରେ ସେ ଠିକାଦାରଙ୍କ ଠାରୁ ପିସି ବାବଦରେ ୩୨ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା ।ଏହି କାର୍ଯ୍ୟର ଅଟକଳ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି । ଠିକାଦାରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇଥିଲା ।
