ଅଣଓଡ଼ିଆ ଡକାୟତ ଅର୍ଜୁନ ଅନାରେ କୁ ପୋଲିସର ଏନକାଉଣ୍ଟର

ଭୁବନେଶ୍ୱର,୧୮/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜଧାନୀ ଓ ରାଜଧାନୀ ଉପକଣ୍ଠ ଅଂଚଳରେ ଘନଘନ ଲୁଟପାଟ୍ ଓ ଡକାୟତ କରି ଆତଙ୍କ ଖେଳାଇଥିବା ଜଣେ ଅଣଓଡ଼ିଆ ଡଳାୟତଙ୍କୁ କମିଶନରେଟ ପୋଲିସ ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ଆହତ ଡକାୟତ ଜଣକ ମଧ୍ୟପ୍ରଦେଶର ଅର୍ଜୁନ ଅନାରେ । ଗୁରୁତର ଆହତ ଅବସ୍ଥାରେ ପୋଲିସ ତାକୁ ଏମ୍ସରେ ଭର୍ତି କରିଛି ।

ସୂଚନା ଅନୁସାରେ, ରାଜଧାନୀର ନୂଆପଲ୍ଲୀରେ ରହୁଥିବା ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଓ ବାଲିଅନ୍ତାରେ ରହୁଥିବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଘରୁ ଚୋରି ହେବା ପରେ କମିଶନରେଟ ପୋଲିସ ଆକ୍ଟିଭ ମୁଡ୍ କୁ ଆସିଥିଲା । ଏହି ଘଟଣାରେ ଅଣଓଡ଼ିଆ ଅପରାଧୀଙ୍କ ସଂପୃକ୍ତି ଥିବାରୁ ପୋଲିସ ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା । ଗତକାଲି ରାତିରେ ଏହି ଅପରାଧୀ ଗ୍ୟାଙ୍ଗ ବାଲିଅନ୍ତା କେନାଲ ବନ୍ଧରେ ଯାଉଥିବା ଖବରପାଇ ପୋଲିସ ପିଛା କରିଥିଲା । ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ଓ ବାଲିଅନ୍ତା ପୋଲିସ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ଅର୍ଜ୍ଜୁନ ଖସିଯିବାକୁ ଉଦ୍ୟମ କରି ପୋଲିସ୍ ଉପରକୁ ଗୁଳି ଚାଳନା କରିଥିଲା । ପୋଲିସ ପାଲଟା ଗୁଳି ମାଡ କରିବା ବେଳେ ଗୋଟିଏ ଗୁଳି ଅର୍ଜ୍ଜୁନର ବାମ ଗୋଡରେ ବାଜିଥିଲା ।

ଫଳରେ ସେ ଗୁରୁତର ଆହତ ହୋଇ ପୋଲିସ ହାତରେ ଧରାପଡିଥିଲା । ହେଲେ ତାର ୪ଜଣ ସଦସ୍ୟ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍ସ ସ୍ଥାନାନ୍ତର କରାଯାଇଛି । ଉଲ୍ଲେଖଥାଉ କି, ମଧ୍ୟପ୍ରଦେଶରୁ ଆସି ଅର୍ଜୁନ ରାଜଧାନୀରେ ଲୁଟପାଟ୍ ଚଳାଇଥିଲା । ଜାନୁଆରୀ ୨୫ ତାରିଖରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆପାର୍ଟମେଂଟରୁ ମଧ୍ୟ ଚୋରି ହୋଇଥିଲା । ପୋଲିସ ଦୀର୍ଘ ୧୮ ଦିନର ତଦନ୍ତ ପରେ ରାଜ୍ୟ ବାହାରର ଜଣେ ଲୁଟେରାକୁ ଗିରଫ କରିଥିଲା । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କରିଥିଲା । ସେହିପରି ଗତ ୧୪ ତାରିଖ ଦିନ ବାଲିଅନ୍ତା ଥାନା ରଙ୍ଗବଜାରସ୍ଥିତ ପଣ୍ଡାଭ୍ୟାଲି ଡୁପ୍ଲେକ୍ସରେ ରହୁଥିବା ବିଚାରପତି ଅଶ୍ୱିନୀ ନାୟକଙ୍କ ଘରୁ ଲୁଟ୍ ହୋଇଥିଲା । ତଦନ୍ତ ବେଳେ ଏହି ଘଟଣାରେ ରାଜ୍ୟ ବାହାରର ଅପରାଧୀ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ଗତକାଲି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅପରଧୀକୁ ଏନକାଉଣ୍ଟର କରିଛି ।

Leave a Reply

Your email address will not be published. Required fields are marked *