ପୋଲିସ୍ ହାତରେ ଧରାପଡ଼ିଲା ନକଲି ପୋଲିସ ଅଫିସର

ଭୁବନେଶ୍ୱର,୧୦/୦୭/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ନିଜକୁ ପୋଲିସ ଅଫିସରର ପରିଚୟ ଦେଇ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ରଜନୀକାନ୍ତ ମହାନ୍ତି । ପୁଲିସ ତା ବିରୁଦ୍ଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ସୁଜିତ କୁମାର ନାୟକ ନିଜର ନୂତନ ଟାଟା ସିଏରା ଗାଡ଼ିକୁ ଘର ଆଗରେ ପାର୍କିଂ କରିଥିବା ବେଳେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ରଜନୀକାନ୍ତ ମହାନ୍ତି ଉଦ୍ଧେଶ୍ୟମୂଳକ ଭାବେ ଗାଡ଼ିଟିକୁ କ୍ଷତିଗ୍ରସ୍ତ କରିଥିଲେ ।

ପରବର୍ତୀ ସମୟରେ ସିସିଟିଭି ଫୁଟେଜ୍ ଯାଂଚ କରି ଅଭିଯୋଗକାରୀ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ । ଏ ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତ ନିଜକୁ ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ ( ଆଡ଼ିସନାଲ ଏସପି) ବୋଲି ମିଥ୍ୟା ପରିଚୟ ଦେବା ସହ ଅଭିଯୋଗକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଧକ୍କା ଦେଇଥିଲେ ଏବଂ ନକଲି ପୋଲିସ ଏନକାଉଂଟରରେ ହତ୍ୟା କରିଦେବାକୁ ଧମକ ଦେଇଥିଲେ । ପରେ ଯାଂଚରୁ ଜଣାପଡ଼ିଥିଲା ଯେ ସେ କୌଣସି
ପୁଲିସ ଅଧିକାରୀ ନୁହଁନ୍ତି ଏବଂ ମିଥ୍ୟା ପରିଚୟ ଦେଇ ସାଧାରଣ ଲୋକଙ୍କୁ ଧୋକା ଦେଉଥିଲେ । ତଦନ୍ତ ସମୟରେ ସିସିଟିଭି ଫୁଟେଜ୍ ରୁ ଅଭିଯୁକ୍ତଙ୍କ ଦ୍ୱାରା ଗାଡ଼ି ଭଙ୍ଗାରୁଜା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଓଡ଼ିଶା ପୁଲିସ ମହାନିର୍ଦ୍ଧେଶକଙ୍କ କାର୍ଯ୍ୟାଳୟରୁ କରାଯାଇଥିବା ଯାଂଚରେ ଅଭିଯୁକ୍ତ କେବେ ମଧ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ନଥିବା
ନିଶ୍ଚିତ ହୋଇଥିଲା । ପରବର୍ତୀ ସମୟରେ ବିଶ୍ୱସ୍ତ ସୂଚନା ଆଧାରରେ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା । ତାଙ୍କ ନିକଟରୁ ଏକ ଆଧାର କାର୍ଡ ଏବଂ ଏକ ପୋଲିସପରିଚୟପତ୍ର ଜବତ କରାଯାଇଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ନିଜ ସ୍ଥାୟୀ ଠିକଣା ସମ୍ପର୍କରେ କୌଣସି ସନ୍ତୋଷଜନକ ପ୍ରମାଣ ଦେଇପାରିନଥିଲେ । ତାଙ୍କ ଆଧାର କାର୍ଡରେ ଉଲ୍ଲେଖିତ ଠିକଣା ଏବଂ
ବର୍ତମାନର ଠିକଣା ଉଭୟ ଭଡ଼ା ଘର ବୋଲି ଜଣାପଡ଼ିଥିଲା । ଅଭିଯୁକ୍ତ ରଜନୀକାନ୍ତ ମହାନ୍ତିଙ୍କୁ ଶୁକ୍ରବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *