ଭୁବନେଶ୍ୱର,୧୦/୦୭/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଏସି ସ୍ଲିପର ବସ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର । ସୁପର ପ୍ରିମିୟମ ସ୍ଲିପର ଏସି’ ବସ୍ ଭଡ଼ା ସ୍ଥିର କରିଛନ୍ତି ସରକାର । ଏଣିକି କିଲୋମିଟର ପିଛା ଦେବାକୁ ହେବ ୩ ଟଙ୍କା୫୦ ପଇସା । ଓଡ଼ିଶାରେ ଲମ୍ବା ଦୂରତା ଯାତ୍ରା କରୁଥିବା ବସ୍ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ।
ରାଜ୍ୟ ସରକାର ପ୍ରଥମ ଥର ପାଇଁ ‘ସୁପର ପ୍ରିମିୟମ ଫୁଲି ସ୍ଲିପର ଏସି’ ବସ୍ ଶ୍ରେଣୀ ପାଇଁ ଏକ ନୂତନ ଭଡ଼ା ଗଠନ ନୋଟିଫିକେସନ୍ ଜାରି କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଏହି ଅତ୍ୟାଧୁନିକ ପ୍ରିମିୟମ ସ୍ଲିପର ବସ୍ ଗୁଡ଼ିକ ପାଇଁ ସର୍ବାଧିକ ଭଡ଼ା କିଲୋମିଟର ପିଛା ୩ ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଛି ।
ରାଜ୍ୟ ଭିତରେ ଚାଲୁଥିବା ସମସ୍ତ ସମ୍ପୂର୍ଣ୍ଣ ସ୍ଲିପର ଏସି କୋଚ୍ ପାଇଁ ଏହି ନୂଆ ନିୟମ ଲାଗୁ ହେବ । ରାଜ୍ୟ ପରିବହନ କର୍ତୃପକ୍ଷଙ୍କ ଦ୍ୱାରା ଗଠିତ ଏକ ବୈଷୟିକ କମିଟିର ସୁପାରିସ ଆଧାରରେ ଏହି ଦର ନିର୍ଦ୍ଧାରଣ କରାଯାଇଛି । ତେବେ ସାଧାରଣ , ଏକ୍ସପ୍ରେସ, ଡିଲକ୍ସ , ଏସି ଡିଲକ୍ସ ଏବଂ ସାଧାରଣ ସୁପର ପ୍ରିମିୟମ ବସ୍ ଗୁଡ଼ିକର ପୁରୁଣା ଭଡ଼ାରେ କୌଣସି ପରିବର୍ତନ କରାଯାଇ ନାହିଁ ।
