କେନ୍ଦ୍ରାପଡାରେ ୫୩ନମ୍ବର ଜାତୀୟ ରାଜପଥ କାମ ନିମ୍ନମାନର

କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲା ଯୁବ ସ୍ୱାଭିମାନ ମଂଚ
କେନ୍ଦ୍ରାପଡ଼ା, ୦୯/୦୭/୨୦୨୬ (ଓଡ଼ିଶା ସମାଚାର)- ଚଣ୍ଡିଖୋଲରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ୫୩ ନଂ. ଜାତୀୟ ରାଜପଥ କାମ ନିମ୍ନମାନର ହେଉଥିବା ନେଇ କେନ୍ଦ୍ରାପଡ଼ାର ସାମାଜିକ ଅନୁଷ୍ଠାନ ଯୁବ ସ୍ୱାଭିମାନ ମଂଚ ପକ୍ଷରୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ଅନୁଷ୍ଠାନ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି ଯେ ରାଜପଥ ନିର୍ମାଣ କରିବା ପାଇଁ ଯେଉଁ ଠିକା ସଂସ୍ଥା ଦାୟିତ୍ୱ ନେଇଛି ସେ ନିମ୍ନମାନର କାର୍ଯ୍ୟ କରୁଛି । ଯାହା ଫଳରେ ରାସ୍ତାରେ ଫାଟ ସୃଷ୍ଟି ହେଲାଣି । ଏହାଦ୍ୱାରା ଜନସାଧାରଣଙ୍କ ଠାରୁ ଟିକସ ଆକାରରେ ଆଦାୟ ହେଉଥିବା ଅର୍ଥ ଅପଚୟ ହେଉଛି ।

ତେଣୁ ଏହାର ସ୍ୱାଧୀନ ଭାବେ ତଦନ୍ତ କରିବା ପାଇଁ ସ୍ୱାଭିମାନ ମଂଚର ସଭାପତି ଇଂ ସ୍ମୃତି ରଞ୍ଜନ ଜେନା ଦାବି କରିଛନ୍ତି । ସୂଚନା ଥାଉକି ଚଣ୍ଡିଖୋଲରୁ ପାରାଦ୍ୱୀପ ମଧ୍ୟରେ ୮ ଥାକିଆ ରାସ୍ତା ନିର୍ମାଣ ପାଇଁ ୩୬୦୦ କୋଟି ଟଙ୍କା ଅଟକଳ କରାଯାଇଛି । ହେଲେ ଯେଉଁ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ସେ ମନ ଇଚ୍ଛା କାର୍ଯ୍ୟ କରୁଛି । ଫଳରେ ଗତ କିଛି ମାସ ତଳେ ଶ୍ୟାମସୁନ୍ଦରପୁର ଠାରେ ରାସ୍ତାର ଏକ ବିରାଟ ଅଂଶ ଧସି ଯାଇଥିଲା । ତେଣୁ ସଂପୃକ୍ତ ଠିକାସଂସ୍ଥାକୁ ତାଗିଦ କରି ସଠିକ ମାନର କାର୍ଯ୍ୟ କରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଓ ଜାତୀୟ ରାଜପଥ ସଚିବଙ୍କ ନିକଟରେ ଅନୁଷ୍ଠାନର ସଭାପତି ଶ୍ରୀ ଜେନା ଅଭିଯୋଗ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଏହି ନିର୍ମାଣାଧିନ ଜାତୀୟ ରାଜପଥ ରାସ୍ତାର ବିଭିନ୍ନ ସ୍ଥାନରେ ନମ୍ନମାନର କାର୍ଯ୍ୟ ହେଉଥିବା ନେଇ ବାରମ୍ବାର ଜାତୀୟ ରାଜପଥ କର୍ତୃୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଆସୁଛି । କିନ୍ତୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସଂପୃକ୍ତ ଠିକାସଂସ୍ଥା ସେହି ତୃଟୀକୁ ବାରମ୍ବାର ଦୋହରାଉଥିବା ଦେଖିବାକୁ ମିଳିଛି । ଏଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *