କେନ୍ଦ୍ରାପଡ଼ା,୨୮/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଆଡହକ ଫାଷ୍ଟଟ୍ରାକ ଅତିରିକ୍ତ ସେସନସ କୋର୍ଟ ବିଚାରପତି ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହିତ ୧୧ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ଡେରାବିଶ ଥାନା ଅଂଚଳର ବାବୁଲି ଓରଫ କୁଳମଣି ସାମଲ । ମାମଲାର ବିବରଣୀ ଅନୁଯାୟୀ ଅଭିଯୁକ୍ତ ଜଣକ ହେଉଛନ୍ତି ନାବାଳିକାଙ୍କ ପଡୋଶୀ ।
ସେ ନାବାଳିକାଙ୍କ ଘରକୁ ଯିବା ଆସିବା କରିଥାନ୍ତି । ୨୦୨୩ ମସିହା ଜୁଲାଇ ୨୩ତାରିଖରେ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ ଯେ ଘରେ କେହିନଥିବାର ସୁଯୋଗ ନେଇ ନାବାଳିକାକୁ ଅଭିଯୁକ୍ତ ଘରୁ ଉଠାଇନେଇଥିଲେ । ସେଠାରୁ କିଛି ଦୂରରେ ଥିବା ସ୍କୁଲ ପଛପଟ ପରିତ୍ୟକ୍ତ ସ୍ଥାନକୁ ନେଇ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବଳାତ୍କାର କରିଥିଲେ । ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ନାବାଳିକାଙ୍କ ମାସିକ ଋତୁସ୍ରାବ ବନ୍ଦ ହେବା କାରଣରୁ ମା’ର ସନ୍ଦେହ ହୋଇଥିଲା । ଏନେଇ ମା’ଝିଅକୁ ଡାକ୍ତରଖାନା ନେଇ ଯାଇଥିଲେ । ସେତେବେଳକୁ ନାବାଳିକା ଜଣଙ୍କ ୫ମାସର ଗର୍ଭବତୀ ଥିବା ଡାକ୍ତର ପରୀକ୍ଷା କରି କହିଥିଲେ । କିନ୍ତୁ ଗର୍ଭ ନଷ୍ଟ କରିବା ଡାକ୍ତରଙ୍କ ପକ୍ଷରେ ସମ୍ଭବ ନଥିଲା । କାରଣ ଗର୍ଭ ନଷ୍ଟ କରିଥିଲେ ନାବାଳିକାଙ୍କ ଜୀବନ ପ୍ରତି ବିପଦ ରହିଥିଲା ।
ତେଣୁ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶ ମାନି ଗର୍ଭ ନଷ୍ଟ କରିନଥିଲେ । ଏହାର କିଛିମାସ ପରେ ନାବାଳିକା ଜଣଙ୍କ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଅଭିଯୁକ୍ତ ବିରୁଦ୍ଧରେ ଡେରାବିଶ ଥାନାରେ ନାବାଳିକାଙ୍କ ମା’ ଦେଇଥିବା ଏତଲାକୁ ଭିତି କରି ପୋଲିସ ଏକ ମାମଲା ରୁଜୁ କରି କୁଳମଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲକୁ ପଠାଇ ଦିଆଯାଇଥିଲା । ଡେରାବିଶ ଥାନା ପୋଲିସ ୨୦୨୩ ମସିହା ସେପ୍ଟମ୍ବରମାସ ୨୯ ତାରିଖରେ କୋର୍ଟରେ ଅଭିଯୋଗ ଫର୍ଦ୍ଧ ଦାଖଲ କରିଥିଲେ । ମାମଲାର ବିଚାର ଚାଲିଥିବା ବେଳେ କନ୍ୟା ସନ୍ତାନର ଡିଏନଏ ସହ ଅଭିଯୁକ୍ତର ଡିଏନଏ ପରୀକ୍ଷା କରାଯାଇଥିଲା । ଡିଏନଏ ପରୀକ୍ଷାରୁ ସ୍ପଷ୍ଟ ପ୍ରମାଣ ମିଳିଥିଲା ଯେ ଅଭିଯୁକ୍ତର ଔରସରୁ ସେହି କନ୍ୟା ସନ୍ତାନଟି ଜନ୍ମ ହୋଇଛି ।
କୋର୍ଟରେ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତିକରି ଆଡହକ ଫାଷ୍ଟଟ୍ରାକ ଅତିରିକ୍ତ ସେସନସ କୋର୍ଟର ବିଚାରପତି ତ୍ରୀବିକ୍ରମକେଶରୀ ଚିନ୍ନାରା ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ଏହାସହ ପୀଡିତାଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲା ଆଇନ୍ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି ।ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋଜ ସାହୁ ମାମଲା ପରିଚାଳନା କରୁଥିଲେ ।
