ଭୁବନେଶ୍ୱର,୦୯/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ “ପ୍ରୋଆକ୍ଟିଭ୍ ଗଭର୍ଣ୍ଣାନ୍ସ ଆଟେମ୍ପ୍ଟ ଫର୍ ୟିଲ୍ଡିଂ ରେଜଲଟ୍ସ ଆଣ୍ଡ ଆଡଭାନ୍ସିଂ ସୋସିଆଲ୍ ସେକ୍ଟର୍ (ପ୍ରୟାସ)” ର ଦ୍ୱିତୀୟ ବୈଠକଗତ କାଲି ବୁଧବାରଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ, ବିଦ୍ୟାଳୟ ଶିକ୍ଷା, ସାମାଜିକ କଲ୍ୟାଣ, ମହିଳା ସଶକ୍ତୀକରଣ ଏବଂ ପୁଷ୍ଟିସାଧନଭଳି ପ୍ରମୁଖ ସାମାଜିକ କ୍ଷେତ୍ରରେ ଫଳପ୍ରଦ କାର୍ଯ୍ୟାନ୍ୱୟନ, ନିୟମିତ ସମୀକ୍ଷା ଏବଂ ତ୍ୱରିତ ସଂଶୋଧନମୂଳକ ପଦକ୍ଷେପ ପାଇଁ ରାଜ୍ୟ ସରକାର ‘ପ୍ରୟାସ’ ମଞ୍ଚ ଗଠନ କରିଛନ୍ତି। କେନ୍ଦ୍ର ସରକାରଙ୍କ ‘ପ୍ରଗତି’ ମଞ୍ଚରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ସମୀକ୍ଷା କରାଯାଉଥିବାବେଳେ, ଓଡ଼ିଶାରେ ରାଜ୍ୟର ସାମାଜିକ କ୍ଷେତ୍ରରେ ଉନ୍ନତ ଫଳାଫଳ ଆଣିବା ଲକ୍ଷ୍ୟରେ ‘ପ୍ରୟାସ’ ଆରମ୍ଭ କରାଯାଇଛି।
ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସମ୍ବନ୍ଧୀୟ ପ୍ରମୁଖ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର–ତଥା–ସଚିବ ଅଶ୍ୱତୀ ଏସ୍, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର–ତଥା–ଶାସନ ସଚିବ ଶ୍ରୀ ଏନ୍. ତିରୁମାଲା ନାୟକ ଏବଂ ନିର୍ଦ୍ଦେଶକ, ସାମାଜ କଲ୍ୟାଣ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାୱାରୀ ମାତୃମୃତ୍ୟୁ, ବିଭିନ୍ନ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ସଂସ୍ଥାଗତ ନବଜାତ ମୃତ୍ୟୁ ଏବଂ ରାଜ୍ୟସ୍ତରୀୟ ଟିମଙ୍କ ଦ୍ୱାରା କ୍ଷେତ୍ର ପରିଦର୍ଶନରୁ ମିଳିଥିବା ତଥ୍ୟ ଉପରେ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ନିୟମିତ କ୍ଷେତ୍ର ପରିଦର୍ଶନ ଏବଂ ପ୍ରତିକାରାତ୍ମକ ପଦକ୍ଷେପ ଯୋଗୁଁ ମାତୃ–ନବଜାତ ଶିଶୁ ମୃତ୍ୟୁ ସଂଖ୍ୟା ହାର ହ୍ରାସ ପାଇଥିବା ସମୀକ୍ଷାରୁ ଜଣାପଡ଼ିଛି। ରେଫରାଲ୍ ପ୍ରୋଟୋକଲ୍ର ଅନୁପାଳନ, ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀନିୟୋଜନ, ହସ୍ପିଟାଲ ପରିଚାଳନା, ଔଷଧ ଓ ଆବଶ୍ୟକ ସାମଗ୍ରୀର ଉପଲବ୍ଧତା ସହ ପ୍ରସୂତି କକ୍ଷ, ଅସ୍ତ୍ରୋପଚାର ଏବଂ ନବଜାତକ ସେବା କକ୍ଷ ଆଦିରେ ସଂକ୍ରମଣ ନିବାରଣ ବ୍ୟବସ୍ଥାରେ କୌଣସି ପ୍ରକାରର ଅବହେଳା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜିଲ୍ଲାପାଳମାନଙ୍କୁ ସିଡିଏମ୍ଓ ତଥା ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରିବା, ହସ୍ପିଟାଲ ପରିଦର୍ଶନ କରି କାର୍ଯ୍ୟାନ୍ୱୟନରେ ରହୁଥିବା ତ୍ରୁଟି ଚିହ୍ନଟ କରିବା ଏବଂ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ଜିଲ୍ଲାପାଳମାନଙ୍କୁ ଜିଲ୍ଲାସ୍ତରରେ ପ୍ରତିମାସରେ ଏ ସଂପର୍କିତ ସମୀକ୍ଷା ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ରାଜ୍ୟସ୍ତରୀୟ ଟିମ୍ ଜିଲ୍ଲାଗୁଡ଼ିକ ପରିଦର୍ଶନ କରି ନିଆଯାଇଥିବା ସଂଶୋଧନମୂଳକ ପଦକ୍ଷେପର ଅନୁଧ୍ୟାନ କରିବେ।
ବୈଠକରେ ଯକ୍ଷ୍ମା ନିରାକରଣ ପଦକ୍ଷେପ ଓ ସଚେତନତାକୁ ଏକ ପ୍ରମୁଖ କାର୍ଯ୍ୟସୂଚୀ ଭାବେ ଆଲୋଚନା କରାଯାଇଥିଲା। ‘ଟିବି ମୁକ୍ତ ଭାରତ ଅଭିଯାନ ୧୦୦ ଦିନିଆ ଅଭିଯାନ ୨.୦’ ଉପରେ ବିଶେଷ ଧ୍ୟାନ ଦିଆଯାଇ ‘ପ୍ରୟାସ’ ଓ ‘ପ୍ରଗତି’ ମଞ୍ଚରେ ମାସକୁ ଦୁଇଥର ଯକ୍ଷ୍ମା ନିରାକରଣ ସମ୍ବନ୍ଧୀୟ ବିଷୟର ସମୀକ୍ଷା କରାଯିବା ନେଇ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଥିଲେ । ନିରନ୍ତର ବିକାଶ ଲକ୍ଷ୍ୟ ଅନୁଯାୟୀ ୨୦୩୦ ସୁଦ୍ଧା ଦେଶରୁ ଯକ୍ଷ୍ମା ନିରାକରଣ ଲକ୍ଷ୍ୟ ରହିଛି। ଏହି ପ୍ରସଙ୍ଗକୁ ଗତ ୨୪ ଜୁନ୍ରେ ମାନ୍ୟବର ପ୍ରଧାନମନ୍ତ୍ରୀ ‘ପ୍ରଗତି’ବୈଠକରେ ଗୁରୁତ୍ୱ ଦେଇଛନ୍ତି ।ଓଡ଼ିଶାର ୧୩ ହଜାର ୨୭୧ଟି ହାଇ ରିସ୍କ ରହୁଥିବା ଗ୍ରାମ ଓ ୱାର୍ଡରେ ଯକ୍ଷ୍ମା ସ୍କ୍ରିନିଂ କରାଯିବ। ସାରା ଦେଶରେ ପ୍ରାୟ ୧.୫୮ ଲକ୍ଷ ଏଭଳି ଅଞ୍ଚଳ ଚିହ୍ନଟ କରାଯାଇଛି। ଏକ୍ସ–ରେ ଭିତ୍ତିକ ସ୍କ୍ରିନିଂକୁ ସୁଦୃଢ଼ କରିବା, ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା ସୁନିଶ୍ଚିତ କରିବା ଏବଂ ବିପଦପ୍ରବଣ ଜନସଂଖ୍ୟାକୁ ନିୟମିତ ଅନୁସରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାଗୁଡ଼ିକୁ ପ୍ରତ୍ୟେକ ବ୍ଲକ୍ ପାଇଁ ଜଣେ ଲେଖାଏଁ ପ୍ରଥମ ଶ୍ରେଣୀ ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରି ‘ଟିବି ମୁକ୍ତ ଭାରତ ଅଭିଯାନ’ର କାର୍ଯ୍ୟାନ୍ୱୟନ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
‘ପ୍ରୟାସ’ ସମୀକ୍ଷା ବୈଠକରେ ୨୦୨୪–୨୫ର ସ୍କୁଲ ଶିକ୍ଷା ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ଆଧାରରେ ଶିକ୍ଷାର ଗୁଣାତ୍ମକ ଉନ୍ନତି ପାଇଁ ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯାଇଥିଲା। ପିଲାମାନଙ୍କରପଢ଼ିବା, ଲେଖିବା ଓ ଗଣିତ ଦକ୍ଷତା ବୃଦ୍ଧି ସହ ଶ୍ରେଣୀକକ୍ଷରେ ଶିକ୍ଷାଦାନକୁ ଆହୁରି ଫଳପ୍ରଦ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଶିକ୍ଷକ ଅଭାବ ଥିବା ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଶିକ୍ଷକ ବ୍ୟବସ୍ଥା, ପାଠ ଛାଡ଼ିଥିବା ପିଲାମାନଙ୍କୁ ଚିହ୍ନଟ କରି ପୁନଃ ସ୍କୁଲରେ ନାମଲେଖା, ଛାତ୍ରାବାସଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଏବଂ ଅନୁମୋଦିତ ଉନ୍ନୀତ ହୋଇଥିବା ବିଦ୍ୟାଳୟଗୁଡ଼ିକରେ ଶୀଘ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ଆରମ୍ଭ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍କୁଲରୁ ଡ୍ରପ୍ ଆଉଟ୍ ରୋକିବା ପାଇଁ ଶିକ୍ଷକ, ଅଭିଭାବକ, ଗୋଷ୍ଠୀ ସମୁଦାୟ ଓ ସମ୍ପୃକ୍ତ ବିଭାଗମାନଙ୍କର ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଛି ।
ମହିଳା ଓ ଶିଶୁ ବିକାଶ ସଂପର୍କିତ ସମୀକ୍ଷାରେ ସମାଜ ମଙ୍ଗଳ ନିର୍ଦ୍ଦେଶିକା, ଶିଶୁ କୁ–ପୋଷଣ ହ୍ରାସ ସଂପର୍କରେ ଉପସ୍ଥାପନ କରି ଆବଶ୍ୟକ ପଦକ୍ଷେପ ନେଇ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଥିଲେ । ବୟସାନୁସାରେ ଉଚ୍ଚତା କମ୍ ହେବା, ପତଳା ଏବଂ କମ୍ ଓଜନ ଭଳି ପୁଷ୍ଟିହୀନତା ସମସ୍ୟାରେ ପୀଡ଼ିତ ଶିଶୁମାନଙ୍କୁ ଶୀଘ୍ର ଚିହ୍ନଟ, ଚିକିତ୍ସା ଓ ପୋଷଣ ସହାୟତା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଗର୍ଭବତୀ ଓ ପ୍ରସୂତି ମା’ଙ୍କ ପୋଷଣ, ସଂକ୍ରମଣ ରୋକିବା ପାଇଁ ଜନ୍ମ ପରେ ଶୀଘ୍ର ସ୍ତନ୍ୟପାନ, ଶିଶୁଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ପୂରକ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ନିୟମିତ ଶିଶୁଙ୍କ ଓଜନ ଓ ଉଚ୍ଚତା ମାପ, ଘର ପରିଦର୍ଶନ, ପୋଷଣ ପରାମର୍ଶ ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ସମ୍ପର୍କରେ ପରାମର୍ଶ ଦିଆଯାଇଛି ।
‘ସୁପୋଷିତ ଓଡ଼ିଶା ମିଶନ’ ମାଧ୍ୟମରେ ୨୦୨୯ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଅନ୍ତର୍ଭୁକ୍ତ ଅଂଚଳକୁ କୁପୋଷଣମୁକ୍ତ କରିବା ଲକ୍ଷ୍ୟ ରହିଛି। କୁପୋଷଣମୁକ୍ତ ଅର୍ଥ ହେଉଛି ଶିଶୁ, ମା’ ଓ ଅନ୍ୟ ସମ୍ବେଦନଶୀଳ ବର୍ଗର ଲୋକମାନେ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ, ଆବଶ୍ୟକ ସ୍ୱାସ୍ଥ୍ୟସେବା ଏବଂ ସମୟୋପଯୋଗୀ ସହାୟତା ପାଇବେ; ଫଳରେ ଅପପୁଷ୍ଟି, ଗେଡ଼ାପଣ, କ୍ଷୀଣ ଶରୀର ବିଶିଷ୍ଟ ହେବା, ଅତି କ୍ଷୀଣତା, କମ୍ ଓଜନ ଓ ରକ୍ତହୀନତା ଭଳି ସମସ୍ୟା ହ୍ରାସ ପାଇବ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସମନ୍ୱିତ, କ୍ଷେତ୍ରଭିତ୍ତିକ ଏବଂ ଫଳାଫଳମୁଖୀ ପଦକ୍ଷେପ ଗ୍ରହଣ କରି ସ୍ୱାସ୍ଥ୍ୟ, ଶିକ୍ଷା ଓ ପୋଷଣ ସୂଚକାଙ୍କରେ ଉନ୍ନତି ଆଣିବା ସହ ରାଜ୍ୟର ସାମାଜିକ କ୍ଷେତ୍ର ବିକାଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରିବାକୁ ଆହ୍ୱାନ ଦେଇଥିଲେ । ତତ୍ ସହିତ ଗତାନୁଗତିକ ତଦାରଖ ପ୍ରକ୍ରିୟାକୁ ଏକ ସୁବ୍ୟବସ୍ଥିତ ଏବଂ ସମସ୍ୟା ସମାଧାନଭିତ୍ତିକ ଶାସନ ବ୍ୟବସ୍ଥାରେ ପରିଣତ କରି ମାନବ ବିକାଶ ସ୍ଥିତିରେ ଉଲ୍ଲେଖନୀୟ ପ୍ରଗତି ହାସଲ ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ଅଂଶୀଦାରମାନଙ୍କର ସକ୍ରିୟ ସହଯୋଗ ଓ ସମନ୍ୱିତ ପ୍ରୟାସ କାମନା କରିଥିଲେ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
