ମାହାଙ୍ଗା,୩୦/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବାଲିପଡ଼ିଆ ଠାରେ ମଧୁ ସ୍ମୁତି କମିଟି ପକ୍ଷରୁ ଉତ୍କଳ ଗୌରବ ମଧୁ ସୂଦନ ଦାସଙ୍କ ୧୭୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସମାଜସେବୀ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ, ବାଲିପଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ଯୁବ ବିଧାୟକ ଶାରଦା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।
ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିର ଉତଥାନ ପାଇଁ ଜୀବନବ୍ୟାପୀ ସଂଗ୍ରାମ କରିଥିବା କୁଳବୃଦ୍ଧ ମଧୁ ସୂଦନ ତ୍ୟାଗ ଓ ତପସ୍ୟାର ଇତିହାସ ଚିର ସ୍ମରଣୀୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ପ୍ରାଧ୍ୟାପକ ଡକ୍ଟର ମନୋରଞ୍ଜନ ବେହୁରା ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନୃସିଂହ ଚରଣ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।
ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ମହାନ୍ତି ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ ସମିତିସଭ୍ୟ କାହ୍ନୁ ଚରଣ ସାହୁ, ସମାଜସେବୀ ପନଗ ଭୂଷଣ ଦାସ, ସମିତିସଭ୍ୟା ଗଂଗାରାଣୀ ଦେହୁରୀ, କର୍ପୋରେଟର ଗଗନ ଓଝା, ଆଇନୀଜୀବୀ ଶୁଭେନ୍ଦୁ ମହାନ୍ତି ପ୍ରମୁଖ ମଧୁ ବାରିଷ୍ଟରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଏହି ଉତ୍ସବକୁ ପ୍ରଧାନ ଶିକ୍ଷକ ବିଶ୍ୱରଂଜନ ସାମଲ,ଉଦୟନାଥ ସ୍ୱାଇଁ,କଳିଙ୍ଗ ମହାନ୍ତି, ପ୍ରଶାନ୍ତ ସାହୁ, ରାଜା ରାଉତ, ଆର୍ତ୍ତତ୍ରାଣ ସାହୁ, କାର୍ତ୍ତିକ ବେହେରା, ଭାସ୍କର ସାହୁ, ରଂଜିତା ମହାନ୍ତି, ଶକୁନ୍ତଳା ସିଂ,ପ୍ରମୁଖ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନେ ସଂଗୀତ ନୃତ୍ୟ ଏବଂ ଅଭିନୟ ପରିବେଷଣ କରିଥିଲେ ।
