ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ“ରାଜ୍ୟ ଜଳସମ୍ପଦ ବୋର୍ଡ” ବୈଠକ ଅନୁଷ୍ଠିତ

  • “ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭” ରେଥିବା ଲକ୍ଷ୍ୟ ସାଧନ ପାଇଁ ସମନ୍ୱିତ ପ୍ରୟାସ କରିବାକୁପରାମର୍ଶ
  • ୨୦୨୯ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ କାର୍ଯ୍ୟପନ୍ଥାଉପରେ ଆଲୋଚନା

ଭୁବନେଶ୍ୱର, ୧୨/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜିମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ “ଓଡିଶା ରାଜ୍ୟ ଜଳ ସମ୍ପଦ ବୋର୍ଡ”ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

        ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା  ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦବିଭାଗ ଶ୍ରୀମତୀ ଅନୁ ଗର୍ଗ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ମତ୍ସ୍ୟ ଓ ପ୍ରାଣୀ  ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ ଜଳ ସମ୍ପଦ, ଶକ୍ତି, ଗୃହ ଓ ନଗର ଉନ୍ନୟନ ବିଭାଗ, ଶିଳ୍ପ, ଇସ୍ପାତ ଓ ଖଣି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଆଦି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଥିଲେ ।

        ବୈଠକରେ କାର୍ଯ୍ୟକାରୀ “ରାଜ୍ୟ ଜଳ ନୀତି”  ପ୍ରସ୍ତୁତିର ଅଗ୍ରଗତି, ୨୦୨୯ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା, ଜଳସେଚନ କ୍ଷମତା ସୃଷ୍ଟି ଓ ପ୍ରକୃତ ଜଳ ଉପଯୋଗିତା ମଧ୍ୟରେ ରହୁଥିବା ଅନ୍ତରକୁ ହ୍ରାସ କରିବାଏବଂ ଉଠା ଜଳ ସେଚନ  ପ୍ରକଳ୍ପ (ଏଲଆଇପି)ରେ  ଜଳର ତତ୍କାଳିକ  ମାପ ( ରିଅଲ ଟାଇମ ମେଜରମେଣ୍ଟ) ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ବିଷୟରେ ବିସ୍ତୃତ ଉପସ୍ଥାପନ  କରାଯାଇଥିଲା । ଏଥି ସହିତ ଜଳସମ୍ପଦ ବିଭାଗ ଅଧୀନରେ  ଥିବା ବିଭିନ୍ନ ମୁଖ୍ୟ କମିଟିଗୁଡିକୁ ରାଜ୍ୟ ଜଳ ସଂପଦ  ବୋର୍ଡ ସହ ସମନ୍ୱିତ  କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

        ମୁଖ୍ୟ ଶାସନ  ସଚିବ ଶ୍ରୀ ଆହୁଜା, ଜଳ ସମ୍ପଦ ବିଭାଗ ଏବଂ ଜଳ ବ୍ୟବହାରକାରୀ ସମ୍ପୃକ୍ତ ଅଂଶୀଦାରୀ ବିଭାଗମାନଙ୍କୁଜଳ ସମ୍ପଦର ବିକାଶ ଓ ଜଳ ପରିଚାଳନା କ୍ଷେତ୍ରରେ“ଭିଜନ ଡକ୍ୟୁମେଣ୍ଟ ୨୦୩୬ଓ ୨୦୪୭” ରେ ରହିଥିବା ବିଭାଗୀୟ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସାଧନ ପାଇଁ ସମନ୍ୱିତ ଓ ନିରନ୍ତର  ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ ।

        ଉନ୍ନୟନ କମିଶନର ତଥା  ଅତିରିକ୍ତ ମୁଖ୍ୟ ଶାସନ ସଚିବ “ରାଜ୍ୟ ଜଳ ନୀତି” ଖସଡ଼ାର ପ୍ରମୁଖ ଦୃଷ୍ଟିକୋଣ ଓ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ଭାବେ ଅବଗତ କରିଥିଲେ । ସେ ରାଜ୍ୟରେ ଜଳସେଚନ ଅଞ୍ଚଳ ବୃଦ୍ଧି ଏବଂ ଜଳ ସେଚନ ସୃଷ୍ଟି କରାଯାଇଥିବା ଜଳ ସଂପଦ କ୍ଷମତାର ଅଧିକତମ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

        ଓଏଲଆଇସିର ପରିଚାଳନା ନିର୍ଦ୍ଦେଶିକା, ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକରେ ଜଳ ବ୍ୟବହାରର ତତ୍କାଳିକ  ମାପ ନିମନ୍ତେ ପ୍ରଯୁକ୍ତି ବିଦ୍ୟା ଉପଯୋଗ ସଂପର୍କରେ ଉପସ୍ଥାପନ କରିଥିଲେ ।

-0-

ପଠାଣିରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକସଂପର୍କଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *