ଗରଦପୁର,୦୭/୦୭/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ଅବସ୍ଥିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଭୟ ଜାତୀୟ ସେବା ସଂସ୍ଥା ଓ ଯୁବ ରେଡ଼କ୍ରସ ସଂସ୍ଥାର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି । ଜାତୀୟ ସେବା ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରୀ ବସନ୍ତ କୁମାର ପାତ୍ର ଓ ଯୁବ ରେଡ଼କ୍ରସ ସଂସ୍ଥାର କାର୍ଯ୍ୟ ନିର୍ବାହୀ ବିଶ୍ୱଜିତ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ବନ ବିଭାଗ କାର୍ଯ୍ୟାଳୟରୁ ବିଭିନ୍ନ ପ୍ରକାର ୨୫୦ ଟି ଚାରା ଗଛ ଅଣାଯାଇ ବୃକ୍ଷ ରୋପଣ କାର୍ଯ୍ୟକୁ ସଫଳତାର ସହିତ ସମ୍ପନ୍ନ କରାଯାଇଛି ।

ଜୁଲାଇ ୧ ତାରିଖ ଦିନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁ ଙ୍କ ଦ୍ୱାରା ଅନୁଷ୍ଠାନ ପରିସରରେ ବୃକ୍ଷ ରୋପଣ କରାଯାଇ ଉକ୍ତ କାର୍ଯ୍ୟକ୍ରମ ର ଉଦଘାଟନ କରାଯାଇଥିଲା । ପରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ପ୍ରେମ ରଂଜନ ପାତ୍ର,ବିଭୁତି ଭୁଷଣ ବେଉରା,ଉମାକାନ୍ତ ମଲିକ୍,ଅଧ୍ୟାପିକା ତନୁଜା ବିଶ୍ୱାଳ,ପାଂଚାଳୀ ମହାନ୍ତି, ଜ୍ୟୋତିସ୍ମିତା ଜେନା ଏବଂ ଉଭୟ ସଂସ୍ଥାର ସଂଯୋଜକ ଓ ଅଧ୍ୟାପକ ମଙ୍କସରଦ୍ ଅଲ୍ଲୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଚାରା ରୋପଣ କରି ଉକ୍ତ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଏହି ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଅନୁଷ୍ଠାନର ପରିସର ଓ ତତ୍ ସଂଲଗ୍ନ ସର୍ବ ସାଧାରଣ ରାସ୍ତାର ଦୁଇ ପାଶ୍ୱର୍ ରେ ବୃକ୍ଷ ରୋପଣ କରି ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୋନାଲିସା ମହାନ୍ତି, ରାଧେଶ୍ୟାମ ଦାଶ ଓ ରଣଜିତ୍ ମହାନ୍ତି ସମସ୍ତ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ ।
