ଭୁବନେଶ୍ୱର,୧୮/୦୬/୨୦୨୬(ଓଡ଼ିଶା ସମାଚାର)- ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି । ସୂଚନାନୁସାରେ, ଅପରାହ୍ନରେ ସମ୍ବଲପୁରରୁ ମୟୂରଭଞ୍ଜ ଯାଉଥିଲେ । ୪୯ନଂ ଜାତୀୟ ରାଜପଥର କେନ୍ଦୁଝର ତେଲକୋଇ ଥାନା ଅଧୀନ ଜଗମୋହନପୁର ଛକରେ ସମ୍ମୁଖରେ ଯାଉଥିବା ସୁରକ୍ଷା ଗାଡ଼ି (ପାଇଲଟିଂ ଭେହିକଲ୍) ହଠାତ୍ ବ୍ରେକ୍ ଦେଇଥିଲେ ।
ଫଳରେ ପଛରେ ଥିବା ମନ୍ତ୍ରୀଙ୍କ ଗାଡ଼ି ଭାରସାମ୍ୟ ହରାଇ ପାଇଲଟ୍ ଗାଡ଼ି ସହ ଧକ୍କା ହୋଇଥିଲା । ଗାଡ଼ିର ସୁରକ୍ଷା ବେଲୁନ୍ ବାହାରି ଯାଇଥିଲା । ମନ୍ତ୍ରୀଙ୍କ ଗାଡ଼ିର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ମନ୍ତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି । ମନ୍ତ୍ରୀ ସେ ଗାଡ଼ିରୁ ଓହ୍ଲାଇ ଅନ୍ୟ ଏକ କାରରେ ମୟୂରଭଞ୍ଜ ଗସ୍ତ କରିଛନ୍ତି । ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାଯାଇଛି ।
