ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଧାରଣା ଦେଇଥିବା ଜଣେ ବ୍ୟକ୍ତି ଙ୍କ ଆତ୍ମହତ୍ୟା ଉଦ୍ୟମ

ଛତ୍ରପୁର,୧୧/୦୮/୨୦୨୬ (ଓଡ଼ିଶା ସମାଚାର)-ଗଞ୍ଜାମଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଧାରଣା ଦେଇଥିବା ଜଣେ ବ୍ୟକ୍ତି ଆଜି (ମଙ୍ଗଳବାର) ସନ୍ଧ୍ୟାରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ ବୁଗୁଡ଼ା ବ୍ଲକ୍ ଗୌଡ଼ସିଙ୍ଗିପୁର ଗ୍ରାମର ଜଗବନ୍ଧୁ ପ୍ରଧାନ ଜମିଜମା ଓ କ୍ଷତିପୂରଣ ସମ୍ପର୍କିତ ଏକ ମାମଲାରେ ଜଣେ ରାଜସ୍ବ ନିରୀକ୍ଷକ ତାଙ୍କୁ ହଇରାଣ କରୁଥିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ସୁଫଳ ମିଳି ନଥିଲା। ସେ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସି ଦିନତମାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରେ ଧାରଣା ଦେଇଥିଲେ। ହେଲେ ଜିଲ୍ଲାପାଳ କିମ୍ବା ଅନ୍ୟ କୌଣସି ଅଧିକାରୀ ତାଙ୍କୁ ଦେଖା ନକରିବାରୁ ସନ୍ଧ୍ୟା ପ୍ରାୟ ୭ଟାରେ ନିଜ ବ୍ୟାଗ୍‌ରୁ କୀଟନାଶକ ବାହାର କରି ପିଇଦେଇଥିଲେ।
କାର୍ୟ୍ୟାଳୟରେ ଥିବା କିଛି କର୍ମଚାରୀ ଓ ଅନ୍ୟ କିଛି ବ୍ୟକ୍ତି ତାଙ୍କୁ ତୁରନ୍ତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି।

Leave a Reply

Your email address will not be published. Required fields are marked *