ବ୍ୟବସାୟିକ ଶତୃତା ରୁ ଯୁବକଙ୍କୁ ଗୁଳିକରି ହତ୍ୟା, ବନ୍ଧୁକ ଜବତ, ୮ ଗିରଫ

ଭୁବନେଶ୍ୱର, ୦୫/୧୧/୨୦୨୬(ଓଡ଼ିଶା ସମାଚାର)-ପୁଣି ରକ୍ତାକ୍ତ ହେଲା ରାଜଧାନୀ। ଶିଶୁପାଳଗଡ଼ ଗାଁରେ ଗୁଳିକାଣ୍ଡ ଘଟିଛି। ଧଉଳି ଥାନା ଅନ୍ତର୍ଗତ ଗଙ୍ଗୁଆ ନାଳ ନିକଟରେ ଗୁଳିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି। ମାଉସୀ ମା’ ଛକ ଓଭର ବ୍ରିଜ୍ ଉପରେ ଯୁବକଙ୍କ ମୃତ୍ୟୁ ଘଟିଛି। ମାଟି, ଗୋଡି ଆଦି ବେପାର ବିବାଦରୁ ଗୁଳିକାଣ୍ଡ ଘଟିଥିବା ବେଳେ ଧଉଳି ଥାନା ପୁଲିସ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ୩ ଜଣକୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଯୁବକଙ୍କ ମଧ୍ୟରୁ ଜଣଙ୍କ ଘର ଶିଶୁପାଳଗଡ଼ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ବୁଧବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଥିଲା। ଗଙ୍ଗୁଆ ନାଳରୁ ବନ୍ଧୁକ ଜବତ ହୋଇଛି। ତେବେ ରାଜଧାନୀର ଏହି ଗୁଳିକାଣ୍ଡ ଘଟଣାରେ ବଡ଼ ଟ୍ୱିଷ୍ଟ ଆସିଛି। ଗୁଳିମାଡ଼ ପରେ ନିଜେ ଅଭିଯୁକ୍ତ ଗୁରୁତର ଯୁବକଙ୍କୁ ଗାଡ଼ିରେ ମେଡିକାଲ ନେଉଥିଲେ । ମେଡିକାଲ ନେବାବେଳେ ବାଟରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଥିଲା ।


ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଶିଶୁପାଳଗଡ଼ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ୍ କରିଛି ଧଉଳି ଥାନା ପୁଲିସ। ମୁଖ୍ୟ ଅଭିଯୁକ୍ତ ଉମେଶ ପଟ୍ଟନାୟକ ଓ ବିଷ୍ଣୁ ପ୍ରସାଦ ସାମନ୍ତରାୟଙ୍କ ସମେତ ମୋଟ ୮ ଜଣଙ୍କୁ ପୁଲିସ ଗିରଫ କରିଛି । ଏଥିସହ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଗଙ୍ଗୁଆ ନାଳରୁ ଜବତ କରାଯାଇଛି।ସୂଚନା ଅନୁଯାୟୀ, ଶିଶୁପାଳଗଡ଼ ଗାଁରେ ତପନ ନାଏକଙ୍କୁ ଗୁଳି କରାଯାଇଥିଲା। ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଥିବା ତପନଙ୍କୁ ଅଭିଯୁକ୍ତ ଉମେଶ ଓ ବିଷ୍ଣୁ ନିଜେ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତପନଙ୍କୁ ମୃତ ଘୋଷଣା କରିବା ପରେ ଘଟଣାକୁ ଭିନ୍ନ ରୂପ ଦେବାକୁ ଅଭିଯୁକ୍ତମାନେ ଯୋଜନା କରିଥିଲେ।

ମାଉସୀମାଆ ଛକରେ କୌଣସି ଦୁର୍ବୃତ୍ତ ତପନଙ୍କୁ ଗୁଳି କରି ହତ୍ୟା କରିଥିବା ନେଇ ତାଙ୍କ ପରିବାରକୁ ମିଥ୍ୟା ସୂଚନା ଦେଇଥିଲେ। ଫଳରେ ଘଟଣାକୁ ନେଇ ଆରମ୍ଭରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ତେବେ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିବା ପରେ ଘଟଣାର ପ୍ରକୃତ ରହସ୍ୟ ଧୀରେ ଧୀରେ ସାମ୍ନାକୁ ଆସିଥିଲା।

ଅନ୍ୟପକ୍ଷରେ, ପୁଲିସ ତଦନ୍ତରୁ ବର୍ତ୍ତିବା ପାଇଁ ଉମେଶ ଓ ବିଷ୍ଣୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ବଡ଼ଗଡ଼ ଅଞ୍ଚଳରୁ ସେମାନଙ୍କୁ କାବୁ କରାଯାଇଥିଲା। ଲଗାତାର ପଚରାଉଚରା ପରେ ଉମେଶଙ୍କ ଦୁଇ ସହଯୋଗୀ ପୋଲିସ ସମ୍ମୁଖରେ ଘଟଣା ସମ୍ପର୍କରେ ତଥ୍ୟ ଦେଇଥିବା ଜଣାପଡ଼ିଛି। ଏହାପରେ ପୁଲିସ ଗଙ୍ଗୁଆ ନାଳରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଛି।

Leave a Reply

Your email address will not be published. Required fields are marked *