କେନ୍ଦ୍ରାପଡାରେ ଜିଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକ,ଦୁର୍ଘଟଣା ରୋକିବାକୁ ସଚେତନତା ଓ କଡା ଏନଫୋର୍ସମେଂଟ ଉପରେ ଗୁରୁତ୍ୱ

ଜାନୁଆରୀରୁ ସେପ୍ଟେମ୍ବର ୨୦୨୬ମଧ୍ୟରେ ୨୫୪ ସଡକ ଦୁର୍ଘଟଣା, ୯୮ଜଣଙ୍କ ମୃତୁ୍ୟ
କେନ୍ଦ୍ରାପଡ଼ା,୦୫/୧୧/୨୦୨୬ (ଓଡ଼ିଶା ସମାଚାର)- ଜିଲାରେ ସଡ଼କ ଦୁର୍ଘଟଣା ହ୍ରାସ କରିବା, ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ଜିଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକ ଜିଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଓସ୍ୱାନ୍ ହଲ୍ ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲାରେ ଚଳିତ ୨୦୨୬ ଜାନୁଆରୀରୁ ସେପ୍େଟମ୍ବର ମାସ ପର୍ଯ୍ୟନ୍ତ ଘଟିଥିବା ସଡ଼କ ଦୁର୍ଘଟଣାର ସ୍ଥିତି ଓ ଏହାର କାରଣ ସମୀକ୍ଷା କରାଯାଇଥିଲା । ଏହି ୯ ମାସ ମଧ୍ୟରେ ଜିଲାରେ ମୋଟ ୨୫୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୯୮ ଜଣଙ୍କ ମୃତୁ୍ୟ ହୋଇଛି । ୧୨୭ ଜଣ ଗୁରୁତର ଆହତ ଏବଂ ୨୯ ଜଣ ସାମାନ୍ୟ ଆହତ ହୋଇଛନ୍ତି ।

ଏହି ପରିସଂଖ୍ୟାନକୁ ଗୁରୁତ୍ୱର ସହ ନେଇ ଦୁର୍ଘଟଣା ରୋକିବା ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଜାତୀୟ ରାଜପଥର ରୋ-ଅଫ୍-ୱେ ଏବଂ ସଡ଼କ ସୁରକ୍ଷା ଜୋନ୍ ମଧ୍ୟରେ ଥିବା ବେଆଇନ ଢାବା, ଗ୍ୟାରେଜ୍, ଦୋକାନ, ଭେଣ୍ଡିଂ ଜୋନ୍, ବାଣିଜ୍ୟିକ ପ୍ରତିଷ୍ଠାନ ଓ ଗାଡ଼ି ଧୋଇବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ନିୟମାନୁଯାୟୀ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ଜାତୀୟ ରାଜପଥର ମୁଖ୍ୟ ଯାତାୟାତ ପଥରେ କୌଣସି ଭାରୀଯାନକୁ ପାର୍କିଂ କିମ୍ବା ଅଟକାଇବାକୁ ଅନୁମତି ନ ଦେଇ କେବଳ ନିର୍ଦ୍ଧାରିତ ପାର୍କିଂ ସ୍ଥାନ, ଟ୍ରକ୍ ଲେ-ବାଏରେ ଗାଡ଼ି ରଖିବା ସୁନିଶ୍ଚିତ କରିବାକୁ କୁହାଯାଇଥିଲା । ଗୋପ ଛକ, ଛଗରିଆ ଛକ ଓ ଛତା ଛକ ଆଦି ସ୍ଥାନରେ ଥିବା ଅଣ୍ଡରପାସ୍ ତଳେ ଯାନବାହନ ପାର୍କିଂ ଏବଂ ଭେଣ୍ଡିଂ ଜୋନ୍ରେ ଗାଡ଼ି ରଖିବା ଭଳି ସମସ୍ୟା ଉପରେ ଉଦବେଗ ପ୍ରକାଶ ପାଇଥିଲା ।

ସେହିପରି ତିନିମୁହାଣୀରୁ ଦୁହୁରିଆ ଏବଂ ଦୁହୁରିଆରୁ ଓମଫେଡ୍ ଛକ ପର୍ଯ୍ୟନ୍ତ ରାସ୍ତାରେ ଭାରୀଯାନର ବେଆଇନ ପାର୍କିଂ ଓ ଟିନିମୁହାଣୀରୁ ଦୁହୁରିଆ ରାସ୍ତା ପାର୍ଶ୍ୱରେ ବାଲି, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ବେଆଇନ ଭାବେ ଗଚ୍ଛିତ ରଖିବା ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ଜିଲାପାଳ । ଟ୍ରକ୍ ଟର୍ମିନାଲ୍ରେ ରହିଥିବା ସମସ୍ୟା ଏବଂ ଏହାର ବର୍ତମାନର ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା । ବୈଠକରେ ଜୁଲାଇ, ଅଗଷ୍ଟ ଓ ସେପ୍େଟମ୍ବର ୨୦୨୬ ମାସରେ ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ଏନଫୋର୍ସମେଂଟ କାର୍ଯ୍ୟ ଓ ଜୋରିମାନା ଆଦାୟର ବିବରଣୀ ଉପସ୍ଥାପନ କରାଯାଇଥିଲା । ଏହି ସମୟରେ ଅତ୍ୟଧିକ ବେଗରେ ଗାଡ଼ି ଚାଳନା ପାଇଁ ୨୩୧୯ଟି ମାମଲାରେ ୮,୪୨,୦୦୦ ଟଙ୍କା, ଗାଡ଼ି ଚାଳନା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ପାଇଁ ୧୪୪ଟି ମାମଲାରେ ୫୦,୦୦୦ ଟଙ୍କା, ହେଲମେଟ୍ ବିନା ଗାଡ଼ି ଚାଳନା ପାଇଁ ୧୧୧୮ଟି ମାମଲାରେ ୧,୨୦,୦୦୦ ଟଙ୍କା ଏବଂ ସିଟ୍ ବେଲ୍ଟ ବ୍ୟବହାର ନ କରିବା ପାଇଁ ୧୧ଟି ମାମଲାରେ ୬,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି ।

ସେହିପରି ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ପାଇଁ ୪୨ଟି ମାମଲାରେ ୬୫,୦୦୦ ଟଙ୍କା, ଅଧିକ ଓଜନର ସାମଗ୍ରୀ ପରିବହନ ପାଇଁ ୮୦ଟି ମାମଲାରେ ୯,୨୮,୧୫୪ ଟଙ୍କା, ବେଆଇନ ପାର୍କିଂ ପାଇଁ ୨୧୧ଟି ମାମଲାରେ ୨୪,୫୦୦ ଟଙ୍କା ଏବଂ ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ୪୫ଟି ମାମଲାରେ ୧,୧୦,୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବିଭିନ୍ନ ନିୟମ ଉଲଂଘନ ମଧ୍ୟରେ ବିନା ପରମିଟ୍, ବୈଧ ଫିଟନେସ୍ ସାର୍ଟିଫିକେଟ୍ ଓ ବୀମା ବିନା ଗାଡ଼ି ଚଳାଚଳ ଏବଂ ବିପଜ୍ଜନକ ଗାଡ଼ି ଚାଳନା ଭଳି ଅପରାଧ ପାଇଁ ୨୬ଟି ଯାନର ପଞ୍ଜୀକରଣ ପ୍ରମାଣପତ୍ର (ଆରସି) ନିଲମ୍ବନ କରାଯାଇଛି । ଏହାସହିତ ୦୧.୦୭.୨୦୨୬ରୁ ୩୦.୦୯.୨୦୨୬ ମଧ୍ୟରେ ୩୪୬ଟି ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ନିଲମ୍ବନ କରାଯାଇଛି ।

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ଏବଂ ଜୀବନ ରକ୍ଷା କରିବା ଉଦ୍ଧେଶ୍ୟରେ ପିଏମ୍ ରାହତ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଉଚ୍ଚନୀଚ ରାସ୍ତାକୁ ସମତଳ କରିବା, ରାସ୍ତାର ତ୍ରୁଟି ସୁଧାରିବା ଏବଂ ସୁରକ୍ଷିତ ଯାତାୟାତ ପାଇଁ ଆବଶ୍ୟକ ଭିତିଭୂମିଗତ ପଦକ୍ଷେପ ନେବାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା । କେବଳ ଜୋରିମାନା ଆଦାୟ ନୁହେଁ, ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତାକୁ ମଧ୍ୟ ଅଧିକ ବ୍ୟାପକ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଯୁବପିଢ଼ିଙ୍କୁ ହେଲମେଟ୍ ଓ ସିଟ୍ ବେଲ୍ଟର ଗୁରୁତ୍ୱ, ଦ୍ରୁତ ଓ ବେପରୁଆ ଗାଡ଼ି ଚାଳନାର କୁପରିଣାମ, ମଦ୍ୟପାନ କରି ଗାଡ଼ି ନ ଚଳାଇବା ଏବଂ ଟ୍ରାଫିକ୍ ନିୟମ ପାଳନ ସମ୍ପର୍କରେ ସଚେତନ କରିବାକୁ କୁହାଯାଇଥିଲା । ସଚେତନତା ସହିତ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ଏନଫୋର୍ସମେଂଟକୁ ଅଧିକ କଡ଼ାକଡ଼ି କରିବା ଏବଂ ବେପରୁଆ ଗାଡ଼ି ଚାଳନା ଉପରେ ବିଶେଷ ନଜର ରଖିବାକୁ ନିର୍ଦେଶ ଦିଆଯାଇଥିଲା ।ବୈଠକରେ ଉପଜିଲାପାଳ ଅରୁଣ କୁମାର ନାୟକ, ଆଂଚଳିକ ପରିବହନ ଅଧିକାରୀ ଲୋକନାଥ ମେହେରଙ୍କ ସମେତ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଅଧିକାରୀ, ବସ୍/ଟ୍ରକ ମାଲିକ ସଂଘର କର୍ମକର୍ତା ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *