କେନ୍ଦ୍ରାପଡ଼ା,୦୫/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଏକ କୋଟି ୬ ଲକ୍ଷ ଟଙ୍କାର ବିରାଟ ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନିକ ସ୍ତରରେ ତୀବ୍ର ଚାଂଚଲ୍ୟ ଖେଳିଯାଇଛି । ଏହି ବଡ଼ ଧରଣର ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଥିବା ବ୍ଲକ କ୍ୟାସିୟର ଶଶିକାନ୍ତ ରଣା ଘଟଣା ପରଠାରୁ ଫେରାର୍ ଥିବା ବେଳେ ଗୁରୁବାର ଜିଲାପାଳଙ୍କ ନିର୍ଦେଶକ୍ରମେ ଓ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ତାଙ୍କ ଅଧିନରେ ଥିବା ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକୋଷ୍ଠର ତାଲା କଟାଯାଇ କାଗଜପତ୍ର ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶଶିକାନ୍ତ ରଣା ଏକକାଳୀନ କ୍ୟାସିୟର, ଏଷ୍ଟାବ୍ଲିସମେଂଟ କ୍ଲର୍କ ଏବଂ ସେକସନ ଅଫିସର ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିଲେ ।
ଫଳରେ ସେ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ତିନୋଟି ଭିନ୍ନ ଭିନ୍ନ କୋଠରୀରେ ସରକାରୀ କାଗଜପତ୍ର ରଖି କାର୍ଯ୍ୟ ସମ୍ପାଦନ କରୁଥିଲେ । ସେ ହଠାତ୍ ଫେରାର୍ ହୋଇଯିବା ପରେ ଏବଂ ସେହି ସମସ୍ତ କୋଠରୀରେ ତାଲା ପଡ଼ି ରହିଥିବାରୁ ଆର୍ଥିକ କାରବାର ସମ୍ବନ୍ଧୀୟ ଫାଇଲ୍ ତଦନ୍ତ କରିବାରେ ଅସୁବିଧା ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଥିଲା । ଗୁରୁବାର ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଡେରାବିଶର ଅତିରିକ୍ତ ତହସିଲଦାର ଭାସ୍କର ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଉକ୍ତ ତିନୋଟି ପ୍ରକୋଷ୍ଠର ତାଲା କଟାଯାଇ ଖୋଲାଯାଇଥିଲା । ଜିଲାପାଳଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ବ୍ଲକର ସେକସନ ଅଫିସର ମିନାକ୍ଷୀ ବାରିକ, ସିନିୟର ରେଭିନ୍ୟୁ ଆସିଷ୍ଟାଂଟ ଅରୁଣ କୁମାର ଦାସ ଏବଂ କମ୍ପ୍ୟୁଟର ପ୍ରୋଗ୍ରାମର ତାପସ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ।
ତାଲା ଖୋଲାଯିବା ପରେ ଅଧିକାରୀମାନେ ପ୍ରକୋଷ୍ଠ ଭିତରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର, କ୍ୟାସବୁକ୍, ଚେକ୍ବୁକ୍, ବିଲ୍ ଭାଉଚର ଏବଂ କମ୍ପ୍ୟୁଟର ହାର୍ଡଡିସ୍କ ଆଦିର ତନ୍ନ ତନ୍ନ କରି ଯାଂଚ କରିବା ସହ ତଦନ୍ତ ପାଇଁ ଆବଶ୍ୟକ କାଗଜପତ୍ର ଜବତ କରିଛନ୍ତି । ତେବେ ଏହି ଘଟଣାରେ ସରକାରୀ ନିୟମାବଳୀର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଅଭିଯୋଗ ଉଠିଛି । ସରକାରୀ ନିୟମ ଅନୁସାରେ, ଜଣେ ସାଧାରଣ କିରାଣୀଙ୍କୁ କେବେ ହେଲେ ଏକାସାଙ୍ଗରେ ଉଚ୍ଚ ପଦବୀ ଥିବା ସେକସନ ଅଫିସର ଏବଂ ଆର୍ଥିକ କ୍ଷମତା ଥିବା କ୍ୟାସିୟର ଦାୟିତ୍ୱ ପ୍ରଦାନ କରାଯିବା କଥା ନୁହେଁ । କିନ୍ତୁ ଡେରାବିଶ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ନମିତା ବାରିକ ସମସ୍ତ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦେଇ କେଉଁ ପରିସ୍ଥିତିରେ ଓ କି ଉଦ୍ଧେଶ୍ୟରେ ଶଶିକାନ୍ତଙ୍କୁ ଏହି ଦୁଇଟି ଅତ୍ୟନ୍ତ ସମ୍ବେଦନଶୀଳ ଦାୟିତ୍ୱ ନ୍ୟସ୍ତ କରିଥିଲେ ତାହା ଏବେ ସନ୍ଦେହ ଘେରକୁ ଆସିଛି ।
କେନ୍ଦ୍ରାପଡ଼ା ଜିଲାର ବୁଦ୍ଧିଜୀବୀ, ସମାଜସେବୀ ତଥା ସାଧାରଣ ନାଗରିକମାନେ ଏ ନେଇ ବିଡିଓଙ୍କ କାର୍ଯ୍ୟକଳାପ ଉପରେ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି । ବିଡିଓ ଶ୍ରୀମତୀ ବାରିକ ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ତଥା ମଧୁଚନ୍ଦ୍ରିକା ରଖିବା ପାଇଁ ଶଶିକାନ୍ତଙ୍କୁ ଏହିଭଳି ଏକାଧିକ ପଦବୀରେ ବସାଇଥିଲେ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ବିନା ଉଚ୍ଚ ପ୍ରଶାସନିକ ସହଯୋଗ କିମ୍ବା ଆଶୀର୍ବାଦରେ ଜଣେ କର୍ମଚାରୀ ସରକାରୀ ପାଣ୍ଠିରୁ ଏକ କୋଟି ୬ ଲକ୍ଷ ଟଙ୍କା ଏକାକୀ ଆତ୍ମସାତ୍ କରିବା ଅସମ୍ଭବ ବୋଲି ବୁଦ୍ଧିଜୀବୀମାନେ କହିିଛନ୍ତି ।
