କାଳବୈଶାଖୀ ଭାଙ୍ଗିଦେଲା ଯୁବଉଦ୍ୟୋଗୀଙ୍କ ଆର୍ଥିକ ମେରୁଦଣ୍ଡ

ସ୍ୱାମୀ ଭିନ୍ନକ୍ଷମ, ରଣ ପରିଶୋଧ ଚିନ୍ତାରେ ଜ୍ୟୋତିର୍ମୟୀ
କେନ୍ଦ୍ରାପଡ଼ା,୧୧/୦୬/୨୦୨୬ (ଓଡ଼ିଶା ସମାଚାର)-କାଳବୈଶାଖୀ ଭାଙ୍ଗିଦେରଇଛି ଜଣେ ମହିଳା ଯୁବ ଉଦ୍ୟୋଗୀଙ୍କ ଆର୍ଥିକ ମେରୁଦଣ୍ଡ । ମହିଳାଙ୍କ ସ୍ୱାମୀ ଭିନ୍ନକ୍ଷମ ହୋଇଥିବା ବେଳେ ସେ ଋଣ କରି ଏକ ପାଣି ବୋତଲ ଉଦ୍ୟୋଗ ଖୋଲିଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ସ୍ୱାମୀଙ୍କ ଚିକିତ୍ସା ଓ ପରିବାର ପ୍ରତିପୋଷଣ କରୁଥିଲେ । ଏହିପରି ଘଟଣା ଘଟିଛି କେନ୍ଦ୍ରାପଡା ଜିଲା କେନ୍ଦ୍ରାପଡା ବ୍ଲକର କୁତୁରଙ୍ଗ ଗ୍ରାମପାଚାୟତର ବିଷ୍ଣୁଦାସପୁର ଗ୍ରାମରେ । ଅନୁସନ୍ଧାନରୁ ଜଣାପଡିଛି ବିଷ୍ଣୁଦାସପୁର ଗ୍ରାମର ଜ୍ୟୋତିର୍ମୟୀ ସେନାପତିଙ୍କ ସ୍ୱାମୀ ସତ୍ୟରଞ୍ଜନ ସେନାପତି ଜଣେ ଭିନ୍ନକ୍ଷମ ବ୍ୟକ୍ତି । ପରିବାର ପ୍ରତିପୋଷଣ କରିବା ପାଇଁ ସତ୍ୟରଞ୍ଜନଙ୍କ ପାଇଁ କଷ୍ଟସାଧ୍ୟ ହେଲା । ତେଣୁ ପରିବାରର ବୋଝ ମୁଣ୍ଡାଇବା ପାଇଁ ଅନ୍ଟାଭିଡିଲେ ପତ୍ନୀ ଜ୍ୟୋତିର୍ମୟୀ ।

ଗତ ୪ମାସ ତଳେ ଏନେଇ ଜ୍ୟୋତିର୍ମୟୀ ଦେଢକୋଟି ଟଙ୍କାର ଋଣ ବ୍ୟାଙ୍କରୁ ଆଣିଥିଲେ । ଏହି ଟଙ୍କାରେ ସେ ବିଷ୍ଣୁଦାସପୁର ଗ୍ରାମରେ ପୂର୍ଣ୍ଣବାସୀ ବିଭରେଜ ୱାଟର ପ୍ଲାନ୍ଟନାମରେ ଏକ ଉଦ୍ୟୋଗ ସ୍ଥାପନ କରିଥିଲେ । ଏଥିରୁ ଦୈନିକ ୧୦ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ଅମଳ ହେଉଥିଲା । ଏଥିରେ ୨୦ଜଣ କର୍ମଚାରୀ ନିଯୁକ୍ତି ହୋଇଥିଲେ । ଏହି ଉଦ୍ୟୋଗରୁ ଯାହା ଲାଭାଂଶ ମିଳୁଥିଲା ସେଥିରୁ ଜ୍ୟୋତିର୍ମୟୀ ବ୍ୟବସାୟକୁ ଚାଲୁରଖିବା ସହ ୨୦ଟି ପରିବାର ପାଇଁ ଦାନା ଯୋଗାଡ କରିପାରୁଥିଲେ । ଆଉ କିଛି ଦିନ ଯାଇଥିଲେ ଜ୍ୟୋତିର୍ମୟୀ ବ୍ୟାଙ୍କ ଋଣ ପରିଶୋଧ କରିବା ପାଇଁ ସକ୍ଷମ ହୋଇଥାନ୍ତେ ।

କିନ୍ତୁ ଅସମୟରେ ଚଡକ ପଡିବା ସଦୃଶ ଗତ ୮ତାରିଖରେ କାଳବୈଶାଖୀ ତାହାର କରାଳରୂପ ଦେଖାଇଥିଲା । ଏହାଦ୍ୱାରା ଜ୍ୟୋତିର୍ମୟୀଙ୍କ ପ୍ଲାନ୍ଟ ସମ୍ପୂର୍ଣ୍ଣ ଉଡିଯାଇଥିଲା । ମେସିନାରୀ ଓ ଯନ୍ତ୍ରପାତି ସବୁ ଭାଙ୍ଗିରୁଜି ଛାରଖାର ହୋଇଯାଇଥିଲା । ପବନର ବେଗ ଏତେ ତୀବ୍ର ଥିଲା ଯେ ଦସ୍ତାରେ ନିର୍ମିତ ପ୍ଲାନ୍ଟର ଛାତକୁ କାନ୍ଥରୁ ଉପାଡି ୫ଶହ ମିଟର ଦୂରକୁ ଉଡାଇ ନେଇଥିଲା । ଏହା ଦେଖି ହତବାକ ହୋଇଯାଇଥିଲେ ଜ୍ୟୋତିର୍ମୟୀ ଓ ଏଥିରେ କାମ କରୁଥିବା ୨୦ କର୍ମଚାରୀ । ପ୍ଲାନ୍ଟର ଯେଉଁ କ୍ଷତି ଘଟିଲା ତାହା କିପରି ଭରଣ କରାଯିବ ସେ ଚିନ୍ତାରେ ଜ୍ୟୋତିର୍ମୟୀଙ୍କ ଆଖିକୁ ନିଦ ଆସୁନି । ପ୍ଲାନ୍ଟକୁ ପୁନର୍ବାର ସଳଖି ଛିଡାକରିବା ପାଇଁ ହେଲେ ଜ୍ୟୋତିର୍ମୟୀଙ୍କୁ ପ୍ରାୟ ଏକ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କାର ଆବଶ୍ୟକତା ରହିଛି । ହେଲେ ଏହି ଟଙ୍କା ସେ କେଉଁଠୁ ଯୋଗାଡ କରିବେ ସେ ନେଇ କିଛି ବୁଦ୍ଧିବାଟ ଦିସୁନଥିବା କୋହଭରା କଣ୍ଠରେ ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *