ଜଗତସିଂହପୁର,୦୬/୦୨/୨୦୨୫(ଓଡ଼ିଶା ସମାଚାର)- ଆଜି ନୂଆପୋଲ ଠାରେ ଥିବା ଆସ୍ରା ସ୍ବତନ୍ତ୍ର ବିଦ୍ୟାଳୟ ପରିସର ରେ ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ର ସି ଏସ ଆର୍ ପାଣ୍ଠି ରୁ ଭିନ୍ନକ୍ଷମ ମାନଙ୍କୁ ଇ ରିକ୍ସା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ୧୮ ବର୍ଷରୁ ୫୦ ବର୍ଷ ବୟସ ମଧ୍ୟରେ ଅସ୍ଥିଶଲ୍ୟ ବିକଳାଙ୍ଗ ପ୍ରମାଣ ପତ୍ର(୪୦ପ୍ରତିଶତ ରୁ ଉର୍ଦ୍ଧ୍ବ)ଥିବା ଏବଂ ଅସ୍ଥିଶଲ୍ୟ ଡାକ୍ତର ଙ୍କ ଦ୍ଵାରା ମେଡିକାଲି ଫିଟ୍ ଘୋଷିତ ଏବଂ ବାର୍ଷିକ ଏକ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା ୧୪ ଜଣ ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କର ଜୀବିକା ସହାୟତା ନିମନ୍ତେ ଇ ରିକ୍ସା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଶିଳ୍ପ ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହି ପ୍ରକାର କାର୍ଯ୍ୟକ୍ରମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। 

ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସରକାରଙ୍କର ଅନେକ ଯୋଜନା ଯଥା ବିବାହ ପ୍ରୋତ୍ସାହନ, ଛାତ୍ରବୃତ୍ତି, ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ, ବର୍ଦ୍ଧିତ ଭତ୍ତା, ପାଠପଢ଼ା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ ତାଙ୍କ ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସରକାରଙ୍କର ବିଭିନ୍ନ ବିକାଶୋନ୍ମୁଖୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ କହିଥିଲେ। ଏହା ଦ୍ଵାରା ଭିନ୍ନକ୍ଷମ ଭାଇ ଭଉଣୀ ମାନେ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବା ସଙ୍ଗେ ସଙ୍ଗେ ସମାଜ ଏବଂ ଦେଶର ଉନ୍ନତି ହେବ ବୋଲି ସେ ପ୍ରକାଶ କରିଥିଲେ।

ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଓ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଧ୍ୟ ଅନୁରୂପ ମତ ଦେଇଥିଲେ।ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସରକାର ଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ ନିଶ୍ଚିତ ଭାବେ ସେମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପରେ ଅତିଥି ମାନେ ଭିନ୍ନକ୍ଷମ ମାନଙ୍କୁ ଇ ରିକ୍ସା ବିତରଣ କରିବା ସହ ନିଜେ ମଧ୍ୟ ଏହାର ସବାରି କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ର କର୍ମକର୍ତ୍ତା, ଆସ୍ରା ସ୍ବତନ୍ତ୍ର ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମକର୍ତ୍ତା ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ଆସ୍ରା ସ୍ବତନ୍ତ୍ର ବିଦ୍ୟାଳୟ ର ଅନ୍ତେବାସୀ, ଅଭିଭାବକ, ହିତାଧୀକାରୀ, ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
