ପ୍ରାୟ ଶହେ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା, ୧୪ଟି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ସହ ଏକ ହଜାର ଯୁବପିଢୀ ପାଇବେ ରୋଜଗାର
କେନ୍ଦ୍ରାପଡ଼ା, ୩୦/୧୦/୨୦୨୬ (ଓଡ଼ିଶା ସମାଚାର)- କନ୍ଦ୍ରାପଡ଼ା ଜିଲାର ପ୍ରଗତି ତଥା ଶିଳ୍ପ ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ପାନ୍ତୁରୀଠାରେ ପ୍ରାୟ ୩୮.୮୮୪ ଏକର ପରିମିତ ଭୂମିକୁ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱତନ୍ତ୍ର ‘ଶିଳ୍ପାଂଚଳ’ ମାନ୍ୟତା ପ୍ରଦାନ କରାଯାଇଛି । ଗତ ୨୮ ଅକ୍ଟୋବରରେ ଏହି ସରକାରୀ ସ୍ୱୀକୃତି ମିଳିବା ପରେ ଜିଲାରେ ବ୍ୟାପକ କର୍ମନିଯୁକ୍ତି ଏବଂ ସ୍ଥାନୀୟ ଉଦ୍ୟୋଗୀକରଣ ପାଇଁ ବାଟ ଫିଟିଛି । ଜିଲା ପ୍ରଶାସନ, ରାଜ୍ୟ ଭିତିଭୂମି ଉନ୍ନୟନ ନିଗମ ଏବଂ ଜିଲା ଶିଳ୍ପ ପୁଞ୍ଜିନିବେଶ ପ୍ରୋତ୍ସାହନ ସଂସ୍ଥାର ମିଳିତ ଉଦ୍ୟମରେ ଏହି ସଫଳତା ସମ୍ଭବ ହୋଇପାରିଛି ।
ପୂର୍ବରୁ ଉଦ୍ୟୋଗ ବିଭାଗର ଶାସନ ସଚିବ ତଥା କମିଶନର ରଶ୍ମିତା ପଣ୍ଡା ଜିଲାର ବରିଷ୍ଠ ଅଧିକାରୀମାନଙ୍କ ଗହଣରେ ଏହି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଭିତିିଭୂମି ଯାଂଚ କରିଥିଲେ । ପରବର୍ତୀ ସମୟରେ ଜିଲାପାଳ ରଘୁରାମ ଆର. ଆୟର ଏବଂ ରାଜ୍ୟ ଭିତିିଭୂମି ଉନ୍ନୟନ ନିଗମ ମଧ୍ୟରେ ଆନୁଷ୍ଠାନିକ ଜମି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହାପରେ ପ୍ରକଳ୍ପର କାର୍ଯ୍ୟକାରିତା ତଥା ବିକାଶ କାର୍ଯ୍ୟର ଅନୁଧ୍ୟାନ ନିମନ୍ତେ ଜିଲାପାଳ ସ୍ୱୟଂ ଉକ୍ତ ସ୍ଥାନକୁ ଯାଇ ନିରୀକ୍ଷଣ କରିଥିଲେ । ଏହି ନୂତନ ଶିଳ୍ପାଂଚଳରେ କାରଖାନା ସ୍ଥାପନ ନିମନ୍ତେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ ମଞ୍ଜୁରୀ ବୈଠକରେ ୧୪ଟି କ୍ଷୁଦ୍ର, ଅଣୁ ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଚୂଡ଼ାନ୍ତ ଅନୁମତି ମିଳିଛି । ବର୍ତମାନ ସୁଦ୍ଧା ଏଥିପାଇଁ ୨୧.୬୧୭ ଏକର ଜମି ବଂଟନ ଅନୁମୋଦିତ ହୋଇସାରିଛି ।
ଏହି ସମସ୍ତ ଉଦ୍ୟୋଗ ପ୍ରତିଷ୍ଠା ହେଲେ ପ୍ରାୟ ୯୯.୨୦୪ କୋଟି ଟଙ୍କାର ବ୍ୟାପକ ପୁଞ୍ଜି ଖଟାଯିବ, ଯାହାଦ୍ୱାରା ଅଂଚଳର ପ୍ରାୟ ୧,୦୦୦ ଯୁବକଯୁବତୀଙ୍କ ନିମନ୍ତେ ପ୍ରତ୍ୟକ୍ଷ ରୋଜଗାର ତଥା କର୍ମନିଯୁକ୍ତିର ସୁବିଧା ସୃଷ୍ଟି ହୋଇପାରିବ । ପାନ୍ତୁରୀ ଶିଳ୍ପାଂଚଳର ଏହି ସଫଳତା କେବଳ ପଟ୍ଟାମୁଣ୍ଡାଇ ନୁହେଁ, ବରଂ ସମଗ୍ର କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତିକୁ ସୁଦୃଢ଼ କରିବ । ଏହାଦ୍ୱାରା ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ନୂତନ ଦ୍ୱାର ଉନ୍ମୁକ୍ତ ହେବା ସହିତ ଜିଲାର ଆର୍ଥôକ ଅଭିବୃଦ୍ଧି ନୂତନ ଶିଖର ଛୁଇଁବ ବୋଲି ଆଶା କରାଯାଉଛି ।
