କେନ୍ଦ୍ରାପଡ଼ା,୩୦/୧୦/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଚର୍ଚ୍ଚିତ ତଥା ବିବାଦୀୟ ଉପଜିଲାପାଳ ଅରୁଣ କୁମାର ନାୟକଙ୍କୁ ରାଜ୍ୟ ସରକାର ଶେଷରେ ବଦଳି କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ତାଙ୍କୁ ପୁରୀ ଜିଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ତାଙ୍କ ସ୍ଥାନରେ ଶ୍ରୀମନ୍ଦିର ପ୍ରଶାସନର ଉପପ୍ରଶାସକ(ରାଜସ୍ୱ) ଭାବେ କାର୍ଯ୍ୟରତ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ୟୋତିକାନ୍ତ ଭୂଜବଳଙ୍କୁ କେନ୍ଦ୍ରାପଡ଼ାର ନୂତନ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି । ପ୍ରକାଶ ଥାଉକି କେନ୍ଦ୍ରାପଡ଼ାରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଉପଜିଲାପାଳ ଶ୍ରୀ ନାୟକଙ୍କ କାର୍ଯ୍ୟଶୈଳୀ ଓ ଆଚରଣକୁ ନେଇ କ୍ରମାଗତ ଭାବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା ।
ବିଭିନ୍ନ ସମୟରେ ତାଙ୍କର ଅପ୍ରୀତିକର ବ୍ୟବହାର ଓ ମନମୁଖୀ କାର୍ଯ୍ୟକଳାପ ନେଇ ଜିଲାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଲାଗି ରହିଥିଲା । ପୂର୍ବରୁ ସେ ସ୍ଥାନୀୟ ଆଇନଜୀବୀମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ଗଣମାଧ୍ୟମ ପ୍ରତିନିଧି ତଥା ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ନେଇ ବାରମ୍ବାର ବିବାଦ ଉପୁଜିଥିଲା । ଏପରିକି ସମାଜର ମୁରବି ତଥା ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ସେ ଅଣଦେଖା ଓ ଅସମ୍ମାନ କରିବାକୁ ପଛାଇ ନ ଥିଲେ । ସାଧାରଣ ଲୋକେ ନିଜର ଦୁଃଖ, ସମସ୍ୟା ଓ ନ୍ୟାୟର ଆଶା ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ସେମାନଙ୍କୁ ସହାନୁଭୂତି ମିଳିବା ବଦଳରେ ରୁକ୍ଷ ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ୁଥିଲା ବୋଲି ଅଭିଯୋଗ ହୋଇଥିଲା । ଲୋକଙ୍କ ସମସ୍ୟା ଶୁଣିବା ପରିବର୍ତେ ତାଙ୍କର ଦୁର୍ବ୍ୟବହାର ଯୋଗୁଁ ସାଧାରଣ ଜନତାଙ୍କ ମନରେ ପ୍ରଶାସନ ପ୍ରତି ଘୋର ଅବିଶ୍ୱାସ ସୃଷ୍ଟି ହୋଇଥିଲା ।
ଏହି ଘଟଣାକୁ ନେଇ କ୍ଷୁବ୍ଧ କେନ୍ଦ୍ରାପଡା ଜିଲା ବାର୍ ଆସୋସିଏସନ, ସାମ୍ବାଦିକ ସଂଘ ଓ ସାଧାରଣ ନାଗରିକଙ୍କ ପକ୍ଷରୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା । ଜିଲାରେ ଦିନକୁ ଦିନ ଉପୁଜୁଥିବା ଅସନ୍ତୋଷ ଓ ବିବାଦୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଦଳି ନିର୍ଦେଶ ଜାରି କରିଛନ୍ତି । ଶ୍ରୀ ନାୟକଙ୍କ ବଦଳି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଅପରପକ୍ଷରେ ନୂତନ ଉପଜିଲାପାଳ ଭାବେ ଶ୍ରୀ ଭୂଜବଳ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଶାସନିକ ସ୍ୱଚ୍ଛତା ଓ ଲୋକାଭିମୁଖୀ ସେବା ସୁନିଶ୍ଚିତ ହେବ ବୋଲି ସହରବାସୀ ଆଶା ରଖିଛନ୍ତି ।
