ପ୍ରତ୍ୟେକ ଚାଷୀଙ୍କ ଖାତାକୁ ୨ହଜାର ଟଙ୍କା ଲେଖାଏଁ ହସ୍ତାନ୍ତର
କେନ୍ଦ୍ରାପଡ଼ା, ୩୦/୧୦/୨୦୨୬ (ଓଡ଼ିଶା ସମାଚାର)- ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ତଥା କୃଷି କ୍ଷେତ୍ରର ବିକାଶ ଲକ୍ଷ୍ୟରେ ଭାରତ ସରକାରଙ୍କ ପକ୍ଷରୁ ପରିଚାଳିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଯୋଜନା ଅନ୍ତର୍ଗତ ରବି ଋତୁ ୨୦୨୬-୨୭ ପାଇଁ ଆଜି ଚାଷୀମାନଙ୍କୁ ଆର୍ଥିକ ସହାୟତାର କିସ୍ତି ପ୍ରଦାନ କରାଯାଇଛି । ଗୁଜରାଟର ବନାସକାଣ୍ଠାଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ଏହି ଅର୍ଥରାଶି ସିଧାସଳଖ ହସ୍ତାନ୍ତର କରିଛନ୍ତି । ସେହିପରି ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀ ଚାଷୀମାନଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ଏହି ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଜିଲାପାଳ ରଘୁରାମ ଆର. ଆୟର ଉପସ୍ଥିତ ରହି ହିତାଧିକାରୀ ଚାଷୀମାନଙ୍କୁ ଏହି ଆର୍ଥିକ ସହାୟତା ସମ୍ପର୍କରେ ଅବଗତ କରାଇଥିଲେ । ଚଳିତ କିସ୍ତିରେ କେନ୍ଦ୍ରାପଡ଼ା ଜିଲାର ମୋଟ ୧,୩୧,୧୩୬ ଜଣ ଯୋଗ୍ୟ ଚାଷୀ ଉପକୃତ ହୋଇଛନ୍ତି । ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏଁ ହସ୍ତାନ୍ତର କରାଯାଇଛି । ଏହି ଅର୍ଥରାଶି ଆଗାମୀ ରବି ଫସଲ ଚାଷ ପାଇଁ ଆବଶ୍ୟକ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କ୍ରୟରେ ଚାଷୀମାନଙ୍କୁ ସହାୟକ ହେବ । ଚାଷର ପ୍ରାରମ୍ଭିକ ପର୍ଯ୍ୟାୟରେ ଆବଶ୍ୟକ ଆର୍ଥôକ ସମ୍ବଳ ଯୋଗାଇବା ସହ ଚାଷୀଙ୍କ ଉପରେ କୃଷି ଖର୍ଚ୍ଚର ଚାପ ହ୍ରାସ କରିବା ଏହି ସହାୟତାର ମୁଖ୍ୟ ଉଦ୍ଧେଶ୍ୟ । ପିଏମ୍-କିଷାନ ଯୋଜନା ଅନୁଯାୟୀ, ପ୍ରତ୍ୟେକ ଯୋଗ୍ୟ ଚାଷୀ ପରିବାରକୁ ବାର୍ଷିକ ୬,୦୦୦ ଟଙ୍କା ଆର୍ଥôକ ସହାୟତା ତିନୋଟି ସମାନ କିସ୍ତିରେ, ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ହିସାବରେ ପ୍ରଦାନ କରାଯାଇଥାଏ ।
ଏହି ସହାୟତା ଖରିଫ ଓ ରବି ଋତୁରେ ଚାଷ କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ଆର୍ଥିକ ସମ୍ବଳ ଯୋଗାଇବା ସହ କୃଷି ନିବେଶକୁ ପ୍ରୋତ୍ସାହିତ କରିଥାଏ । ଏହି ଯୋଜନାରେ ସିଧାସଳଖ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥା ମାଧ୍ୟମରେ ଅର୍ଥରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିବାରୁ ଅର୍ଥ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସରଳତା ସୁନିଶ୍ଚିତ ହୋଇପାରୁଛି । ଏହି ଅବସରରେ ଜିଲାପାଳ ଶ୍ରୀ ଆୟର ଚାଷୀମାନଙ୍କୁ ପାରମ୍ପରିକ ଧାନ ଚାଷ ସହିତ ବଜାରରେ ଅନ୍ୟାନ୍ୟ ଫସଲ ଚାଷ ପ୍ରତି ଆଗ୍ରହୀ ହେବାକୁ ପରାମର୍ଶ ଦେଇଥିଲେ । ଫସଲ ବିବିଧକରଣ ଦ୍ୱାରା ଚାଷୀମାନେ ଆୟ ବୃଦ୍ଧି କରିବା ସହ କୃଷି କ୍ଷେତ୍ରରେ ଆର୍ଥôକ ସ୍ଥିରତା ହାସଲ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ । ଏଥିସହ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଦିନ ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରି ସରକାରଙ୍କ ବିଭିନ୍ନ କୃଷି ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଉଥିବା କଥା ଜିଲାପାଳ କହିଥିଲେ ।
ଯୋଗ୍ୟ ହିତାଧିକାରୀମାନେ ଯେପରି ଯୋଜନାଗୁଡ଼ିକର ସୁଯୋଗ ଓ ଲାଭ ପାଇପାରିବେ, ସେଥିପାଇଁ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ଓ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ସେ ନିର୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ସାମଲ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଯାମିନି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
