ସାମ୍ବାଦିକଙ୍କୁ ବାରଣ
ଭୁବନ ୦୮/୦୫/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୫ ତମ ସାଧାରଣ ( କାଉନସିଲ ) ବୈଠକ ଏନଏସି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା,ସାଂସଦ ପ୍ରତିନିଧି ଭାବେ ଭବାନୀ ଶଙ୍କର ବେହେରା,ଉପାଧ୍ୟକ୍ଷା ମାନିନୀ ସାହୁ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ ପୂର୍ବ ବିବରଣୀ ପାଠ କରିଥିଲେ। ଏହି ବୈଠକରେ ଚଳିତ ବର୍ଷ ୨୦୨୬-୨୭ ପାଇଁ ଆୟବ୍ୟୟ ଅଟକଳ (ବଜେଟ) ଅନୁମୋଦନ କରାଯାଇଥିଲା ।
୧ ନମ୍ବର ଓ ୯ ନମ୍ବର ୱାର୍ଡର ବିଜେଡି କାଉନସିଲର ଗିରିଧାରୀ ସାହୁ ଓ ପପୁ କୁମାର ସାହୁ ସେମାନଙ୍କ ୱାର୍ଡ ସମସ୍ୟା ଉପସ୍ଥାପନ କରିବା ସମୟରେ ବିଧାୟକ ତାଙ୍କୁ କହିବାକୁ ସୁଯୋଗ ନଦେଇ ୱାର୍ଡ ସମସ୍ୟା ଲେଖିକରି ନିର୍ବାହୀ ଅଧିକାରୀଙ୍କୁ ଦେବାକୁ ପରାମର୍ଶ ଦେଇଥିଲେ । ନିର୍ବାହୀ ଅଧିକାରୀ ରହୁ ନଥିବାରୁ ଲୋକଙ୍କ ସମସ୍ୟା ସମାଧାନ ହୋଇ ପାରୁନାହିଁ । ତେଣୁ ଭୁବନ ଏନ୍ ଏ ସି ରେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ପାଇଁ ଉଭୟ କାଉନସିଲର ଦାବି କରିଥିଲେ ।
କାଉନସିଲ ବୈଠକ ପରେ ପ୍ରାୟ ୯ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବୁଦ୍ଧେଶ୍ଵର ମନ୍ଦିର ଓ ରଗଡ଼ି ଠାରେ ନିର୍ମିତ ବହୁମୁଖୀ ଭବନ,ସୁବିଧା କେନ୍ଦ୍ର,ମଳପଙ୍କ ଉପଚାର କେନ୍ଦ୍ର ଠାରେ ପ୍ରଶାସନିକ ବ୍ଲକ ଏବଂ କାଳୀ ବଜାର ଠାରେ ” ଆମ ପରମ୍ପରା,ଆମ ପରିଚୟ” ଦଶହରା ବଳଦ , କଂସା ପିତ୍ତଳ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଉଦଘାଟନ କରାଯାଇଥିଲା । ଏହି ପ୍ରକଳ୍ପ ଗୁଡିକର ଉଦଘାଟନୀ ଫଳକରେ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ନାଁ ନଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।
ନିର୍ବାହୀ ଅଧିକାରୀଙ୍କ ଠାରୁ ସୂଚନା/ନିମନ୍ତ୍ରଣ ପାଇ ବୈଠକ କୁ ଯାଇଥିବା କେତେକ ସାମ୍ବାଦିକଙ୍କୁ ବିଧାୟକ ଉପେକ୍ଷା କରି ” ତୁମେ ମାନେ ଏଠାରେ ରହିବା କିଛି ଆବଶ୍ୟକ ନାହିଁ,କେବଳ ଫଟୋ ଉଠାଇ ପଳାଇ ଯାଅ” ବୋଲି କହିବାରୁ ସାମ୍ବାଦିକ ମାନେ ସ୍ଥାନ ଛାଡି ପଳାଇ ଆସିଥିଲେ।
