ଯାଜପୁର, ୦୭/୧୧/୨୦୨୬(ଓଡ଼ିଶା ସମାଚାର)- ଯାଜପୁର ସୁଭଦ୍ରା ମଣ୍ଡପଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ‘ମାଣ୍ଡିଆ ଦିବସ’ ଅନୁଷ୍ଠିତ ହୋଇଯାଇଛି। “ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀ ଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବ ବିବିଧତା” ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଉତ୍ସବରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ଯାଜପୁର ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ବରାଳ, ଯାଜପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବିଶ୍ବାଳ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଭାସ୍କର ଚନ୍ଦ୍ର ଦାସ, ବଡ଼ଚଣା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ଲଳିତ କୁମାର ମହାନ୍ତି, ସହକାରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଶାନ୍ତ କୁମାର ବେହେରା ଏବଂ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋପୀନାଥ କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କୃଷି ସହକାରୀ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ରାଉତ ସଭା ପରିଚାଳନା କରିଥିଲେ।
ଏହି ଅବସରରେ ମଞ୍ଚାସୀନ ଅତିଥିମାନେ ମାଣ୍ଡିଆ ଓ ଶ୍ରୀଅନ୍ନର ଗୁରୁତ୍ବ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଭାରେ ଯାଜପୁର ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା ପ୍ରକାଶ କରିଥିଲେ ଯେ, “ନିରୋଗ ରହିବା ପାଇଁ ପାରମ୍ପରିକ ଚାଷକୁ ଫେରିବାକୁ ପଡ଼ିବ ଏବଂ ତାହାର ସଫଳତା କେବଳ ଆମର ଚାଷୀ ଭାଇଭଉଣୀମାନଙ୍କ ପାଇଁ ହିଁ ସମ୍ଭବ ହେବ।” ସେହିପରି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ବରାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, “ବିଶ୍ୱ ସ୍ତରରେ ବର୍ତ୍ତମାନ ମାଣ୍ଡିଆ ରାଜ୍ୟ ଭାବରେ ଆମ ଓଡ଼ିଶା ପରିଚିତ ହୋଇଛି।”

ଓଡ଼ିଶା ମିଲେଟ ମିଶନ ଓ ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକରେ ମାଣ୍ଡିଆ ଚାଷକୁ ବ୍ୟାପକ କରାଯାଉଛି। ଏହି ଯୋଜନାରେ ମାଣ୍ଡିଆ ଚାଷୀଙ୍କ ପାଇଁ ହେକ୍ଟର ପିଛା ପ୍ରଥମ ବର୍ଷରେ ୧୦,୦୦୦ ଟଙ୍କା, ଦ୍ବିତୀୟ ବର୍ଷରେ ୭,୫୦୦ ଟଙ୍କା, ତୃତୀୟ ବର୍ଷରେ ୫,୦୦୦ ଟଙ୍କା ଏବଂ ଚତୁର୍ଥ ଓ ପଞ୍ଚମ ବର୍ଷରେ ୨,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହା ସହିତ ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟରେ ମିଲେଟ କ୍ରୟ କରିବା ସହ ଥ୍ରେସର, ଚୋପାଛଡ଼ା ଯନ୍ତ୍ର, ଗୋଷ୍ଠୀ ପରିଚାଳିତ ବିହନ କେନ୍ଦ୍ର, ଜୈବ ସାମଗ୍ରୀ ପ୍ରସ୍ତୁତି, M-PAS ପଦ୍ଧତି ଏବଂ ରପ୍ତାନି ଆଦି ବିପଣନ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଉଛି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ଏହି ଅବସରରେ ମିଶନ ଶକ୍ତି ପରିସରରେ ସ୍ଟଲ ମାନେ ଖୋଲା ଯାଇ ମାଣ୍ଡିଆ ରୁ ତିଆରି ପିଠା, ବିସ୍କୁଟ୍, ନିମିକି, ଲଡ଼ୁ ଇତ୍ୟାଦି ପ୍ରସ୍ତୁତ କରାଯାଇ ଏକ ଖାଦ୍ୟ ମେଳାର ଆୟୋଜନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଗିରି, ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ KUS ଛାତ୍ରଛାତ୍ରୀଙ୍କ ସମେତ ସର୍ବମୋଟ ୧୨୦ ଜଣ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
-0-
ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
