ଭୁବନେଶ୍ୱର,୦୮/୦୫/୨୦୨୬ (ଓଡ଼ିଶା ସମାଚାର)-ଇନ୍ଷ୍ଟିଚୁ୍ୟଟ୍ ଅଫ୍ କଷ୍ଟ ଆକାଉଂଟ୍ସ ଅଫ ଇଣ୍ଡିଆ (ଆଇସିଏମ୍ଏଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ସିଏମ୍ଏ ଭବନ, ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଂଟ୍ସ କନଫରେନ୍ସ-୨୦୨୬ (ଜ୍ଞାନୋଥ୍ୟାନ-୨୦୨୬) ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା । ଏହି ସମ୍ମିଳନୀ ଆସନ୍ତା ୧୦, ମେ ୨୦୨୬ରେ ସୋଆ ୟୁନିଭରସିଟିର କନଭେନସନ୍ ସେଂଟର କ୍ୟାମ୍ପସ୍-୨, ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ।
ଗଣମାଧ୍ୟମକୁ ସମ୍ବୋଧି୍ତ କରି ଆୟୋଜକମାନେ କହିଥିଲେ ଯେ “ରାଇଜ୍ ଥ୍ରୋ ନଲେଜ” ଥିମ୍ ଉପରେ ଆଧାରିତ ଏହି ସମ୍ମିଳନର ଉଦ୍ଧେଶ୍ୟ ହେଉଛି ସିଏମ୍ଏ ଛାତ୍ରଛାତ୍ରୀ, ଶିକ୍ଷାବିତ୍ , ଶିଳ୍ପ ବିଶେଷଜ୍ଞ ଓ ବୃତିଗତମାନଙ୍କୁ ଏକ ସାଧାରଣ ପ୍ଲାଟଫର୍ମ ଯୋଗାଇଦେବା, ଯାହା ମାଧ୍ୟମରେ ସେମାନେ ଚିନ୍ତାଧାରାର ଆଦାନପ୍ରଦାନ କରିପାରିବା ସହ ବୃତିଗତ ଜ୍ଞାନକୁ ବୃଦ୍ଧି କରିପାରିବେ ।
ଏହି କାର୍ଯ୍ୟକ୍ରମରେ ସିଏମଏ ବିଭୂତି ଭୂଷଣ ନାୟକ, ପୂର୍ବତନ ସଭାପତି, ସିଏମଏ ଆଶିଷ ପି. ଥାଟ୍ଟେ, କାଉନସିଲ୍ ସଦସ୍ୟ ଏବଂ ସିଏମଏ ଆର୍ ଗୁଞ୍ଜାଲି, କାଉନସିଲ୍ ସଦସ୍ୟ, ସିଏମଏ ଦାମୋଦର ମିଶ୍ର, ଉପାଧ୍ୟକ୍ଷ, ଆଇସିଏମଏଆଇ,- ଇଆଇଆରସି, ସିଏମଏ ଉତମ କୁମାର ନାୟକ, ପୂର୍ବତନ ଅଧ୍ୟକ୍ଷ, ଆରସିଏମ୍, ଆଇସିଏମଏଆଇ-ଇଆଇଆରସି, ସିଏମଏ ଶରତ କୁମାର ବେହେରା, ଅଧ୍ୟକ୍ଷ, ଆଇସିଏମଏଆଇ, ଭୁବନେଶ୍ୱର ଚାପ୍ଟର, ସିଏମଏ ସୈାମ୍ୟରଞ୍ଜନ ଜେନା, ସେକ୍ରେଟାରୀ, ଆଇସିଏମଏଆଇ ଭୁବନେଶ୍ୱର ଚାପ୍ଟର ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରୁ ୧୨୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । କାର୍ଯ୍ୟକ୍ରମରେ ଆୟକର ଆଇନ୍-୨୦୨୫ ଓ ସଦ୍ୟତମ ନିୟମାବଳୀ, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଏବଂ ଫିନଟେକ୍ ଭଳି ବିଷୟ ଉପରେ ବୈଷୟିକ ଓ ପ୍ରେରଣାଦାୟକ ଅଧିବେସନ ଅନୁଷ୍ଠିତ ହେବ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଚିତ ପ୍ରବନ୍ଧ, କବିତା ଓ ସୃଜନଶୀଳ ଲେଖାକୁ ନେଇ ଏକ ସ୍ମାରକୀ ଉନ୍ମୋଚିତ ହେବ ବୋଲି ସୂଚନା ଦିଆଯାଇଛି । ପରିଶେଷରେ ଆୟୋଜକମାନେ ଛାତ୍ରଛାତ୍ରୀ ,ବୃତିଗତ, ଶିକ୍ଷାବିତ୍ ଓ ଅନ୍ୟାନ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହି ବୃହତ୍ ସମ୍ମିଳନୀର ସଫଳ ସମାପ୍ତି ପାଇଁ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଥିଲେ ।
