କୃଷି ଓଡ଼ିଶା ସମାବେଶ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୦୫/୧୦/୨୦୨୫ (ଓଡ଼ିଶା ସମାଚାର)- କୃଷି ଓଡ଼ିଶା ୨୦୨୫-୨୬ ନିମନ୍ତେ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଜାନୁଆରୀ ମାସ ୨୨ ତାରିଖରୁ ୨୪ ତାରିଖ ଯାଏଁ ତିନିଦିନ ବ୍ୟାପୀ କୃଷି ଓଡ଼ିଶା ସମାବେଶ ଖୁବ୍ ଉତ୍ସାହର ସହ ପାଳନ କରାଯିବ । ବୈଠକର ନିଷ୍ପତି ଅନୁଯାୟୀ ଚଳିତବର୍ଷ ଠାରୁ ପ୍ରତିବର୍ଷ ଜାନୁଆରୀ ମାସ ଏହି ଦିନରେ ହିଁ କୃଷି ଓଡ଼ିଶା ସମାବେଶର ଆୟୋଜନ କରାଯିବ । ଦେଶ ତଥା ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ବୁଦ୍ଧିଜୀବୀ, ସଫଳ ଚାଷୀ, ବୈଜ୍ଞାନିକ, କୃଷି ଉତ୍ପାଦକମାନେ ଯୋଗଦେବେ ।

କୃଷି ଉଦ୍ୟୋଗୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ୨୫୦ ରୁ ଉର୍ଦ୍ଧ୍ୱ ଷ୍ଟଲର ପ୍ରଦର୍ଶନ କରାଯିବ ଏବଂ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କ ସମାବେଶ ହେବ । କୃଷି ଯାନ୍ତ୍ରୀକିକରଣ ତଥା ଅତ୍ୟାଧୁନିକ ଯନ୍ତ୍ରପାତିର ସ୍ୱତନ୍ତ୍ର ପ୍ରଦର୍ଶନ କରାଯିବା ଯୋଜନା ମଧ୍ୟ ରହିଛି । ଦୂରଦୂରାନ୍ତରୁ ଆସୁଥିବା ଚାଷୀ ଭାଇ ଭଉଣୀଙ୍କ ରହିବା ତଥା ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ପ୍ରସ୍ତୁତି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦେଶକ ଶ୍ରୀ ଶୁଭମ ସକ୍ସେନା, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ବୈଠକର ପ୍ରସ୍ତୁତି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ଏହାର ସଫଳ ଆୟୋଜନ ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *