କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬

କେନ୍ଦ୍ରାପଡ଼ା,୦୭/୧୧/୨୦୨୬ (ଓଡ଼ିଶା ସମାଚାର)- ଜିଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬’ ଜିଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଜିଲା ସ୍ତରୀୟ ଶିଶୁ ମହୋତ୍ସବରେ ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ପବିତ୍ର ମୋହନ ବାରିକ ଅଧ୍ୟକ୍ଷତା କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲାପାଳ ରଘୁରାମ ଆର. ଆୟର, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନମିତା ପଟ୍ଟନାୟକ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ, ସ୍ୱାଗତିକା ସ୍ୱାଇଁ, ଶୁଭସ୍ମିତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

ଗ୍ରାମାଂଚଳରେ ଥିବା ସହକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ହିଁ ସୁରଭି ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି ଡ. ନାୟକ ମତବ୍ୟକ୍ତ କରିଥିଲେ । ଓଡ଼ିଶାର ସମୃଦ୍ଧସଂସ୍କୃତି, ପରମ୍ପରା, ଲୋକକଳାର ଝଲକ୍ ପିଲାମାନଙ୍କ ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତାରେ ଦେଖିବାକୁ ମିଳିଥିଲା । ଜିଲା ସ୍ତରୀୟ ସୁରଭି ମହୋତ୍ସବ ଉପଲକ୍ଷେ ପ୍ରଥମେ ସ୍କୁଲ ଓ ପରେ କ୍ଲଷ୍ଟର, ବ୍ଲକ୍ ସ୍ତରରେ ୧୩ ଟି ବିଷୟରେ ପ୍ରତିଯୋଗିତା ପୂର୍ବରୁ କରାଯାଇଥିଲା । ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରାୟ ୩୪୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜିଲାସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତ୍ୟେକ ବିଷୟରେ କୃତିତ୍ୱ ଅର୍ଜନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ/ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ।

ଅପରାହ୍ନର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇଥିବା ବେଳେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଡେରାବିଶ ବ୍ଲକ୍ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ, ଡି.ଆଇ.ଇ.ଟି ଅଧ୍ୟକ୍ଷା ସୁଲୋଚନା ଦେହୁରୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସ୍ୱାଗତିକା ସ୍ୱାଇଁ ଓ ଦିପ୍ତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପିଏମଶ୍ରୀ କୋରୋ ପଂଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସୁରଭି ସଙ୍ଗୀତ ଗାନ କରିଥିଲେ । ୧୩ଟି ବିଭାଗରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଗୁରୁଙ୍କ ନିକଟରେ ଛାତ୍ରଛାତ୍ରୀମାନେ ସମର୍ପିତ ହୋଇ ଏକାଗ୍ର ଚିତରେ ବିଦ୍ୟା ଅଧ୍ୟୟନ କଲେ ଭଲ ମଣିଷ ହୋଇପାରିବ ବୋଲି ମୁଖ୍ୟ ଅତିଥି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲାସ୍ତରୀୟ ଉତ୍ସବରେ ୯ଟି ବ୍ଲକର ମଣ୍ଡଳ ଶିକ୍ଷା ଅଧିକାରୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ସି.ଆର.ସି.ସି, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ପ୍ରମୁଖ ଯୋଗଦେଇଥିଲେ । ଉତ୍ସବ ଆୟୋଜନରେ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟର ବିନୋଦ ବିହାରୀ ସାହୁ, ଚନ୍ଦ୍ର କୁମାର ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପ୍ରମୋଦ କୁମାର ବେହେରା, ସୁଶାନ୍ତ କୁମାର ନାୟକ, ଜୟରାମ ସେଠୀ, ଅମୀୟ କୁମାର ନାୟକ, ସୁରେଶ ବାରିକ, ଅକ୍ଷୟ କୁମାର ସେଠୀ, ସୂର୍ଯ୍ୟନାରାୟଣ ମିଶ୍ର, ଅମରେନ୍ଦ୍ର ମହାନ୍ତିଙ୍କ ସମେତ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟର କର୍ମକର୍ତାମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *