ସାଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ ।
କେନ୍ଦ୍ରାପଡା, ୦୩/୦୫/୨୦୨୬ (ଓଡ଼ିଶା ସମାଚାର)- ସାଂସ୍କୃତିକ ପରିଚୟ ନ ମିଳିଲେ ଜାତି ଆଗକୁ ଯାଇ ପାରିବ ନାହିଁ , ଗଣତନ୍ତ୍ର ପଦ୍ଧତିରେ ଜାତିକୁ ଆଗକୁ ନେବାକୁ ହେଲେ ଶିକ୍ଷାକ୍ଷେତ୍ରରେ ଆମକୁ ଆଗକୁ ଯିବା ପାଇଁ ପଡିବ ବୋଲି ‘ଜିଲା ସ୍ତରୀୟ ଚୈତ୍ର ମହୋତ୍ସବ’ରେ ଉଦଘାଟକ ଭାବରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ,ପୂର୍ବତନ ସାଂସଦ ଶଶିଭୂଷଣ ବେହେରା ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରପଡା ରଥଦାଣ୍ଡର ମାଉଷୀ ମା’ ମନ୍ଦିର ନିକଟରେ କେନ୍ଦ୍ରପଡା କୈବର୍ତ ମହାସଭା ପକ୍ଷରୁ ଆୟୋଜିତ ଦୁଇ ଦିନିଆ ‘ଜିଲା ସ୍ତରୀୟ ଚୈତ୍ର ମହୋତ୍ସବ’ର ଉଦଘାଟନ ଉତ୍ସବରେ ଉଦଘାଟକ ଭାବରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି କୈବର୍ତ ଜାତି ଭଗବାନଙ୍କ କର୍ଣ୍ଣର୍ରୁ ଉତ୍ପତି,ମାତୃ ଶକ୍ତିର ପ୍ରତିକ ଭାବରେ ମା’ବାସେଳୀ ଠାକୁରାଣୀ, ଶକ୍ତି ଭାବରେ ପରିଚିତ ଘୋଡା ପୂଜିତ ହେଉଥିବା, ଜାତିକୁ ଉତ୍ଥାନ କରିବାକୁ ହେଲେ ସାଂସ୍କୃତିକ ବିକାଶ ଆବଶ୍ୟକ ଏବଂ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ କୈବର୍ତ ସମାଜ ପକ୍ଷରୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଆଦି ଜାତିର ବିଭିନ୍ନ ଉନ୍ନତି କରାଯିବା ସମ୍ପର୍କରେ ସମ୍ପର୍କରେ କହିଥିଲେ ।
ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦିୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ ଚୈତ୍ର ମହୋତ୍ସବକୁ ସାଂସ୍କୃତିକ ଆନ୍ଦୋଳନରେ ପରିଣତ କରିବା,କୈବର୍ତ ସମାଜ ବିଭିନ୍ନ ରାଜ୍ୟରେ ସାଂସ୍କୃତିକ ମହୋତ୍ସବରେ ବାନ୍ଧି ହୋଇ ଆଗକୁ ବଢିବା,ସାମାଜିକ ନ୍ୟାୟ ଓ ସମରସତା,କୈବର୍ତମାନଙ୍କର କୌଳିକ ବୃତିର ଉନ୍ନତି , ରାଜ୍ୟ ଓ କେନ୍ଦ୍ର ସରକାର ସାଂସ୍କୃତିକ ଉତ୍ସବ ସାଙ୍ଗକୁ କୌଳିକ ବୃତିକୁ ବୈଷୟିକ ଜ୍ଞାନ ଦ୍ୱାରା ସଂଯୋଗ କରାଯାଇ ଉତ୍ଥାନ କରାଯିବା ଯୋଜନାମାନ ପ୍ରସ୍ତୁତି କରୁଥିବା ସମ୍ପର୍କରେ କହିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ମହାଲିଙ୍ଗ ଆହୁରି ମଧ୍ୟ କହିଥିଲେ ଯେ,ରାଜ୍ୟ ସରକାର ରାଜ୍ୟର ୩୦ଗୋଟି ଜିଲାରେ ମେଡିକାଲ କଲେଜ କରିବାକୁ ଘୋଷଣା କରିଥିବାବେଳେ, ସେଥି ମଧ୍ୟରୁ ୪ଗୋଟି ଜିଲାରେ କାର୍ଯ୍ୟକାରୀ ହୋଇଛି । ଅବଶିଷ୍ଠ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ସମୟରେ କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା କରିଥିଲେ ।
କେନ୍ଦ୍ରାପଡା ଜିଲା କୈବର୍ତ ମହାସଭାର ସଭାପତି ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟବକ୍ତା ଭାବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇ ‘ବସୁଧେୟ କୁଟୁମ୍ବକମ୍’,ପ୍ରଥମ ମଣିଷ ଭାବରେ କୈବର୍ତ ଜିତିର ଜନ୍ମ ,ଅଶ୍ୱ,ଡଙ୍ଗା, ମା’ ବାସେଳୀ ଠାକୁରାଣୀ, ବିଭିନ୍ନ ରାଜ୍ୟରେ କୈବର୍ତମାନଙ୍କ ଚୈତ୍ର ମହୋତ୍ସବକୁ ବିଭିନ୍ନ ଢଙ୍ଗରେ ପାଳିତ କରାଯାଉଥିବା ସମ୍ପର୍କରେ କହିବା ସହିତ କେନ୍ଦ୍ରାପଡା ଜିଲାରେ ସରକାର ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ଜିଲାବାସୀଙ୍କ ଅନ୍ୟ ଏକ ମୁଖ୍ୟ ଦାବି ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଭାରେ ଅନ୍ୟତମ ଅତିଥି ଭାବରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଯୋଗ ଦେଇ ଜାତିର ଉନ୍ନତି କରାଯାଇ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରାଯିବା,ସାମାଜିକ ସମରସତାର ବାର୍ତା ଦେବା,ତୃଣମୂଳ ସ୍ତରରେ ରହୁଥିବା କୈବର୍ତ ଜାତିର ଲୋକମାନଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଆଦି ସମ୍ପର୍କରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲା ପରିଷଦ ଅଧ୍ୟକ୍ଷା ସୁଶୀ ଲିଲିତା ଦାସ,ନିଖିଳ ଓଙ୍ଗିଶା କେବର୍ତ ମହାସଭାର ସଭାପତି ଡଃ.ଦେବେନ୍ଦ୍ର ନାଥ ବେହେରା,କେନ୍ଦ୍ରାପଡା କୈବର୍ତ ମହାସଭାର କାର୍ଯ୍ୟକାରୀ ସଭାପତି ରାଜକିଶୋର ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ । କେନ୍ଦ୍ରାପଡା ଜିଲା କୈବର୍ତ ମହାସଭାର ସାଧାରଣ ସମ୍ପାଦକ ନାରାୟଣ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି କୈବର୍ତ ସମାଜର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ସଭା ସଂଚାଳନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଅତିଥିମାନଙ୍କ ଦ୍ୱାରା ମା’ ବାସେଳୀ ଘୋଡାକୁ ପୂଜାର୍ଚନା କରିଥିଲେ । କେନ୍ଦ୍ରାପଡା କୈବର୍ତ ମହାସଭା ପକ୍ଷରୁ ଅତିଥିମାନଙ୍କୁ ଉପଢୌକନ ଓ ସ୍ଥାପତ୍ୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅଶୋକ କୁମାର ବେହେରା,ସଚିଦାନନ୍ଦ ବେହେରା ପ୍ରମୁଖ କୈବର୍ତ ଜାତିର ବହୁ ମୂରବୀ ଓ ସଂଗଠକମାନେ ଉପସ୍ଥିତ ଥିବାବେଳେ,ଜିଲାର ବିଭିନ୍ନ ସ୍ଥାନମାନଙ୍କରୁ ବହୁ ସଂଖ୍ୟକ କୈବର୍ତ ସମାଜର ସଂଗଠକ,ବୁଦ୍ଧିଜିବୀ ଓମହିଳାମାନେ ଉପସ୍ଥିତ ଥିଲେ । କାଳବୈଶାଖୀ ପ୍ରଭାବରେ ପ୍ରତିକୂଳ ପାଗ ଝଡବର୍ଷା ସତ୍ୱେ ବହୁ ସଂଖ୍ୟକ କୈବର୍ତ ସମାଜର ଲୋକମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
