ଜଗତସିଂହପୁର, ୨୬/୦୧/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଜିଲ୍ଲା ସଦର ମହକୁମା ର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ୭୬ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ 
ମହାସମାରୋହରେ ପାଳିତ ହୋଇଯାଇଅଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ବିଭାଗ, ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ସାଧାରଣତନ୍ତ୍ର ଦିବସରେ ସମସ୍ତ ଜିଲ୍ଲାବାସୀ ଙ୍କୁ ଅଭିନନ୍ଦନ ଜଣାଇ ମନ୍ତ୍ରୀ କହିଲେ ଯେ, ଆଜି ସବୁ ଭାରତୀୟ ଙ୍କ ପାଇଁ ଏକ ଗୌରବ ର ଦିବସ ।
ଦେଶର ସ୍ୱାଧୀନତାପ୍ରାପ୍ତି ପରେ ଯେଉଁ ମହାନ ଉପଲବ୍ଧି ଆମେ ହାସଲ କରିଥିଲୁ
ତାହା ହେଲା ଦେଶକୁ ଗଣତନ୍ତ୍ର ରାଷ୍ଟ୍ର ଭାବେ ଗଢ଼ିତୋଳିବା ଓ ଆଜି ଆମେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଗୌରବ ଅର୍ଜ୍ଜନ କରିପାରିଛୁ ।ସେଥିପାଇଁ ୨୬ ଜାନୁୟାରୀ ୧୯୫୦ ମସିହା ଆମପାଇଁ ସ୍ମରଣୀୟ ଦିବସ। ଗଣତନ୍ତ୍ରର ଆତ୍ମା ହେଉଛି ସମ୍ବିଧାନ ଏବଂ ସମ୍ବିଧାନରେ ପ୍ରତିଟି ନାଗରିକ ହେଉଛି ସର୍ବୋପରି ।ଏପରି ଏକ ଧର୍ମ ନିରପେକ୍ଷ, ସାର୍ବଭୌମ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଗଠନ ନିମନ୍ତେ ମାନ୍ୟବର ମନ୍ତ୍ରୀ ଜାତିର ପିତା ମହାତ୍ମାଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସୁଭାଷ ଚନ୍ଦ୍ର ବୋଷ,ଡ. ଭୀମରାଓ ଆମ୍ବେଦକର, ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ, ବିଜୁ ପଟ୍ଟନାୟକ ଙ୍କ ଠାରୁ ଆରମ୍ଭ କରି ଜଗତସିଂହପୁରର ବରପୁତ୍ର ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀ, ସରଳାଦେବୀ, ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିହାରୀ, ଅନ୍ନପୂର୍ଣ୍ଣା ମହାରଣା, ନବକୃଷ୍ଣ ଚୌଧୁରୀ, ଭାଗୀରଥି ମହାପାତ୍ର, ନିତ୍ୟାନନ୍ଦ କାନୁନ୍ଗୋ, ରାଜକୃଷ୍ଣ ବୋଷ, ହରେକୃଷ୍ଣ ବିଶ୍ୱାଳ, ଗୌରାଙ୍ଗ ଚରଣ ଦାସ ଓ ଗୌରୀଶ୍ୟାମ ନାୟକ ,ଜାତୀୟ କବି ବୀରକିଶୋର ଦାସ ପ୍ରଭୃତି ସଂଗ୍ରାମୀଗଣ ଙ୍କ ଉଦ୍ଦେଶ୍ଯରେ ନିଜର ସମ୍ମାନ ଜଣାଇଥିଲେ।

ରାଜନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମ ନିରପେକ୍ଷତା, ବୈଷମ୍ୟ ମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଆମ ସମ୍ବିଧାନର ବିଶେଷତ୍ୱ । ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ପାରାଦ୍ୱୀପ ବନ୍ଦର, ଆମ ନୌବାଣିଜ୍ୟ ପରମ୍ପରାକୁ ବଜାୟ ରଖିଛି ।ଆନ୍ତର୍ଜାତିକ କିକ୍ରେଟ ତାରକା ଦେବାଶିଷ ମହାନ୍ତି, ବୈଜ୍ଞାନିକ ସ୍ୱର୍ଗତ ପ୍ରାଣକୃଷ୍ଣ ପରିଜା, ସାହିତ୍ୟ କ୍ଷେତ୍ରରେ ଶ୍ରୀମତୀ ପ୍ରତିଭା ରାୟ, ବିଭୁତି ପଟ୍ଟନାୟକ, ଗୋପାଳକୃଷ୍ଣ ଛୋଟରାୟ ପ୍ରମୁଖ ବ୍ୟକ୍ତିତ୍ୱ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।
ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶା ଆଜି ବିକାଶରେ ଅଗ୍ରସର ହୋଇଛି ।
ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ସମୃଦ୍ଧ ଓଡିଶା @୨୦୩୬ ଓ ବିକଶିତ ଭାରତ @୨୦୪୭ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର । ୨୦୩୬ ମସିହା ସୁଦ୍ଧା ୧.୫ ଟ୍ରିଲିୟନ ଆମେରିକୀୟ ଡଲାର ଓ ୨୦୪୭ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ଭାବେ ଉଭା ହୋଇ ପୂର୍ବୋଦୟ ବିକାଶର ପ୍ରମୁଖ ରାଜ୍ୟ ହେବୁ ଏହା ଆମ ସଂକଳ୍ପ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ। ରାଜ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା , ରତ୍ନଭଣ୍ଡାର ମରାମତି କରିବା ,ଓଡ଼ିଆ ଅସ୍ମିତା ସହ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟର ବିକାଶ,ସୁଭଦ୍ରା ଯୋଜନା ଅଧୀନରେ ୫ ବର୍ଷ ନିମନ୍ତେ ୫୫ ହଜାର କୋଟି ଟଙ୍କାର ଏକ ବୃହତ ପାଣ୍ଠି ବ୍ୟବସ୍ଥା , ପିଏମ୍ଶ୍ରୀ ଯୋଜନା , ପିଲା ମାନଙ୍କୁ ପୁଷ୍ଟିସାଧାନ ପାଇଁ ମଧ୍ୟାହ୍ନ ଭୋଜନ ମାନରେ ଉନ୍ନତି, କମ୍ପ୍ୟୁଟର ଜ୍ଞାନ ଓ ଗବେଷଣାକୁ ଗୁରୁତ୍ୱ ,ଧାନକ୍ରୟରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପ୍ରମୁଖ ଧାନକ୍ରୟ କେନ୍ଦ୍ରରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶସ୍ୟ ବିଶ୍ଳେଷଣ, ଧାନ ପରିଷ୍କରଣ, ସିସିଟିଭି ବ୍ୟବସ୍ଥା ଏବଂ ଗୁଣାତ୍ମକ ବିଶ୍ଳେଷକ ନିୟୋଜିତ, ଧାନ କ୍ୱିଣ୍ଟାଲ ପିଛା ଇନପୁଟ ସହାୟତା ବାବଦକୁ ଭାବେ ୩୧୦୦ ଟଙ୍କା ପ୍ରଦାନ,ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା,
ଶ୍ରୀଅନ୍ନ ଅଭିଯାନ, ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ପାଇଁ ନୂତନ ସେତୁ ନିର୍ମାଣର ବ୍ୟବସ୍ଥା, ପର୍ଯ୍ୟଟନସ୍ଥଳୀ ର ବିକାଶ ,କେମିକାଲ ଓ ପେଟ୍ରୋକେମିକାଲ, ଅକ୍ଷୟ ଶକ୍ତି ଉପକରଣ ଉତ୍ପାଦନ,ଲକ୍ଷପତି ଦିଦି, ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୮୦ ପ୍ରତିଶତ ଅକ୍ଷମତା ଥିବା ବ୍ୟକ୍ତିଙ୍କ ପାଇଁ ଭତ୍ତା ପରିମାଣ ୧୨୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି , ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ସାଙ୍ଗକୁ ମିନି ଷ୍ଟାଡିୟମ୍, ଜିଲ୍ଲାସ୍ତରୀୟ ସ୍ପୋଟର୍ସ ଏକାଡେମୀ ଆଦି ନିମନ୍ତେ ଯୋଜନା ପ୍ରସ୍ତୁତି କରାଯାଇଛି।ରାଜ୍ୟରେ ନିକଟରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜନ, ଆସନ୍ତା ୨୮ ଓ ୨୯ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଆଦି ରାଜ୍ୟକୁ ଉନ୍ନତିର ଶିଖର ରେ ପହଞ୍ଚାଇବ । ଅନ୍ୟ ପକ୍ଷରେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ , ଷ୍ଟୋରେଜ ସୁବିଧାକୁ ମଜବୁତ କରିବା ପାଇଁ ଶୀତଳ ଭଣ୍ଡାର ନିର୍ମାଣ, ଗ୍ରାମାଞ୍ଚଳ ଓଡ଼ିଶାର ତ୍ୱରିତ ଓ ସାମଗ୍ରିକ ବିକାଶ ଦିଗରେ ବ୍ୟବଧାନକୁ ଦୂର କରିବା ପାଇଁ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ଆଦି ରାଜ୍ୟକୁ ବିକାଶ ଦିଗରେ ଅଗ୍ରସର ହେବା ପାଇଁ ସହାୟକ ହେବ। ସେହିପରି ଜଗତସିଂହପୁର ଜିଲ୍ଲା ମଧ୍ୟ ଉନ୍ନତି ପଥରେ ଅଗ୍ରସର । ଆମ ଜଗତସିଂହପୁର ଜିଲ୍ଲା ଏକ କୃଷିପ୍ରଧାନ ଉପକୂଳ ଜିଲ୍ଲା । ଏଠାର ଧାନ, ମୀନ, ପାନର ସାରା ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ରହିଛି । ଜିଲ୍ଲାରେ ମତ୍ସ୍ୟ ପୋଖରୀ ଖନନ, ବାୟୋଫ୍ଲକ୍ ଟ୍ୟାଙ୍କ ମାଧ୍ୟମରେ ମାଛଚାଷ କୁ ଗୁରୁତ୍ୱ, ସୁଭଦ୍ରା ଯୋଜନାରେ ପ୍ରାୟ ୨ ଲକ୍ଷ ୨୫ ହଜାର ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି।
ଜିଲ୍ଲାରେ ୧୧୪୨ ଜଣ ବ୍ୟକ୍ତି ଓ ଅନୁଷ୍ଠାନ କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ପିଏମ୍ କିଷାନ ଯୋଜନା ମାଧ୍ୟମରେ ପ୍ରାୟ ୧ ଲକ୍ଷ ୧୩ ହଜାର ଚାଷୀଙ୍କୁ ସାମିଲ କରାଯାଇଛି ।ସେହିଭଳି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଏବଂ ୮୦ ଭାଗ ଭିନ୍ନକ୍ଷମତା ଥିବା ୧୯ ହଜାର ୭୮୬ ଜଣଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି ।
ପରିଶେଷରେ ସ୍ୱାଭିମାନ ଓ ସଂକଳ୍ପର ସାଧାରଣତନ୍ତ୍ର ଦିବସ ରେ ଦେଶର ପ୍ରତ୍ୟେକ ନାଗରିକ ରାଷ୍ଟ୍ରର ସାର୍ବଭୌମତ୍ୱ,ସଂହତି ଓ ଜାତୀୟ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ସଙ୍କଳ୍ପବଦ୍ଧ ହେବାପାଇଁ ସେ ଆହ୍ଵାନ ଦେଇଥିଲେ।
ଆଜି ଦିବସ ର ପ୍ରାରମ୍ଭ ରେ ମୁଖ୍ୟ ଅତିଥି ସହର ରେ ଅବସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ମାନ୍ୟବର ବିଧାୟକ,ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦ୍ଗାତା ମୁଖ୍ୟ ଅତିଥି ଙ୍କୁ ପତାକା ସ୍ତମ୍ଭ ନିକଟକୁ ପାଛୋଟି ଆଣିଥିଲେ। ସମ୍ମିଳିତ ପ୍ୟାରେଡ ରେ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଉମାକାନ୍ତ ବେହେରା ଙ୍କ ନେତୃତ୍ଵରେ ୨୮ଟି ଦଳ ଭାଗ ନେଇଥିଲେ ଓ ସେମାନଙ୍କ ମଧ୍ୟରୁ ୟୁନିଫର୍ମ ରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର(ଗାଇଡ୍),ସିନିୟର ସିଭିଲିଆନ ରେ ଜଗତସିଂହପୁର ପବ୍ଲିକ ସ୍କୁଲ ଓ ଜୁନିଅର ସିଭିଲିଆନ ରେ ମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଖେରସ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଠାରୁ ସିଲ୍ଡ ଗ୍ରହଣ କରିଥିଲେ। ଜିଲ୍ଲା ସ୍ତରୀୟ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ଓ ଜଣା ଅଜଣା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଓ ବୈଷୟିକ ଶିକ୍ଷା ରେ ଜିଲ୍ଲା ରେ ସର୍ବୋଚ୍ଚ ନମ୍ବର ରଖିଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ପାରାଦୀପ ର ଛାତ୍ର ରିଙ୍କନ୍ ସାହୁ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏତଦ୍ ବ୍ୟତୀତ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଜଗତସିଂହପୁର ଜିଲ୍ଲାର ୮ ଜଣ କ୍ରୀଡାବିତ୍ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ବେଟି ବଚାଓ, ବେଟି ପଢାଓ ଯୋଜନାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ବାଳିକା ବର୍ଗରେ ସର୍ବୋଚ୍ଚ ନମ୍ବର ରଖିଥିବା ୨ ଜଣ ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପରେପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପ୍ୟାରେଡ୍ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଓ ଆଳିପିଙ୍ଗଳ ଜେଲ ର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ସହରରେ ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ଆଦି କବି ସାରଳା ଦାସ ସଂସ୍କୃତି ଭବନ ଠାରେ ବିଭିନ୍ନ କଳା ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା।ଏହି ସମାରୋହରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ,ଜଗତସିଂହପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ବିଭିନ୍ନ ବିଭାଗର ଅଧିକାରୀ, ସହରର ବୁଦ୍ଧିଜୀବୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
