କେନ୍ଦ୍ରାପଡା ଜିଲାରେ ମାଟ୍ରିକ ପାସ୍ ହାର ୯୫.୯୭ପ୍ରତିଶତ

                                         ଦେବଦର୍ଶୀ ମଣ୍ଡଳ ଜିଲା ଟପ୍ପର, ୧୧୮ଟି ସ୍କୁଲରେ ଶତ ପ୍ରତିଶତ ପାସ
କେନ୍ଦ୍ରାପଡ଼ା, ୦୩/୦୫/୨୦୨୬ (ଓଡ଼ିଶା ସମାଚାର)- ଗତକାଲି ଶନିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା ଜିଲାରେ ମାଟ୍ରିକ ପରୀକ୍ଷା ପାସହାର ୯୫.୯୭ ପ୍ରତିଶତ ହୋଇଥିବା ଜଣାପଡିଛି । ଦେବଦର୍ଶୀ ମଣ୍ଡଳ ଜିଲା ଟପ୍ପର ହୋଇଛନ୍ତି । ଜିଲାର ମୋଟ ୩୪୭ଟି ସ୍କୁଲର ୧୯ ହଜାର ୨୨୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେଥିରୁ ୧୮ହଜାର ୯୬୮ଜଣ ପରୀକ୍ଷା ଦେଇଥିଲେ । ୨୬୦ଜଣ ଅନୁପସ୍ଥିତ ଥିବା ବେଳେ ୧୮ହଜାର ୨୦୩ଜଣ ପାସ କରିଥିବା ଜଣାପଡିଛି । ୮୯୮୦ଜଣ ଛାତ୍ର ପାସ ହୋଇଥିବା ବେଳେ ୯୨୨୩ଜଣ ଛାତ୍ରୀ ପାସ ହୋଇଛନ୍ତି । ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ଗ୍ରେଡରେ ୫୩ଜଣ, ଏ-୨ଗ୍ରେଡରେ ୪୭୭, ବି-୧ଗ୍ରେଡରେ ୧୪୨୯, ବି-୨ ଗ୍ରେଡରେ ୨୯୨୮, ସି- ଗ୍ରେଡରେ ୪୩୭୪, ଡି- ଗ୍ରେଡରେ ୫୨୨୦ ଓ ଇ-ଗ୍ରେଡରେ ୩୭୨୨ଜଣ ପାସ କରିଛନ୍ତି । ୭୬୫ଜଣ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଛନ୍ତି । ଜିଲାରେ ୧୧୮ଟି ସ୍କୁଲରେ ଶତ ପ୍ରତିଶତ ପାସହାର ରହିଥିବା ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଠାରୁ ସୂଚନା ମିଳିଛି ।

                 ଦେବଦର୍ଶୀ

ଇସ୍ରୋର ବୈଜ୍ଞାନିକ ହେବି: ଦେବଦର୍ଶୀ
କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅଧିନ ଖରିନାସୀ ହାଇସ୍କୁଲର ଛାତ୍ର ଦେବଦର୍ଶୀ ମଣ୍ଡଳ ମୋଟ ୫୭୧ ନମ୍ବର ଅର୍ଥାତ ୯୫.୧୭ ପ୍ରତିଶତ ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି । ରାମନଗର ଗ୍ରାମର ନକୁଳ ଚନ୍ଦ୍ର ମଣ୍ଡଳ ଓ ସନ୍ଧ୍ୟାରାଣୀ ମଣ୍ଡଳଙ୍କ ସାନପୁଅ ହେଛନ୍ତି ଦେବଦର୍ଶୀ । ଦିନକୁ ୧୦ରୁ ୧୨ଘଂଟା ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ମେଧାବୀ ଛାତ୍ର ଦେବଦର୍ଶୀ ପ୍ରଥମରୁ ମାଟ୍ରିକ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ହୋଇ ଆସିଛନ୍ତି । ଭବିଷ୍ୟତରେ ସେ ଇସ୍ରୋରେ ବୈଜ୍ଞାନିକ ହୋଇ ଦେଶସେବା କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ପିତା ନକୁଳ ଚନ୍ଦ୍ର ପେଷାରେ ଜଣେ ଶିକ୍ଷକ ହୋଇଥିବା ବେଳେ ମା ସନ୍ଧ୍ୟାରାଣୀ ଜଣେ ଗୃହିଣୀ ଅଟନ୍ତି । ଦେବଦର୍ଶୀଙ୍କ ବଡଭାଇ ଦେବଦତ ୨୦୨୦ମସିହାରେ ୯୩ ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହୋଇଥିଲେ ।

ବିନିତ କୁମାର

ଲାଲବାହାଦୂର ହାଇସ୍କୁଲ ଛାତ୍ର ବିନିତ ବ୍ଲକ ଟପ୍ପର
କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ପଂଚାୟତର ମେହେନ୍ଦିପୁର ଲାଲବାହାଦୂର ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ବିନିତ କୁମାର ଷଡଙ୍ଗୀ ଏ-୧ ଗ୍ରେଡରେ ୫୬୪ନମ୍ବର ଅର୍ଥାତ ୯୪ପ୍ରତିଶତ ମାର୍କ ରଖି କେନ୍ଦ୍ରାପଡା ବ୍ଲକରେ ଟପ୍ପର ହେବା ସହ ସମଗ୍ର ଜିଲାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ସୁନାମ ଅର୍ଜ୍ଜନ କରିବା ସହ ବିଭିନ୍ନ ବ୍ଲକ,ଜିଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଲା ତଥା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ବିନିତଙ୍କ ପିତା ସୁଧାଂଶୁ ଶେଖର ଷଡଙ୍ଗୀ ପେଷାରେ ଜଣେ ଶିକ୍ଷକ ହୋଇଥିବା ବେଳେ ମା’ ମନୋରମା ପଣ୍ଡା ଜଣେ ସୁଗୃହିଣୀ ଅଟନ୍ତି । ଦିନକୁ ୮ରୁ ୧୨ଘଂଟା ପରିଶ୍ରମ କରି ସେ ଏହି ସଫଳତା ହାସଲ କରିଛନ୍ତି ବିନିତ । ବିନିତ ଭବିଷ୍ୟତରେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *