ମହିଳା ଯୌନ ନିର୍ଯାତନା ସମ୍ପର୍କିତ ସଚେତନତା

ଜଗତସିଂହପୁର ୦୧/୦୩/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ କର୍ମକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ମହିମା ନର୍ସିଙ୍ଗ୍ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଫାଷ୍ଟଟ୍ରାକ ଅଦାଲତର ଆଡହକ୍ ଅତିରିକ୍ତ ଜିଲ୍ଲା ଜଜ ଏସ୍.ଏ.କେ.ଜେଡ୍ ଯାହିରା ଅହମଦ, ଅତିରିକ୍ତ ଜିଲ୍ଲା ଜଜ ହରପ୍ରସାଦ ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ନୀଳିମା ପଣ୍ଡା, ମହିଳା ଅଦାଲତ ବିଚାରପତି ସ୍ଵପ୍ନାଶ୍ରୀ ନାୟକ, ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ଆଇନଜୀବୀ ତଥା ମହାବିଦ୍ୟାଳୟର ନିର୍ଦେଶକ ଗଣେଶ୍ଵର ମାଣିଆ, ଅଧ୍ୟକ୍ଷା ଫୁଲଣା କୁମାରୀ ଦେଇ, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅନୁଯାଇ ଯଦି କୌଣସି ଅଧ୍ୟାପକ ଛାତ୍ରୀଙ୍କୁ ଯୌନ ନିର୍ଯାତନ ଦିଅନ୍ତି ତେବେ ଏହି ଆଇନ ଅନୁଯାଇ ଦଣ୍ଡିତ ହେବେ । ସାଧାରଣତଃ ଛାତ୍ରୀ କିମ୍ବା ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ ଓ ବିଦ୍ୟାଳୟରେ ଯୌନ ନିର୍ଯାତନାର ଶିକାର ହେଇଥାନ୍ତି । ମହିଳାମାନେ ଯେକୌଣସି ଅନୁଷ୍ଠାନ କିମ୍ବା ଘରେ କାର୍ଯ୍ୟ କଲେ ମଧ୍ୟ ତାହା ସେମାନଙ୍କର କର୍ମକ୍ଷେତ୍ର ଭାବେ ବିବେଚନା କରାଯାଇଥାଏ । ଅଧ୍ୟାପକ କିମ୍ବା ଉପରସ୍ଥ ଅଧିକାରୀମାନେ ଅଧନସ୍ଥ ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି, ଦରମା ବୃଦ୍ଧି, ପଦୋନ୍ନତି, ବଦଳି, ଚାକିରି ସ୍ଥାଇ କରିବା, ଶ୍ରେଣୀରେ ଉପସ୍ଥାନ ବୃଦ୍ଧି କରିବା ଭଳି ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନ ଦେଇଥାନ୍ତି ।

ମହିଳାମାନେ ଏହି ମିଛ ପ୍ରଲୋଭନରେ ବଶୀଭୂତ ହୋଇ ନିର୍ଯାତନାର ଶିକାର ହୁଅନ୍ତି । ଆତ୍ମବିଶ୍ୱାସର ଅଭାବ ଏବଂ ଲଜ୍ୟା ହେତୁ ମହିଳାମାନେ ଯୌନ ନିର୍ଯାତନାର ଘଟଣାଗୁଡ଼ିକ ରିପୋର୍ଟ କରିବାକୁ ଅନିଚ୍ଛୁକ ହୁଅନ୍ତି । ଏଥିପାଇଁ ମାନ୍ୟବର ସୁପ୍ରୀମ କୋର୍ଟଙ୍କ ନିର୍ଦେଶ କ୍ରମେ ସମସ୍ତ କାର୍ଯ୍ୟାଲୟରେ ଅଭିଯୋଗ କମିଟି ଗଠନ କରାଯାଇଛି । ଯେଉଁ କାର୍ଯ୍ୟାଳୟରେ ୧୦ ରୁ କମ୍ ମହିଳା କର୍ମଚାରୀ କାର୍ଯ୍ୟ କରନ୍ତି ସେଠାରେ ଆଞ୍ଚଳିକ ଅଭିଯୋଗ କମିଟି ଏବଂ ୧୦ ରୁ ଉର୍ଦ୍ଧ କର୍ମଚାରୀଙ୍କ କ୍ଷେତ୍ରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଏ । ମହିଳା କର୍ମଚାରୀମାନେ ୬୦ ଦିନ ମଧ୍ୟରେ ଉକ୍ତ କମିଟିରେ ତାଙ୍କ ଅଭିଯୋଗ ଦାଖଲ କରିପାରିବେ । ଏହି କମିଟି ୯୦ ଦିନ ମଧ୍ୟରେ ଅଭିଯୋଗର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।

ଯଦି କୌଣସି ମହିଳା କର୍ମଚାରୀ  ଯୌନ ନିର୍ଯାତନାର ଶିକାର ହୁଅନ୍ତି ତେବେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଅଭିଯୋଗ କରିବା ପାଇଁ ଅତିଥିମାନେ ସଚେତନ କରାଇଥିଲେ । ସେ.ଜେ.ଏମ୍ ଶ୍ରୀମତୀ ପଣ୍ଡା ଆଇନ ସେବା ପ୍ରାଧୀକରଣର କାର୍ଯ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସେହିପରି ମହିଳା ଅଦାଳତ ବିଚାରପତି ଶ୍ରୀମତୀ ନାୟକ ମହିଳା ଯୌନ ନିର୍ଯାତନାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରାଇଥିଲେ ।ଏହି କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *