ନିଶ୍ଚିନ୍ତକୋଇଲି,୨୫/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)-ଶନିବାର ବିଳମ୍ବିତ ରାତିରେ କାର୍ ସମେତ ୨ ଟି ମୋଟରସାଇକେଲ ଓ ଗୋଟିଏ ସ୍କୁଟି ଜାଳି ଦେଲେ ଦୁର୍ବୁତ୍ତ। ପୂର୍ବ ଶତ୍ରୁତାକୁ ନେଇ ପରିବାର ଙ୍କ ର ସନ୍ଦେହ ସୃଷ୍ଟିହୋଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱର ପଞ୍ଚାୟତର ପାଇକରାପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡରେ ନିଜ ଗ୍ୟାରେଜ୍ ମଧ୍ୟରେ ରଖାଯାଇଥିବା ଏକ କାର୍ ସମେତ ଦୁଇଟି ବାଇକ୍ ଏବଂ ଗୋଟିଏ ସ୍କୁଟି କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ଗୋଟିଏ କାର୍ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଅନ୍ୟ କାର ଟି ଆଂଶିକଓ ଦୁଇଟି ମୋଟରସାଇକେଲ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ସ୍କୁଟିଟି ମଧ୍ୟ ଜଳି ଯାଇଛି ।
ପ୍ରାପ୍ତ ବିବରଣୀ ଅନୁଯାୟୀ, ପାଇକରାପୁର ଗ୍ରାମର ୧୧ ନମ୍ବର ୱାର୍ଡର କୁନା ଖାଁଙ୍କ ପରିବାର ଲୋକେ ରାତିରେ ଘରେ ଶୋଇଥିବା ସମୟରେ ପ୍ରାୟ ରାତି ୩ଟା ବେଳେ ନିଜ ଗାଡ଼ି ଗ୍ୟାରେଜ୍ରେ ନିଆଁ ଲାଗିଥିବା ନେଇ ପଡୋଶୀ କହିଥିଲେ। ପରିବାର ଲୋକେ ଉଠି ଦେଖିବା ବେଳକୁ ଗ୍ୟାରେଜ୍ ଭିତରେ ଥିବା କାର୍ ଓ ମୋଟରସାଇକେଲଗୁଡ଼ିକ ହୁତୁହୁତୁ ହୋଇ ଜଳିବାରେ ଲାଗିଛି ।
ପରିବାର ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ କାର୍ ଓ ଦୁଇଟି ମୋଟରସାଇକେଲ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଅନ୍ୟ ଏକ ସ୍କୁଟି ମଧ୍ୟ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛି।
ଘଟଣା ସମ୍ପର୍କରେ ଖବର ପାଇ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗର କର୍ମଚାରୀ ଓ ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ଏହି ଅଗ୍ନିକାଣ୍ଡ ପଛରେ ପୂର୍ବ ଶତ୍ରୁତା ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଏବଂ ଏହା ପଛରେ କାହାର ହାତ ଅଛି କି ନାହିଁ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବବୋଲି କୁହାଯାଉଛି ।
