ଲୋକନାଟ୍ୟ ମେଳାରେ ଦର୍ଶକଙ୍କ ମନ ମୋହିଲା ନାଟକ “ଗୁମୁରି କାନ୍ଦୁଛି ଗୁମୁଡୁମାହା” 

ବାଲିଗୁଡା,୧୩/୧୧/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟ ଚେତନା ପକ୍ଷରୁ ଖୋର୍ଦ୍ଧା ଠାରେ ଆୟୋଜିତ ୨୩ ତମ ଲୋକନାଟ୍ୟ ମେଳା ର ତୃତୀୟ ରଜନୀ ରେ କନ୍ଧମାଳ ଜିଲ୍ଲା ବାଲିଗୁଡାର କଳା ବିକାଶ କେନ୍ଦ୍ର ପକ୍ଷରୁ ନାଟକ ଗୁମୁରି କାନ୍ଦୁଛି ଗୁମୁଡୁମାହା ସଫଳତାର ସହ ମଞ୍ଚସ୍ଥ ହୋଇ ଉପସ୍ଥିତ ଦର୍ଶକଙ୍କ ମନ ବିମୋହିତ କରି ଶୀର୍ଷରେ ପହଞ୍ଚିପାରିଥିଲା । ଏହି ନାଟକଟି ଏକ ମୌଳିକ କାହାଣୀ ବା ସତ୍ୟ ଘଟଣା ଉପରେ ଆଧାରିତ । ନାଟକ କୁ ଅଞ୍ଚଳର ବରିଷ୍ଠ  ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ରଚନା ଓ ନିର୍ଦ୍ଦେଶନା ଦେବା ସହ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଚରଣ ବିନ୍ଧାଣୀ ଥିବାବେଳେ ବିଜୟ, ପ୍ରଶାନ୍ତ, ଗୋପବନ୍ଧୁ, ବୁନା, ଜଗନ୍ନାଥ, ଶ୍ରୀକୃଷ୍ଣ ବ୍ରହ୍ମାନନ୍ଦ, ଶ୍ରୀକାନ୍ତ, କୁସୁମ, ବିନିଙ୍କ  ଦକ୍ଷ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରି ପାରିଥିଲା । କନ୍ଧମାଳ ର ଆଦିବାସୀ ଙ୍କ ଜୀବନ ଜୀବିକା କଳା ସଂସ୍କୃତି ପରମ୍ପରା ସାମାଜିକ ଚଳନୀ ଉପରେ ଆଧାରିତ । ଆଦିବାସୀ ଙ୍କ ଜୀବନ ଅତି ସରଳ ଓ ନିର୍ମଳ ଏହି ସରଳତା ଏଠାରେ କାଳ ହୋଇଛି । ଜଙ୍ଗଲ ମୂଳକ ରେ ବସବାସ କରୁଥିବା ଏହି ପୂରାତନ ଅଧିବାସୀ କେତେବେଳେ ପୋଲିସ୍ ଇନ୍ ଫର୍ମର ସନ୍ଦେହ ରେ ମାଓବାଦୀଙ୍କ ଦ୍ଵାରା ହତ୍ୟାର ଶିକାର ହେଉଛନ୍ତି ତ ଆଉ କେତେବେଳେ ମାଓବାଦୀ ସନ୍ଦେହ ରେ ଯବାନ ଙ୍କ ଗୁଳି ରେ ଟଳି ପଡ଼ୁଛନ୍ତି । ଗତ ୨୦୧୬ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଏକ ନିପଟ ମଫସଲ ଗାଁ ଗୁମୁଡୁମାହା ରେ ଏକ ଛାତିଥରା ହୃଦୟ ବିଦାରକ ଘଟଣା ଘଟିଥିଲା ଯାହା କି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଦୁଇ ବର୍ଷର ଶିଶପୁତ୍ର ସମେତ ଏକାଧିକ ଜୀବନ ଯାଇଥିଲା । ଏକ ଅଟୋ ଯୋଗେ ବାଲିଗୁଡ଼ା ରୁ ନିଜ ଗାଁ କୁ ଫେରୁଥିବା ବେଳେ ମାଓବାଦୀ ଓ ପୋଲିସ୍ ର ଗୁଳି ବିନିମୟ ବେଳେ କିଭଳି ଗୁଳିକାଣ୍ଡ ହୋଇଥିଲା ତାପରେ ସରକାର ଙ୍କ ନିଦ କେମିତି ଭାଙ୍ଗିଥିଲା । ଗଣହତ୍ୟା କୁ ସବୁ ବର୍ଗ ର ଲୋକେ ନିନ୍ଦା କରିବା ସହିତ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଗାଁ କୁ ଆସିଥିଲେ । ଗଣହତ୍ୟା ପରେ ଗାଁ ର ଚିତ୍ର କେମିତି ବଦଳି ଥିଲା ତାହା ଏହି ନାଟକରେ   ଚିତ୍ରଣ ହୋଇଛି । ବରିଷ୍ଠ ନାଟ୍ୟକାର ତଥା ନାଟ୍ୟ ଚେତନା ର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ ଖୁସି ପ୍ରକଟ କରି କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡ଼ା ର  ଉତ୍ତରୋତ୍ତୋର ଉନ୍ନତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *