ଯାଜପୁର ଜିଲ୍ଲାରେ ଏଚ୍‌ପିଭି ଟୀକାକରଣ ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ଯାଜପୁର, ୦୧/୦୩/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ଏଚ୍‌ପିଭି (ହ୍ୟୁମାନ୍ ପାପିଲୋମା ଭାଇରସ୍) ଟୀକାକରଣ ଅଭିଯାନର ତା ୨୮.୦୨.୨୦୨୬ ରେ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ରଙ୍କ ଦ୍ଵାରା ଏମ୍‌ସିଏଚ୍‌ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏହି ଉଦ୍ଘାଟନୀ  ଉତ୍ସବ ରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଡ଼ା.  ସଂଯୁକ୍ତା ପଣ୍ଡା, ଡି.ଏମ.ଓ ସୁପରିଣ୍ଟେଡେଣ୍ଟ ଡ଼ା. ହାଁସଦା, ପେଡିଆଟ୍ରିକ ବିଶେଷଙ୍କ ଡ଼ା. ଜେ. ଜେ ମିଶ୍ର , ଡ଼ା. ଏଚ.କେ ରାଉଳ,  ନର୍ସିଂ ଅଫିସର, ଏ.ଏନ୍.ଏମ,  ଆଶା କର୍ମୀ,ସ୍ବାସ୍ଥ୍ୟ କର୍ମୀମାନେ, ୧୪ ବର୍ଷର କିଶୋରୀ ବାଳିକା ମାନେ ଓ ସେମାନଙ୍କ ର ଅଭିଭାବକ ମାନେ ଏହି ଶୁଭାରମ୍ଭ ରେ ଯୋଗ ଦେଇଥିଲେ।

ଏହି ଅଭିଯାନ ଜିଲ୍ଲାର କିଶୋରୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରାଯାଇଛି।

ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ  ଅଧିକାରୀ ଡ।. ବିଜୟ କୁମାର ମିଶ୍ର କହିଲେ ଏହି ଏଚ୍‌ପିଭି ଟୀକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି କିଶୋରୀମାନଙ୍କୁ ଏଚ୍‌ପିଭି ସଂକ୍ରମଣରୁ ସୁରକ୍ଷା ଦେବା, ଯାହା ଜରାୟୁ ଗ୍ରୀବା କର୍କଟ ର ପ୍ରମୁଖ କାରଣ। ଜିଲ୍ଲାରେ ୧୪ ବର୍ଷ ବୟସ୍କ (୧୪ ବର୍ଷ ପୂରଣ କରିଥିବା କିନ୍ତୁ ୧୫ ବର୍ଷ ପୂରଣ ନକରିଥିବା) ମୋଟ ୧୪,୪୯୬ ଜଣ କିଶୋରୀଙ୍କୁ ଏହି ଅଭିଯାନ ଅଧୀନରେ ଟୀକା ପ୍ରଦାନ କରାଯିବ।

ଏହି ଅଭିଯାନ ଅନୁସାରେ ପ୍ରତ୍ୟେକ ଲାଭାନ୍ବିତାଙ୍କୁ ଗାର୍ଡାସିଲ-୪ (Gardasil-4) ଟୀକାର କେବଳ ଏକମାତ୍ର ଡୋଜ୍‌ ଦିଆଯିବ। ଏହି ଟୀକା ଚାରି ପ୍ରକାର ଏଚ୍‌ପିଭି ଭାଇରସ୍‌ ବିରୋଧରେ ସୁରକ୍ଷା ଦେଇଥାଏ।

 ଏହି ଟୀକାକରଣ ଅଭିଯାନକୁ ପର୍ଯ୍ୟାୟକ୍ରମେ ସମଗ୍ର ଜିଲ୍ଲାରେ ଚାଲୁ କରାଯିବ।

ଜିଲ୍ଲାର ୧୦ ଟି ବ୍ଲକ୍, ଯାଜପୁର ରୋଡ, ଯାଜପୁର ଟାଉନ ମୁଖ୍ୟାଳୟ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC), ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)

ଗ୍ରାମସ୍ତରର ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଟୀକାକରଣ କାର୍ଯ୍ୟକ୍ରମ ଚାଲିବ ଓ ସମସ୍ତ ଅଭିଭାବକ ମାନେ ତାଙ୍କର ପିଲା ମାନଙ୍କୁ ନେଇ ସମସ୍ତ ହସ୍ପିଟାଲ୍ ମାନଙ୍କରେ ଏଇ ଟିକା ନିଶ୍ଚିତ ଦେବା ପାଇଁ ଅନୁରୋଧ କରିଥିଲେ ।ମାନ୍ୟବର ପ୍ରଧାମନ୍ତ୍ରୀଙ୍କର ଏଇ ପଦେକ୍ଷପ ସବୁ ମହିଳା ମାନଙ୍କ ପାଇଁ ନିଶ୍ଚିନ୍ତ ଭାବରେ ଜରାୟୁ ଗ୍ରୀବା କର୍କଟ ରୁ ରକ୍ଷା କରିବ  ବୋଲି ଉଲ୍ଲେଖ କରିଥିଲେ।

ଏହି ଟୀକାକରଣ ଅଭିଯାନ ସମୟସୀମା  ମାର୍ଚ୍ଚ ୨୦୨୬ ରୁ  ମଇ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ।ଏହି ସମୟସୀମା ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷ ଟୀକାକରଣ ଅଧିବେଶନ ଆୟୋଜନ କରାଯିବ।

ଏହି ଅଭିଯାନ ପରେ ଯେଉଁ ୧୪ ବର୍ଷ ବୟସ୍କ କିଶୋରୀମାନେ ଟୀକା ପାଇନାହାନ୍ତି, ସେମାନଙ୍କୁ ରୁଟିନ୍ ଇମ୍ୟୁନାଇଜେସନ୍ (RI) କେନ୍ଦ୍ର ମାଧ୍ୟମରେ ଟୀକା ପ୍ରଦାନ ଜାରି ରହିବ। ଶୁଭାରମ୍ଭ କାର୍ଯ୍ୟକ୍ରମର ବିଶେଷତା ଜିଲ୍ଲାସ୍ତରୀୟ ଏଚ୍‌ପିଭି ଟୀକାକରଣ ଅଭିଯାନର ଔପଚାରିକ ଶୁଭାରମ୍ଭ, ଗାର୍ଡାସିଲ-୪ ଟୀକାର  ପ୍ରତୀକାତ୍ମକ ଗୋଟିଏ ଡୋଜ୍‌ ପ୍ରଦାନ, ଜରାୟୁ ଗ୍ରୀବା କର୍କଟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ  ସମୁଦାୟ ସଚେତନତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି  ୧୦୦ ପ୍ରତିଶତ ଟୀକାକରଣ ହାସଲ କରିବାର ସଂକଳ୍ପ  ରହିଛି।

ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର  ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ଏହି ପଦକ୍ଷେପ ଯାଜପୁର ଜିଲ୍ଲାର କିଶୋରୀମାନଙ୍କ ସୁସ୍ଥ ଭବିଷ୍ୟତ ନିଶ୍ଚିତ କରିବାରେ ଏକ ମାଇଲଷ୍ଟୋନ  ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରାଯାଇଛି ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି କାର୍ଯ୍ୟକ୍ରମ ରେ ପ୍ରଥମ ହିତାଧିକାରୀ ତୁଳସୀ ଦଳାଇ ଙ୍କୁ ଟୀକା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *