ନବରଙ୍ଗପୁର,୦୪/୦୯/୨୦୨୫(ଓଡ଼ିଶା ସମାଚାର)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୨୨ ମସିହା ଅଗଷ୍ଟ ୯ତାରିଖରେ ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାରମାସି ଗ୍ରାମରେ ନିଜ ସମ୍ପର୍କୀୟ ଡମ୍ବୁରୁ ପୁଜାରୀ ଓ ପରିବାରବର୍ଗଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଡମ୍ବୁରୁ ପୂଜାରୀ ହତ୍ୟା ମାମଲାର ଶୁଣାଣି କରି ନବରଙ୍ଗପୁର ଅତିରିକ୍ତ ଜିଲା ଦୌରା ଜଜ୍ ବିଷ୍ଣୁ ରପ୍ରସାଦ ମିଶ୍ର ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ଏଥିରେ ଜଣେ ନାବାଳକ ଅଭିଯୁକ୍ତ ମଧ୍ୟ ସାମିଲ ଅଛନ୍ତି । ଏହା ସହ ଜୋରିମାନା ବାବଦକୁ ଜଣକ ପିଛା ୧୦ହଜାର ଟଙ୍କା ଲେଖାଏଁ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ଜଣାଯାଏ ୨୦୨୨ ମସିହା ଅଗଷ୍ଟ ୯ ତାରିଖରେ ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାରମାସି ଗ୍ରାମର ଡମ୍ବୁରୁ ପୂଜାରୀ ଓ ପଦଲାମ ପୂଜାରୀ ଦୁଇ ଭାଇ ମାଳତୀ, କନକ, ଭଗବତୀ, ପିତାମ୍ବରଙ୍କୁ ନେଇ ନିଜ ବିନ୍ସ ଲଗାଇଥିବା ଜମିରେ କାମ କରୁଥିଲେ । ସେହି ସମୟରେ ଜମିଜମା ନେଇ ପୂର୍ବରୁ ଲାଗି ରହିଥିବା ଶତ୍ରୁତା ଯୋଗୁଁ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ ।
