ଥାନା ଆଗରେ ଶତାଧିକ ମହିଳାଙ୍କ ଧାରଣା
କେନ୍ଦ୍ରାପଡ଼ା,୨୫/୧୦/୨୦୨୬(ଓଡ଼ିଶା ସମାଚାର)-ସଦର ଥାନା ଅଧିକାରିଣୀ (ଆଇଆଇସି) ପଦ୍ମାଳୟା ପ୍ରଧାନଙ୍କ ନାମରେ ପୁଣି ଏକ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି । ବିଜେପିର ବରିଷ୍ଠ ନେତ୍ରୀ ଗୀତାଞ୍ଜଳି ସେଠୀଙ୍କ ସମେତ ସାଧାରଣ ମହିଳାଙ୍କୁ ଅଶାଳୀନ ବ୍ୟବହାର ତଥା ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଆଜି ସନ୍ଧ୍ୟାରେ ସଦର ଥାନା ପରିସରରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ଶତାଧିକ ମହିଳା ଏବଂ ବିଜେପି କର୍ମୀ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଆଇଆଇସିଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଉତ୍ୟକ୍ତ ଜନତା ଦାବି କରିଛନ୍ତି । ଘଟଣାରୁ ପ୍ରକାଶ ଯେ ନିକଟରେ ପୋଲିସ ଦ୍ୱାରା ଏକ ବାଇକ ଚୋରି ର୍ୟାକେଟର ଉନ୍ମୋଚନ କରାଯାଇଥିଲା । ଏହି ଚୋରି ବାଇକଗୁଡ଼ିକ ମଧ୍ୟରେ ଜଣେ ବିଜେପି ଦଳର ଯୁବକଙ୍କ ବାଇକ ଥିଲା ।
ଏସମ୍ପର୍କରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ରାଜଲକ୍ଷ୍ମୀ ଦାସ ସଦର ଥାନାଧିକାରୀଙ୍କୁ ସଂପୃକ୍ତ ଯୁବକଙ୍କ ଚୋରି ବାଇକଟି ଉଦ୍ଧାର ହୋଇଥିବାରୁ ତାହାକୁ ଫେରସ୍ତ କରିବାକୁ ଫୋନରେ କହିଥିଲେ । କିନ୍ତୁ ଥାନାଧିକାରୀ ତାଙ୍କୁ ଗାଳିଗୁଳଜ କରିବା ସହ ଅସଦବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି । ଏହାପରେ ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ ମଧ୍ୟ ବାଇକ ସମ୍ପର୍କରେ ଆଇଆସିକୁ କହିଥିଲେ । ପୋଲିସ ଦ୍ୱାରା ବାଇକ୍ ଜବତ ହେବା ଖବର ପାଇ ସମ୍ପୃକ୍ତ ଯୁବକ ଜଣକ ନିଜ ଗାଡ଼ିର କାଗଜପତ୍ର ଦେଖାଇ ତାହାକୁ ଫେରସ୍ତ ଆଣିବା ଉଦ୍ଧେଶ୍ୟରେ ସଦର ଥାନାକୁ ଯାଇଥିଲେ । ମାତ୍ର ଅଭିଯୋଗ ଅନୁଯାୟୀ, ଥାନାଧିକାରିଣୀ ପଦ୍ମାଳୟା ପ୍ରଧାନ ଉକ୍ତ ଯୁବକଙ୍କ କଥା ବୁଝିବା ପରିବର୍ତେ ତାଙ୍କ ସହିତ ଯାଇଥିବା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ରାଜଲକ୍ଷ୍ମୀ ଦାସଙ୍କୁ କଟୁ ଭାଷାରେ ଗାଳିଗୁଲଜ କରିବା ସହ ଅତ୍ୟନ୍ତ ଅସୌଜନ୍ୟମୂଳକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।
ନିରୁପାୟ ହୋଇ ଉକ୍ତ ମହିଳା ବିଜେପି କାର୍ଯ୍ୟକର୍ତା ଜଣକ ତୁରନ୍ତ ଏ ବାବଦରେ ବିଜେପି ନେତ୍ରୀ ଶ୍ରୀମତୀ ସେଠୀଙ୍କୁ ଜଣାଇଥିଲେ । ସୂଚନା ପାଇବା ପରେ ଶ୍ରୀମତୀ ସେଠୀ ଘଟଣାର ସତ୍ୟାସତ୍ୟ ବୁଝିବା ପାଇଁ ସଦର ଥାନାରେ ପହଂଚିଥିଲେ । ସେ ଆଇଆଇସିଙ୍କୁ ମହିଳାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ଏବଂ ବାଇକ୍ ଫେରସ୍ତ ସମ୍ପର୍କରେ ପଚାରି ବୁଝିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୋଗ ହୋଇଛି ଯେ, ଜଣେ ଜନପ୍ରତିନିଧି ତଥା ମହିଳା ନେତ୍ରୀଙ୍କୁ ମଧ୍ୟ ଆଇଆଇସି ଉଚିତ ସମ୍ମାନ ନ ଦେଇ ଉଦ୍ଧତ ଆଚରଣ ଦେଖାଇଥିଲେ ଏବଂ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଜେପି ନେତ୍ରୀଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ଓ ଦଳୀୟ କାର୍ଯ୍ୟକର୍ତା ଥାନା ଆଗରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନ୍ୟାୟ ଦାବିରେ ଶତାଧିକ ମହିଳା ଥାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ବସି ରହିଥିଲେ, ଯାହା ଫଳରେ ଥାନାର କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଥିଲା ।
ଉତ୍ୟକ୍ତ ଲୋକେ ପୋଲିସ ପ୍ରଶାସନ ବିରୁଦ୍ଧରେ ଜୋରଦାର ନାରାବାଜି କରିବା ସହ ଥାନାଧିକାରିଣୀଙ୍କ ମନମୁଖୀ ଶାସନକୁ ନିନ୍ଦା କରିଥିଲେ । ଏହି ଅବସରରେ ଗଚ୍ଚମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ କହିଛନ୍ତି ଯେ, ସଦର ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ଜଣେ ଚରମ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଥାନାକୁ ନ୍ୟାୟ ପାଇଁ ଆସୁଥିବା ସାଧାରଣ ନିରୀହ ଲୋକଙ୍କୁ ଏଠାରେ ସମ୍ମାନ ମିଳୁନାହିଁ, ବରଂ ନିର୍ଯାତନା ଦିଆଯାଉଛି । ଚୋରି ବାଇକ୍ ଫେରସ୍ତ ଆଣିବା ପାଇଁ ଆସିଥିବା ଜଣେ ନିରୀହ ମହିଳାଙ୍କୁ ଅପମାନିତ କରାଯିବା ଏବଂ ପରେ ପ୍ରଶ୍ନ କରିବାରୁ ଜଣେ ଜନପ୍ରତିନିଧିଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯିବା ଏହି ଅଫିସରଙ୍କ ଅହଙ୍କାର ଓ ଭ୍ରଷ୍ଟାଚାରର ପରିଚୟ ଦେଉଛି । ଆନ୍ଦୋଳନକାରୀଙ୍କ ସ୍ପଷ୍ଟ ଦାବି ଯେ, ଏହି ଦୁର୍ନୀତିଗ୍ରସ୍ତ ତଥା ଅସଦାଚରଣ କରୁଥିବା ଥାନାଧିକାରିଣୀଙ୍କୁ ଯେ ପର୍ଯ୍ୟନ୍ତ ନିଲମ୍ବନ କିମ୍ବା ବହିଷ୍କାର କରାନଯାଇଛି, ସେପର୍ଯ୍ୟନ୍ତ ଏହି ଧାରଣା ପ୍ରତ୍ୟାହାର ହେବ ନାହିଁ ।
ପରିସ୍ଥିତି ଅଣାୟତ ହେଉଥିବା ଦେଖି ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀମାନେ ପହଂଚିି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ଉତେଜନା ଏବେ ମଧ୍ୟ ଲାଗି ରହିଛି । ଏ ସଂକ୍ରାନ୍ତରେ ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଚୋରା ଗାଡି ଜବତ ପରେ ବିଭିନ୍ନ ଯାଂଚ କରାଯାଇଥାଏ । ଏହାପରେ ଗାଡି ମାଲିକଙ୍କୁ ଗାଡି ଦିଆଯାଇଥାଏ । ଏହି ପ୍ରକ୍ରିୟା ପାଇଁ ଗାଡି ଦେବାରେ ବିଳମ୍ବ ହୋଇଥିଲା । ମୁଁ ଶ୍ରୀମତୀ ଦାସ କିମ୍ବା ଶ୍ରୀମତୀ ସେଠୀଙ୍କୁ ଦୁର୍ବ୍ୟବହାର କରିନି ବୋଲି ସେ କହିଛନ୍ତି ।
