କେନ୍ଦ୍ରାପଡାରେ ପହଂଚିଲା ରାଂଚି ପୋଲିସ
କେନ୍ଦ୍ରାପଡ଼ା, ୨୫/୧୦/୨୦୨୬(ଓଡ଼ିଶା ସମାଚାର)-ଝାଡ଼ଖଣ୍ଡରେ ଗହମ ବୋଝେଇ ଏକ ଟ୍ରକ୍ ଖାଲି କରି ବଜାରରେ ବିକ୍ରି କରିବା ପରେ ଫେରାର୍ ହୋଇଯାଇଥିବା ଜଣେ ଅଭିଯୁକ୍ତଙ୍କୁ ଖୋଜି ଖୋଜି ଶେଷରେ କେନ୍ଦ୍ରାପଡ଼ାରେ ପହଂଚିିଛି ଝାଡ଼ଖଣ୍ଡ ପୋଲିସ । ଅଭିଯୁକ୍ତଙ୍କ ଘର ସମ୍ମୁଖରେ ରାଂଚିିି କୋର୍ଟର ୱାରେଂଟ ଲଗାଇବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଅଦାଲତରେ ହାଜର ହେବା ପାଇଁ ସମୟ ଦେଇଛି ପୋଲିସ । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ହାଜର ନହୁଅନ୍ତି, ତେବେ ତାଙ୍କ ଘରବାଡ଼ି ବାଜ୍ୟାପ୍ତି କରାଯିବ ବୋଲି ପୋଲିସ ଚେତାବନୀ ଦେଇଛି ।
ଘଟଣାରୁ ପ୍ରକାଶ ଯେ ଗତ ଜୁଲାଇ ମାସରେ ଝାଡ଼ଖଣ୍ଡର ରାଜଧାନୀ ରାଂଚିରୁ ଏକ ଟ୍ରକରେ ବିପୁଳ ପରିମାଣର ଗହମ ବୋଝେଇ ହୋଇ ନିର୍ଦ୍ଧିଷ୍ଟ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା । ତେବେ ଗନ୍ତବ୍ୟ ସ୍ଥଳରେ ଗହମ ନପହଂଚାଇ ମଝି ବାଟରେ ପୁରା ଟ୍ରକ୍ ଗହମକୁ ବିକ୍ରି କରିଦିଆଯାଇଥିଲା । ଏହି ଚୋରି ପଛରେ କେନ୍ଦ୍ରାପଡ଼ା ଜିଲାର ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗ୍ରାମର ଧନଞ୍ଜୟ ପାତ୍ର ନାମକ ବ୍ୟକ୍ତି ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଥିଲା । ଗହମ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିବା ପରେ ଧନଞ୍ଜୟ ଘଟଣାସ୍ଥଳରୁ ଚମ୍ପଟ ମାରି ନିଜ ଗାଁକୁ ପଳାଇ ଆସିଥିଲେ । ଗହମ ମାଲିକଙ୍କ ଅଭିଯୋଗ ଆଧାରରେ ରାଂଚି ସ୍ଥିତ ସ୍ଥାନୀୟ ଥାନାରେ ଚୋରି ମାମଲା ରୁଜୁ ହୋଇଥିଲା । ଘଟଣାର ତଦନ୍ତ ପରେ ରାଂଚି କୋର୍ଟଙ୍କ ପକ୍ଷରୁ ଅଭିଯୁକ୍ତ ଧନଞ୍ଜୟଙ୍କ ନାମରେ ନୋଟିସ ଜାରି କରାଯାଇଥିଲା ।
ତେବେ ବାରମ୍ବାର ନିର୍ଦେଶ ସତ୍ୱେ ସେ ହାଜର ନହେବାରୁ କୋର୍ଟଙ୍କ ନିର୍ତଦେଶକ୍ରମେ ଝାଡ଼ଖଣ୍ଡ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲା । ଆଜି ଝାଡ଼ଖଣ୍ଡ ରାଂଚି ପୋଲିସର ଏକ ତଦନ୍ତକାରୀ ଦଳ ନିକିରାଇ ଥାନା ଅଂଚଳର ପାଳକଣା ଗ୍ରାମରେ ପହଂଚିଥିଲେ । ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହାୟତାରେ ଅଭିଯୁକ୍ତ ଧନଞ୍ଜୟ ପାତ୍ରଙ୍କ ଘର ଚାରିପାଖ ଯାଂଚ କରିବା ସହ ଘର କାନ୍ଥ ଏବଂ କବାଟ ଆଗରେ ରାଂଚିି କୋର୍ଟର ନୋଟିସ ଲଗାଇଥିଲେ । ଏ ସମ୍ପର୍କରେ ତଦନ୍ତକାରୀ ଦଳର ମୁଖ୍ୟ ରାଂଚିିି ପୋଲିସ ଅଧିକାରୀ ବସନ୍ତ ରାମ ଗଚ୍ଚମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗତ ଜୁଲାଇ ମାସରେ ରାଂଚିରୁ ଏକ ଟ୍ରକ୍ ଗହମ ଚୋରି କରି ବେଆଇନ ଭାବେ ବିକ୍ରି କରିବା ଘଟଣାରେ ଧନଞ୍ଜୟ ପାତ୍ର ମୁଖ୍ୟ ଅଭିଯୁକ୍ତ । ତାଙ୍କ ନାମରେ ଠକେଇ ମାମଲା ରହିଛି । ଆଜି ତାଙ୍କ ଘରେ ନୋଟିସ ଲଗାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ରାଂଚି କୋର୍ଟରେ ହାଜର ହେବା ପାଇଁ ମହଲତ ଦିଆଯାଇଛି । ଯଦି ନିର୍ଦ୍ଧାରିତ ସମୟ ସୀମା ଭିତରେ ସେ ଅଦାଲତରେ ଆତ୍ମସମର୍ପଣ ନକରନ୍ତି ତେବେ ଆଇନ ଅନୁଯାୟୀ ତାଙ୍କ ସଂପତି ବାଜ୍ୟାପ୍ତି କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
